ଅସୁରକ୍ଷିତ ରାଜଧାନୀ
ଭୁବନେଶ୍ବର : ଅସୁରକ୍ଷିତ ହୋଇଗଲାଣି ରାଜଧାନୀ। ଆଜି ବାଲିଅନ୍ତା ଥାନା ଅଟଳାଗଡ଼ାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଗତ ସପ୍ତାହକ ମଧ୍ୟରେ ରାଜଧାନୀରେ ୩ଟି ହତ୍ୟାକାଣ୍ଡ ଘଟିଲାଣି। ପୁଲିସ ଦୁଇଟି ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଏକ ଘଟଣାରେ ଅଭିଯୁକ୍ତ ଫେରାର୍। ଯାହାକି ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ଅନ୍ୟପକ୍ଷରେ ରାଜଧାନୀରେ ଏପରି ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଆଜିର ଘଟଣାକୁ ମିଶାଇଲେ ୫ମାସ ମଧ୍ୟରେ ରାଜଧାନୀରେ ପାଖାପାଖି ୧୪ଟି ହତ୍ୟାକାଣ୍ଡ ଘଟିଲାଣି। ଏହି ହତ୍ୟାକାଣ୍ଡ ମଧ୍ୟରେ କେତୋଟି ଚର୍ଚିତ ହତ୍ୟାକାଣ୍ଡ ମଧ୍ୟ ରହିଛି। ଏହି ସବୁ ହତ୍ୟାକାଣ୍ଡ ଘଟଣାକୁ ନେଇ ଏକ ରିପୋର୍ଟ।
Sambad is now on WhatsApp
Join and get latest news updates delivered to you via WhatsApp
ଯୁବତୀଙ୍କୁ ଛୁରି ଭୁସି ହତ୍ୟା କଲେ ଯୁବତୀ
ଜାନୁଆରି ୨୦ ତାରିଖ। ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗୌରୀନଗର ଲେନ୍-୫ରେ ଭଡ଼ାରେ ରହୁଥିବା ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରି ଭୁସି ହତ୍ୟା କରିଥିଲେ। ମୃତ ଯୁବତୀଜଣକ ଥିଲେ ଅଳକାନନ୍ଦା ଦାସ। ତାଙ୍କୁ ହତ୍ୟା କରିଥିଲେ ଅନୀଷା ମିଶ୍ର ନାମକ ଜଣେ ଯୁବତୀ। ଦୁହେଁ ସେହି ଘରେ ଦୀର୍ଘ ଦିନ ଧରି ଭଡ଼ାରେ ରହୁଥିଲେ। ତେବେ କେଉଁ କାରଣରୁ ଅନୀଷା ଏଭଳି କାଣ୍ଡ ଭିଆଇଲେ, ତାହା ପୁଲିସ ଏଯାଏ ସ୍ପଷ୍ଟ କରି ପାରିନାହିଁ। ଯାହା ଶୁଣାଯାଇଥିଲା ଅଳକାନନ୍ଦାଙ୍କ ବିବାହ ସ୍ଥିର ହୋଇ ଯିବା ପରେ ଅନୀଷା ଅସନ୍ତୁଷ୍ଟ ଥିଲେ। ଶୋଇଥିବା ଅବସ୍ଥାରେ ଛୁରିରେ ସେ ଅଳକାନନ୍ଦାଙ୍କ ଗଳା କାଟି ଦେଇଥିଲେ। ବର୍ଷ ଆରମ୍ଭରୁ ଏଭଳି ଏକ ହତ୍ୟାକାଣ୍ଡ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଚର୍ଚାର ବିଷୟ ଥିଲା।
ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା
ମାର୍ଚ ୨୮ ତାରିଖ। ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ଅଧୀନରେ ଥିବା ଏକ ମାର୍ବଲ କମ୍ପାନିର ସିକ୍ୟୁରିଟି ଗାର୍ଡ ଗଦାଧର ସ୍ବାଇଁଙ୍କୁ ରୋଷେଇ ଘର ଭିତରେ କେହି ବୀଭତ୍ସ ଭାବେ ହତ୍ୟା କରିଥିଲା। ପୁଲିସ ତଦନ୍ତ ପରେ ଜଣାପଡ଼ିଥିଲା କି, ସୁରକ୍ଷା ପାଇଁ ରହିଥିବା ଗଦାଧରଙ୍କୁ ତାଙ୍କର ଜଣେ ଚିହ୍ନା ପରିଚିତ ବ୍ୟକ୍ତି ଦିବାକର ଭୁୟାଁ ଓରଫ ବାବୁନା ହିଁ ହତ୍ୟା କରିଥିଲା। ତେବେ ପୁଲିସ ଏହି ଘଟଣାକୁ ଏବେ ବି ଆତ୍ମହତ୍ୟାର ରୂପ ଦେଉଛି। ବାବୁନାକୁ ପୁଲିସ କୋର୍ଟଚାଲାଣ କରିଛି। କିନ୍ତୁ ହତ୍ୟା ଅଭିଯୋଗ ନୁହେଁ, ବରଂ ଗଦାଧରଙ୍କ ମୃତ୍ୟୁ ପାଇଁ ଦାୟୀ ଅଭିଯୋଗ କରି। ଗଦାଧରଙ୍କ ଏଭଳି ମୃତ୍ୟୁକୁ ତାଙ୍କ ପରିବାର ଲୋକ ଏବେ ବି ସହଜରେ ଗ୍ରହଣ କରି ପାରୁନାହାନ୍ତି।
ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ଦେଲା
ଏପ୍ରିଲ ୧୨ ତାରିଖ। ଜଟଣୀ ଥାନା ଅଧୀନରେ ଘଟିଥିଲା ଆଉ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଜଣେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିଲା ଜଣେ ନର ପିଶାଚ। ନାବାଳିକାଙ୍କ ବାପା ମା’ ଘରେ ନ ଥିବା ବେଳେ ଘଟିଥିଲା ଏଭଳି ଘଟଣା। ପଡ଼ିଶା ଘରର ଯୁବକ ଆନନ୍ଦ ପ୍ରଧାନ ଘଟାଇଥିଲା ଏଭଳି ଏକ ନାରକୀୟ କାଣ୍ଡ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ନିର୍ବାଚନ ସମୟ ଥିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ ଏକ ପ୍ରସଙ୍ଗ କରିଥିଲେ। ବିଜେପି ଓ କଂଗ୍ରେସ ପକ୍ଷରୁ ଜଟଣୀ ବନ୍ଦ ଡାକରା ଦିଆଯିବା ସହ ରାସ୍ତାରୋକ କରାଯାଇଥିଲା। କମିସନରେଟ୍ ପୁଲିସ ପକ୍ଷରୁ ଏହି ମାମଲାକୁ ରେଡ୍ ଫ୍ଲାଗ ମାମଲା ଭାବେ ମଧ୍ୟ ବିବେଚନା କରାଯାଉଛି ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଥିଲେ। ଖୁବ୍ ଶୀଘ୍ର ଏହି ମାମଲା ଚାର୍ଜସିଟ୍ ପୁଲିସ କୋର୍ଟରେ ଦାଖଲ କରିବା ସହ ମାମଲାର ଶୁଣାଣି ମଧ୍ୟ ଶୀଘ୍ର ଆରମ୍ଭ କରାଯିବ।
ଫନି ରାତିରେ ହତ୍ୟା
ମେ’ ୨ ତାରିଖ, ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଅଞ୍ଚଳରେ ଜଣେ ଠିକାଦାର ଅରୁଣ କୁମାର ଦାସଙ୍କୁ କେହି ଦୁର୍ବୃତ୍ତ ବେଲଚାରେ ପିଟିପିଟି ହତ୍ୟା କଲା। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଏଯାଏ ସ୍ପଷ୍ଟ ହୋଇ ପାରୁନି। ‘ଫନି’ ଆସିବାର ଗୋଟିଏ ଦିନ ପୂର୍ବରୁ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ପୁଲିସ ବାତ୍ୟା ନାଁରେ ତଦନ୍ତକୁ ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ଫଳରେ ହତ୍ୟାକାରୀ ଏହାର ଫାଇଦା ଉଠାଇ ଫେରାର ହୋଇ ଯିବାକୁ ସକ୍ଷମ ହୋଇଛି। ପୁଲିସ ସନ୍ଦେହରେ ଥିବା ଚିକୁର ମଧ୍ୟ ପତ୍ତା ମିଳୁନି। ଯାହାକୁ ନେଇ ଠିକାଦାର ଅରୁଣଙ୍କ ପରିବାର ଲୋକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଟାକଳ କର୍ମଚାରୀଙ୍କୁ ତଣ୍ଟି କାଟି ହତ୍ୟା
ଜୁନ ୧ ତାରିଖ। ନୂଆପଲ୍ଲୀ ଥାନା ଅଧୀନ ରେଣ୍ଟାଲ କଲୋନି ଅଟାକଳ କର୍ମଚାରୀ ଦିଲ୍ଲୀପ ସାହୁଙ୍କ ତଣ୍ଟି କାଟି ହତ୍ୟା। ପୁଲିସ ଏହି ଘଟଣାରେ ପ୍ରକାଶ ଜେନା ନାମକ ଜଣେ ଯୁବକକୁ ଗିରଫ କରିଛି। କିନ୍ତୁ ଏହି ଘଟଣାରେ ଜଣେ ଯୁବକ ସଂପୃକ୍ତ ଥିବା ବିଶ୍ବାସ ହେଉନାହିଁ। ପୁଲିସ ପ୍ରଥମେ କହୁଥିଲା, ପ୍ରକାଶ ଜଣେ ନାବାଳକ। ଜଣେ ନାବାଳକ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରି ହାତ ଗୋଡ଼ ବାନ୍ଧି ପେଟିରେ ଭର୍ତି କରି ଘୋଷାଡ଼ି ଘୋଷାଡ଼ି ନେଇ ଏକ ବୁଦାରେ ଫୋପାଡ଼ି ଦେଇଥିଲା। ଏଭଳି ଏକ ଘଟଣାକୁ ଦିଲ୍ଲୀପଙ୍କ ପରିବାରଲୋକ ମଧ୍ୟ ବିଶ୍ବାସ କରି ପାରୁନାହାନ୍ତି।
ସୁନାମି କ୍ଲବ୍ରେ ହତ୍ୟା
ଜୁନ ୨ ତାରିଖ। ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ସୁନାମି କ୍ଲବ। ସେଠାରେ ଆସାମାଜିକ ଯୁବକଙ୍କ ଆଡ଼ା ଜମିଥାଏ ବୋଲି ବସ୍ତିବାସିନ୍ଦାଙ୍କ ଅଭିଯୋଗ। ସଦସ୍ୟମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏହି କାରଣରୁ ରିଙ୍କୁ ସ୍ବାଇଁ ନାମକ ଜଣେ ଯୁବକଙ୍କ ଉପରକୁ କେତେକ ଯୁବକ ବୋମାମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାରେ ସନ୍ତୋଷ ରେଡ୍ଡୀ ଓ ବିକ୍ରମ ରେଡ୍ଡୀ ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ଆହୁରି ୫ରୁ ୭ଜଣ ଯୁବକ ସଂପୃକ୍ତ ଅଛନ୍ତି ବୋଲି ପୁଲିସ କହୁଛି। ସେମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ମୋବାଇଲ ଚୋରି ସନ୍ଦେହରେ ହତ୍ୟା
ଜୁନ ୧ ତାରିଖ। ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅଧୀନ ପଦାସାହି ଗାଁରେ ଘଟିଥିଲା ଏକ ହତ୍ୟାକାଣ୍ଡ। ମୋବାଇଲ ଚୋରି ସନ୍ଦେହ କରି ଦୀପକ ଭୋଇ ନାମକ ଜଣେ ଯୁବକଙ୍କୁ ଅଭିଯୁକ୍ତ ଆରତ ସାମଲ ଓରଫ ଯୋଗୀ ତଣ୍ଟି ଚିପି ଦେଇଥିଲା। ଦୀପକକୁ ପ୍ରଥମେ କଟକ ଓ ପରେ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଦୁଇ ଦିନ ତଳେ ଚିକିତ୍ସା ବେଳେ ଦୀପକର ମୃତ୍ୟୁ ଘଟିଛି। ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। କିନ୍ତୁ ଅଭିଯୁକ୍ତ ଯୋଗୀ ଏବେ ଫେରାର୍ ହୋଇଯିବାକୁ ସକ୍ଷମ ହୋଇଛି।