ଭୁବନେଶ୍ୱର : ଶୁକ୍ରବାର ବିଳମ୍ବିତ ରାତିରେ ୟୁନିଟ୍-୯ ଅଞ୍ଚଳରେ ଜଣେ ଯୁବକଙ୍କୁ ୧୫ରୁ ୨୦ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ସେମାନେ ହେଉଛନ୍ତି, ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଶୁଭମ୍ ଦାସ, ଚକେଇସିଆଣିରେ ରହୁଥିବା ବାଲେଶ୍ବର ମାର୍କୋଣା ତୁଳସୀପୁରର ସୌମ୍ୟରଞ୍ଜନ ମହାରଣା ଓରଫ ବାପୁ, ମଞ୍ଚେଶ୍ବର ଜଗନ୍ନାଥନଗରର ପୁନୀତ୍ ଗୋସ୍ବାମୀ, ନହରକଣ୍ଟାରେ ରହୁଥିବା ଖୋର୍ଦ୍ଧା ବୋଲଗଡ଼ ଚୁଡ଼ ଗ୍ରାମର ବିବେକାନନ୍ଦ ଦତ୍ତ ଓରଫ ବାବୁ, ନୂଆପଲ୍ଲୀ ଆଇଆରସି ଭିଲେଜ୍ର ସେକ୍ ଫରହାନ୍ କବୀର ଓ ପାଣ୍ଡରାରେ ରହୁଥିବା ବାଲେଶ୍ବର କମର୍ଦା ପୁଟିନାର ଆକାଶ ମହାପାତ୍ର। ଆଜି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ସହିତ ଜଣେ ନାବାଳକକୁ ଜୁଭେନାଇଲ ହୋମ୍ ପଠାଯାଇଛି। ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ ୧୪ ନାବାଳକ ଅଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ସହ ନାବାଳକମାନଙ୍କୁ ମଧ୍ୟ ଖୋଜା ଚାଲିଛି। ନାବାଳକକୁ ଆଜି କିଶୋର ନ୍ୟାୟ ବୋର୍ଡ(ଜେଜେବି)ରେ ଉପସ୍ଥାପନ କରାଯାଇଥିଲା। ଏହି ଅପରାଧରେ ସେ ନଥିବା ପ୍ରକାଶ କରିଥିଲା। ସାଙ୍ଗମାନେ ଡାକି ଦେଇଥିବାରୁ ସେ ଚାଲି ଆସିଥିଲା ବୋଲି ପ୍ରକାଶ କରିଥିଲା। ବୋର୍ଡର ଆଦେଶକ୍ରମେ ତାକୁ ଭୁଭେନାଇଲ ହୋମ୍ ପଠାଇ ଦିଆଯାଇଛି। କଟକ-ଭୁବନେଶ୍ବର ରାସ୍ତାରେ ଥିବା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସେ ଯୁକ୍ତ ଦୁଇ ଶେଷ ବର୍ଷରେ ପାଠ ପଢ଼େ। ଆସନ୍ତା ୩ ତାରିଖରେ ତା’ର ପରୀକ୍ଷା ରହିଛି।
ସୂଚନା ମୁତାବକ, ଗତ ଶନିବାର ଦିନ ୟୁନିଟ୍-୯ର ପି. ଆକାଶ ଦୋରାଙ୍କୁ ୧୫ରୁ ୨୦ ଜଣ ଆକ୍ରମଣ କରିଥିଲେ। ପୂର୍ବରୁ ସେ ପଢ଼ୁଥିବା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଓ ଅନ୍ୟ କେତେ ଜଣ ମିଶି ଯୋଜନାବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଆକାଶଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଧରି ପକାଇଥିଲେ। ତା’ ଠାରୁ ଅନ୍ୟମାନଙ୍କର ପରିଚୟ ମିଳିଥିଲା। ଅନ୍ୟ ସମସ୍ତଙ୍କୁ ଶୀଘ୍ର ଧରାଯିବ ବୋଲି ସହିଦନଗର ଥାନା ଆଇଆଇସି ବିରଞ୍ଚି ପତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/unit9-attack-case-Arrest.jpg)