ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ବାର୍ଷିକୋତ୍ସବ ‘ଭାରତଐକମ୍‌’

ଭୁବନେଶ୍ୱର: ୟୁନିଟ୍‌-୮, ଡିଏଭି ପବ୍ଲିକ୍‌ ସ୍କୁଲର ୪୬ତମ ବାର୍ଷିକୋତ୍ସବ ‘ଭାରତଐକମ୍‌’ର ଉଦ୍‌ଘାଟନୀ ଉତ୍ସବ ଆଜି ସ୍କୁଲ୍‌ ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନନ୍ଦଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ଗୌରବ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁନି କୁନି ଛାତ୍ରଛାତ୍ରୀମାନଙ୍କ ମନରେ ଦେଶ ପ୍ରେମ ଜାଗ୍ରତ କରିବା ସହ ଐକ୍ୟ ଓ ସଂହତି ରକ୍ଷା ଦିଗରେ ଶିକ୍ଷା ଦେଇଥାଏ। ସମ୍ମାନିତ ଅତିଥିଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସମାଜସେବାର ଗୁରୁତ୍ୱ ଓ ଏହାଦ୍ୱାରା ମିଳୁଥିବା ଆତ୍ମସନ୍ତୋଷର ଆନନ୍ଦ ବିଷୟରେ ବୁଝାଇଥିଲେ।

ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମଦନ ମୋହନ ପଣ୍ଡା, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥୀ ଓ ମେଜର ବି.କେ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଭାଗ୍ୟବତୀ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ‘ସଚ୍ଚାଇ’ ନାଟକ ପରିବେଷିତ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟା ଭାରତୀ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଯୋଜିକା ମମତା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର