ଦୁଇ ଛାତ୍ରୀଗୋଷ୍ଠୀ ମୁହାଁମୁହିଁ

ସୋସିଆଲ ମିଡିଆରେ ରମାଦେବୀ ବିକାଶ ପ୍ରସଙ୍ଗ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମସ୍ୟାକୁ ନେଇ ଏବିଭିପି ପକ୍ଷରୁ କ୍ୟାମ୍ପସ ସମ୍ମୁଖରେ ବ୍ୟାନର୍‌ ଲଗାଯିବା ପରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ରୀ ସଙ୍ଗଠନ। ଏବିଭିପି ବ୍ୟାନର ଲଗାଇବା ପରେ ସୋସିଆଲ ମିଡିଆରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସାଧାରଣ ସମ୍ପାଦିକା ଦେବସ୍ମିତା ଦାଶ। ସେ ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ଏବିଭିପି ପିଲାଙ୍କ କିଛି କାମ ନାହିଁ କି ଆର୍‌ଡି କଲେଜ ସାମ୍ନାରେ ଆସି ଯାତ୍ରା କରୁଛ। ଯେତେ ବଦନାମ କରିବା କଥା କର। ଆମେ ଖାଲି ଦେଖୁଛୁ ତୁମେମାନେ ବିଶ୍ୱବିଦ୍ୟାଳୟ ଲାଗି କେତେ ଚିନ୍ତା କରୁଛ। ଏମିତି ବ୍ୟାନର ଲଗାଇ କି କିଛି ଲାଭ ନାହିଁ। କାହିଁକି ନା ଆମେ ଓ୍ଵାଟର ଏଟିଏମ୍‌ କଥା କହିଛୁ ଆଉ କରି ଦେଖାଇବୁ। ନିର୍ବାଚନ ପରେ ବିଶ୍ୱବିଦ୍ୟାଳୟ ଆଗରେ କୌଣସି ବ୍ୟାନର ଲଗାଇବାକୁ ଦେବୁ ନାହିଁ। ଆମେ ପିଲାଙ୍କ ସମସ୍ୟାର ସମାଧାନ କରୁଛୁ ଆଉ କରିବୁ ମଧ୍ୟ।

ସୋସିଆଲ ମିଡିଆରେ ସାଧାରଣ ସମ୍ପାଦିକାଙ୍କ ଏଭଳି ମନ୍ତବ୍ୟକୁ ନେଇ କ୍ୟାମ୍ପସରେ ହଇଚଇ ସୃଷ୍ଟି ହୋଇଛି। କ୍ୟାମ୍ପସ ବାହାରେ ଲାଗିଥିବା ବ୍ୟାନର୍‌ ଚିରିବାକୁ ଧମକ ଦେବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଏବିଭିପି ଛାତ୍ରୀ। ସେମାନେ ମଧ୍ୟ ସୋସିଆଲ ମିଡିଆରେ କଡ଼ା ଜବାବ ରଖିଛନ୍ତି। କହିଛନ୍ତି ୩ ମାସ ହେଲା ଜିତିଲଣି, କ’ଣ କରିଛ? ଅଧ୍ୟାପକ ପଦବି ପୂରଣ ଲାଗି ଗତବର୍ଷ ସ୍ୱାଧୀନ ପ୍ରାର୍ଥୀ ଜିତିଥିବା ବେଳେ ନିଷ୍ପତ୍ତି ହୋଇଥିଲା। ଏ ପର୍ଯ୍ୟନ୍ତ ପୂରଣ କରିପାରିଲ ନାହିଁ। ଥରୁଟିଏ ବି ମୁହଁ ବି ଖୋଲିଲ ନାହିଁ। ଅନ୍ୟମାନଙ୍କ କଥାରେ ଆଉ କେତେଦିନ ବସ୍‌ଉଠ୍‌ ହେବ। ଓ୍ଵାଟର ଏଟିଏମ୍‌ କରିବାକୁ ଦେଢ଼ ମାସ ତଳେ ମେୟର କହିଥିଲେ। କୁଆଡ଼େ ଗଲା? କେବେ ହେବ? ଦ୍ୱିତୀୟ କ୍ୟାମ୍ପସ କଥା ତ ଭୁଲିଗଲଣି। ବ୍ୟାନର ଚିରିବା ଲାଗି ପରୋକ୍ଷରେ ଯେଉଁ ଧମକ ଦେଉଛ ତାର ବି ଜବାବ ଆମକୁ ବି ଦେଇ ଆସେ ବୋଲି ସେମାନେ କହିଛନ୍ତି। ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଏଭଳି ବିବାଦକୁ ନେଇ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର