ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ଦୁଇ ଗୁରୁତର

ଭୁବ‌ନେଶ୍ୱର : ପୁରୁଣା ବିବାଦ ସମାଧାନ କରିବାକୁ ଯାଇ ଦୁଇ ଛାତ୍ର ଆକ୍ରମଣର ଶିକାର ହୋଇଛନ୍ତି। ଘଟଣା ଏୟାରପୋର୍ଟ ଥାନା ଅଧୀନ ପୋଖରୀପୁଟରେ ଘଟିଛି। ଆହତ ଦୁଇ ଛାତ୍ରଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ, ଏକାମ୍ର କଲେଜ୍‌ର ଛାତ୍ର ଦୀପକ ସାହୁ ଓ ସିପୁନ ପରିଡ଼ା। ଉଭୟଙ୍କ ଅଭିଯୋଗକ୍ରମେ ଏୟାରପୋର୍ଟ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ନିକଟ ଅତୀତରେ ଏକାମ୍ର କଲେଜ୍‌ରେ ଗଣ୍ଡଗୋଳ ହୋଇଥିଲା। ଜଣେ ଅଣଛାତ୍ର କଲେଜ ଭିତରେ ପଶି କେତେକ ଛାତ୍ରଙ୍କୁ ଆକ୍ରମଣ କରିଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ଓ ଛକାପଞ୍ଝା ଲାଗି ରହିଥିଲା। ଏହାର ଆପୋସ ସମାଧାନ କରିବା ପାଇଁ ଆଜି ଅପରାହ୍ଣରେ ଦୀପକ ଓ ସିପୁନ୍‌ ସମ୍ପୃକ୍ତ ଅଣଛାତ୍ରକୁ ଭେଟିବା ପାଇଁ ଯାଇଥିଲେ। ପୋଖରୀପୁଟ୍‌ରେ ଆଲୋଚନା ଚାଲିଥିବା ବେଳେ ସମ୍ପୃକ୍ତ ଅଣଛାତ୍ର କିଛି ସହଯୋଗୀଙ୍କ ସହ ମିଶି ସଂଘବଦ୍ଧ ଭାବେ ଉଭୟଙ୍କୁ ଭୁଜାଲି ଓ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର