ଚନ୍ଦ୍ରଶେଖରପୁର: ଫେବ୍ରୁ୍ଆରି ୨୨ରୁ ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଆରମ୍ଭ ହେବ। ଭୁବନେଶ୍ବର ଓ କଟକ ସହରରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୀଡ଼ା ପାଇଁ ବ୍ୟାପକ ପ୍ରସ୍ତୁ୍ତି କରାଯାଇଛି। ଖେଳାଳିଙ୍କ ଆସିବାଠାରୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସୁପରିଚାଳନା ନେଇ ସରକାରୀ ଅଧିକାରୀମାନେ ତତ୍ପରତା ପ୍ରକାଶ କରିଛନ୍ତି। ବିମାନବନ୍ଦରଠାରୁ କିଟ୍ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ଦିଗରେ ପଦକ୍ଷେପ ନିଆଯାଇଛି। ଦେଶର ୧୭୭ରୁ ଅଧିକ ବିଶ୍ୱବିଦ୍ୟାଳୟର ପାଖାପାଖି ୩ ହଜାର ଖେଳାଳି ଓ ଅଫିସିଆଲ୍ ଏଥିରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ଜାତୀୟସ୍ତରୀୟ କ୍ରୀଡ଼ାରେ ମୋଟ ୧୭ଟି ଇଭେଣ୍ଟ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ଆର୍ଚେରି, ଆଥଲେଟିକ୍ସ, ବକ୍ସିଂ, ଜୁଡୋ, ରେସଲିଂ, ଭଲିବଲ୍, ରଗ୍ବୀ, ହକି ଓ କବାଡ଼ି ପ୍ରଭୃତି କିଟ୍ ବିଶ୍ୱବିଦ୍ୟାଳୟର ପରିସରର ବିଭିନ୍ନ ଷ୍ଟାଡ଼ିୟମରେ ଖେଳାଯିବ। ଆଥଲେଟିକ୍ସର ପ୍ରମୁଖ ଇଭେଣ୍ଟ ଗୁଡ଼ିକ କଳିଙ୍ଗ ଷ୍ଟାଡ଼ିୟମରେ ହେବ। କଟକରେ ବ୍ୟାଡମିଣ୍ଟନ ଏବଂ ଟେବୁଲ ଟେନିସ୍ ଖେଳାଯିବ। କିଟ୍ ବିଶ୍ବବିଦ୍ୟାଳୟରେ ପ୍ରତିଯୋଗିତା ଆୟୋଜନ ନେଇ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ଏଭଳି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ଭାର କିଟ୍ ପାଇବା ଗର୍ବର ବିଷୟ। କ୍ରୀଡ଼ା ପ୍ରତି ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ଅଧିକ ଉତ୍ସାହ ଭରିବ। ଏହି ପ୍ରତିଯୋଗିତାରୁ ଦେଶର ଭବିଷ୍ୟତ କ୍ରୀଡ଼ାବିତ୍ମାନେ ବାହାରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଅନ୍ୟପକ୍ଷରେ ‘ଖେଲୋ ଇଣ୍ଡିଆ’କୁ ସଫଳ କରିବା ପାଇଁ ସବୁସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ବିମାନବନ୍ଦରଠାରୁ ଜୟଦେବ ବିହାର ଦେଇ କିଟ୍ ପର୍ଯ୍ୟନ୍ତ ରାସ୍ତାର ଡିଭାଇଡରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ସ୍ଥାନେ ସ୍ଥାନେ ବିଭିନ୍ନ ପ୍ରଜାତିର ଅର୍ଣ୍ଣାମେଣ୍ଟ ବୃକ୍ଷ ରୋପଣ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କ୍ରିଡ଼ାବିତ୍ଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ବାଲୁକା କଳା ପ୍ରଦର୍ଶନ ହୋଇଛି। କିଟ୍ ରାସ୍ତାପାର୍ଶ୍ବରେ ଖେଲୋ ଇଣ୍ଡିଆର ଲୋଗ ଥିବା ପୋଷ୍ଟର ଓ ହୋଡିଂ ଲଗାଯାଇଛି। ଗାଡିଗୁଡ଼ିକୁ ବି ବ୍ରାଣ୍ଡିଂ କରାଯାଇଛି। ଅଦରକାରୀ ସାମଗ୍ରୀ ବ୍ୟବହାର କରି ରାସ୍ତାପାର୍ଶ୍ବର ସୌନ୍ଦର୍ଯ୍ୟକରଣ ବଢ଼ାଯାଇଛି। ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍ରେ ଥିବା କାନ୍ଥ, ପାଚେରିରେ ଦେଶର ନାମକରା କ୍ରୀଡ଼ାବିତ୍ମାନଙ୍କ ପ୍ରତିଛବି ଅଙ୍କା ଯାଇଛି।
କିଟ୍ରେ ଆତିଥ୍ୟ
ଖେଳାଳିଙ୍କ ସ୍ବାସ୍ଥ୍ୟ, ଖାଦ୍ୟପେୟ, ସୁରକ୍ଷା ଦାୟିତ୍ବ କିଟ୍ ବିଶ୍ବବିଦ୍ୟାଳୟକୁ ଦିଆଯାଇଛି। ଏହି ବିଶ୍ବବିଦ୍ୟାଳୟରେ ଥିବା ବିଭିନ୍ନ ଅତିଥି ଭବନ, ଛାତ୍ରାବାସ, ଛାତ୍ରୀନିବାସରେ ଖେଳାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଟ୍ରାଫିକ୍ ପରିଚାଳନା ଓ ସୁରକ୍ଷା ଉପରେ ବି ବ୍ୟାପକ ଗୁରୁତ୍ବାରୋପ କରାଯାଇଛି। ଭୁବନେଶ୍ବର ଟ୍ରାଫିକ୍ ଡିସିପି ସାଗରୀକା ନାଥଙ୍କ ନେତୃତ୍ବରେ ଟ୍ରାଫିକ୍ ପରିଚାଳନା ହେବ। କିଟ୍ରେ ହେବାକୁ ଥିବା ପ୍ରତି ଖେଳ ପାଖରେ ପୁଲିସ ସହ କିଟ୍ର ସୁରକ୍ଷା କର୍ମୀମାନେ ନିୟୋଜିତ ରହିବେ। ଭୁବନେଶ୍ବର ଆରଟିଓ-୨ ସଞ୍ଜୟ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପରିବହନ ବ୍ୟବସ୍ଥା ପରିଚାଳିତ ହେବ। ଗାଡ଼ିଗୁଡ଼ିକ କିଭଳି ଓ କେଉଁଠି ପାର୍କିଂ ହେବ, ଦର୍ଶକମାନେ କେଉଁ ବାଟ ଦେଇ ଗ୍ୟାଲେରିକୁ ଯିବେ ସେନେଇ ବି ବ୍ୟବସ୍ଥା ହୋଇଛି।
ନିୟୋଜିତ ହେବ ୯୭ ବସ୍
ଖେଲୋ ଇଣ୍ଡିଆରେ ଭାବନେବାକୁଥିବା ଖେଳାଳି ଓ ଅଧିକାରୀଙ୍କ ଯିବା ଆସିବା ପାଇଁ ୨୦ଟି ‘ମୋ ବସ୍’ ସାମିଲ ହେବ। ଏଥିସହ କିଟ୍ର ୪୦ଟି ବସ୍, ଓଟିଡିସିର ୩୭ଟି ବସ୍ ଓ ୧୪୦ଟି କାର୍ ମଧ୍ୟ ନିୟୋଜିତ ହେବ। ଭାଗନେବାକୁ ଆସୁଥିବା ଖେଳାଳି ଓ ଅଧିକାରୀମାନଙ୍କୁ ଗାଡ଼ି ଚାଳକମାନେ କିଭଳି ବ୍ୟବହାର କରିବେ ସେନେଇ କିଟ୍ ବିଶ୍ବବିଦ୍ୟାଳୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ‘ଅତିଥି ଦେବୋ ଭବଃ’ ବାର୍ତାରେ ବାହାର ରାଜ୍ୟରୁ ଆସିଥିବା ଖେଳାଳିଙ୍କୁ ସ୍ବାଗତ କରିବାକୁ ସେମାନଙ୍କୁ କୁହାଯାଇଛି।