ଦୁଇ ଭଉଣୀଙ୍କ ସଲିଳ ସମାଧି, ମାମୁଘରକୁ ଖରାଛୁଟି କଟାଇବାକୁ ଆସିଥିଲେ

ଖୋର୍ଧା : ଖୋର୍ଧା ବ୍ଲକ୍‌ ନରଣଗଡ଼ ପଞ୍ଚାୟତ ଅନ୍ତର୍ଗତ ଓରମି ଗ୍ରାମରେ ଆଜି ସକାଳେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କର ଶୋଚନୀୟ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ସେମାନେ ହେଲେ କୁହୁଡ଼ି ପଞ୍ଚାୟତ ଅନ୍ତର୍ଗତ ସୋରଣ ଗ୍ରାମର ରାମ ଜେନାଙ୍କ ଦୁଇ ଝିଅ ଲୋପାମୁଦ୍ରା ଜେନା(୧୨) ଓ ରେଶମୀ ଜେନା(୯)। ଲୋପାମୁଦ୍ରା ସୋରଣ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଥିବା ବେଳେ ରେଶମୀ ରତନପୁର ଏମଇ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ ଥିଲେ। ଉଭୟ ଲୋପାମୁଦ୍ରା ଓ ରେଶମୀ ଖରାଛୁଟି କଟାଇବା ପାଇଁ ନିଜ ମାମୁ ଓରମି ଗ୍ରାମର ଲୋକନାଥ ପଶ୍ଚିମକବାଟଙ୍କ ଘରକୁ ଆସିଥିଲେ। ଆଜି ସକାଳୁ ନିତ୍ୟକର୍ମ ସାରି ଦୁଇ ଭଉଣୀ ମାମୁ ଘର ପଛପଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପରେ ଗ୍ରାମର କିଛି ଲୋକ ସେହି ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁଇ ଭଉଣୀ ପାଣିରେ ଭାସୁଥିବା ଦେଖିଥିଲେ। ଗ୍ରାମବାସୀଙ୍କ ସହାୟତାରେ ଦୁଇ ଭଉଣୀଙ୍କୁ ତୁରନ୍ତ ପାଣିରୁ ଉଦ୍ଧାର କରି ଖୋର୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଜଙ୍କିଆ ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଦୁଇଟିର ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକାଙ୍କ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର