ଅସୁରକ୍ଷିତ ରାଜଧାନୀ : ରାଜନେତାଙ୍କୁ ପଥରରେ ଛେଚି ଚେନ୍‌ ଝାମ୍ପି ନେଲେ

ଭୁବନେଶ୍ୱର : ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। କ୍ରମାଗତ ଭାବରେ ବଢ଼ୁଥିବା ଅପରାଧ ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି। ରାତି ଅଧ କିମ୍ବା ନିରେଳାରେ ନୁହେଁ, ବରଂ ଜନଗହଳିପୂର୍ଣ୍ଣ ପ୍ରମୁଖ ଛକମାନଙ୍କରେ ଅପରାଧୀ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛି। ଆଜି ନୟାପଲ୍ଲୀ ଥାନା ଅଧୀନରେ ଘଟିଥିବା ଦୁଇଟି ଅଭାବନୀୟ ଘଟଣା କମିସନରେଟ୍‌ ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି।

୮ ନମ୍ବର କଲ୍ୟାଣ ମଣ୍ଡପ ନିକଟରେ ବାଲିକୁଦାର ଜଣେ ରାଜନେତା ଅନୀଲ କୁମାର ବେଉରାଙ୍କୁ ପଥରରେ ଛେଚି ୬ ଜଣ ଦୁର୍ବୃତ୍ତ ସୁନା ଚେନ୍‌ ଝାମ୍ପି ନେଇଥିବା ବେଳେ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍‌ ଉପରେ ଅଜରୁଲ ଖାନ୍‌ଙ୍କୁ ଲହୁଲୁହାଣ କରି ୪୦ ହଜାର ଛଡ଼ାଇ ନେଇଛନ୍ତି। ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ରାତି ସୁଦ୍ଧା ଅପରାଧୀଙ୍କ ଟେର ପାଇନି ପୁଲିସ।

କଟକ ସଦରର ଯୁବ ନେତା ବାଲିକୁଦାର ଅନୀଲ ବେଉରା ଆଜି କୌଣସି କାମରେ ସିଆର୍‌ପି ଛକ ଆସୁଥିଲେ। ଅପରାହ୍‌ଣ ସାଢ଼େ ଦୁଇଟା ବେଳେ ୮ ନମ୍ବର କଲ୍ୟାଣ ମଣ୍ଡପ ନିକଟରେ ତାଙ୍କ ଗାଡ଼ି (ସ୍କର୍ପିଓ)କୁ ୬ ଜଣ ଯୁବକ ଅଟକାଇଥିଲେ। ‘ଗାଡ଼ି କାହିଁକି ସାଇଡ୍‌ ମାରି ପଳେଇ ଆସିଲ’ ବୋଲି ସେମାନେ ଅନୀଲଙ୍କୁ ପଚାରିଥିଲେ। ଏଭଳି କିଛି ଘଟଣା ଘଟିଛି କି ନାହିଁ ଅନୀଲ ଭାବୁଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ଗାଡ଼ି ଭିତରୁ ଟାଣି ଆଣିଥିଲେ। ଆଉ ଦୁଇଜଣ ତାଙ୍କୁ ମାଡ଼ ମାରିବାକୁ ଲାଗିଥିଲେ। ଅନୀଲ ପ୍ରତିରୋଧ କରିବାରୁ ଅନ୍ୟ ଦୁଇଜଣ ଯୁବକ ରାସ୍ତାକଡ଼ରେ ପଡ଼ିଥିବା ଏକ ପଥର ଆଣି ଅନୀଲଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଫଳରେ ଅନୀଲଙ୍କ ମୁଣ୍ଡ ଫାଟି ଯାଇଥିଲା। ଅନୀଲ ତଳେ ପଡ଼ି ଯାଇଥିଲେ। ଏହାର ସୁଯୋଗରେ ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇ ପଳାଇଥିଲେ। ସେଠାରେ ଥିବା ଲୋକମାନେ ତାଙ୍କୁ ଉଠାଇ ମେଡିକାଲ ନେଇଥିଲେ। ‌ତେବେ ଘଟଣା ସୁନା ଚେନ୍‌ ଲୁଟିବା ପାଇଁ ନୁହେଁ, ବରଂ ରାଜନୈତିକ ଶତ୍ରୁତାରୁ ହୋଇଥିବା ସନ୍ଦେହ କରାଯାଉଛି। ରାଜନୈତିକ ଦୃଷ୍ଟିକୋଣରୁ ଏହାର ତଦନ୍ତ କରାଯିବ ବୋଲି ନୂଆପଲ୍ଲୀ ଥାନା ପୁଲିସ କହିଛି।

ମାଡ଼ମାରି ଛଡ଼ାଇ ନେଲେ ୩୦ ହଜାର

ଝାରପଡ଼ାର ନଜରୁଲ ଖାନ୍‌ ଜୟଦେବ ବିହାର ଛକରେ ଥିବା ଗୋଲ୍‌ଡେନ୍‌ ରେସ୍ତୋରାଁରେ ଫର୍ଣ୍ଣିଚର କାମ କରିଥିଲେ। ତାଙ୍କ ମଜୁରୀ ବାବଦକୁ ମାଲିକଙ୍କଠାରୁ ୩୦ହଜାର ଟଙ୍କା ପାଇବାକୁ ଥିଲା। ଦୀର୍ଘ ଦିନ ଦଉଡ଼ାଇବା ପରେ ମଧ୍ୟ ସେ ଟଙ୍କା ଦେଇନଥିଲେ। ବରଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ମାଡ଼ ମାରିଥିଲେ। ଏଥିରେ ବ୍ୟଥିତ ହୋଇ ସେ ନୂଆପଲ୍ଲୀ ଥାନାରେ ମାଲିକଙ୍କ ସମେତ ଅନ୍ୟ ତିନିଜଣ ସହଯୋଗୀଙ୍କ ନାମରେ ଏତଲା ଦେଇଥିଲା।  ପରେ ମାଲିକ ମାମଲାର ଆପୋସ ସମାଧାନ କରିବା ପାଇଁ ଡାକିଥିଲେ। ମାଲିକ ପଇସା ଫେରାଇ ଦେବେ ଓ ଅଜରୁଲ ଥାନାରୁ ଏତଲା ପ୍ରତ୍ୟାହୃତ କରିବେ ବୋଲି ନିଷ୍ପତ୍ତି ହେଲା। ଏଥିରେ ନୂଆପଲ୍ଲୀ ଥାନାର ଜଣେ କର୍ମଚାରୀ ମଧ୍ୟସ୍ଥତା କରିଥିଲେ। ଆଜି ମାଲିକ ୩୦ ହଜାର ଟଙ୍କା ଦେବା ପରେ ନଜରୁଲ ଥାନାରୁ ଏତଲା ପ୍ରତ୍ୟାହାର କରିବା ସହିତ ଏହାର ଆପୋସ ସମାଧାନ ହେଲା ବୋଲି ଲିଖିତ ଭାବେ ଥାନାରେ ଅବଗତ କରାଇଲେ। ଥାନାରୁ ବାହାରି ଛକକୁ ଆସିବା ପରେ କିଛି ଲୋକ ତାଙ୍କଠାରୁ ଟଙ୍କା ବ୍ୟାଗ୍‌କୁ ଛଡ଼ାଇ ନେବାକୁ ଉଦ୍ୟମ କଲେ। ଉଭୟଙ୍କ ମଧ୍ୟରେ ୧୫ ମିନିଟ୍‌ ଧରି ଧସ୍ତାଧସ୍ତି ହୋଇଥିଲା। ଶେଷରେ ସେମାନେ ନଜରୁଲଙ୍କୁ ମାଡ଼ ମାରି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ମାଡ଼ରେ ତାଙ୍କ ମୁଣ୍ଡ, ମୁହଁ ଓ ଗୋଡ଼ରେ ଆଘାତ ଲାଗିଥିଲା। ଅପରାହ୍‌ଣ ପ୍ରାୟ ୪ଟା ବେଳେ ଥାନା ଠାରୁ ୨ଶହ ମିଟର ଦୂରରେ ଘଟିଥିଲା ଏହି ଘଟଣା।

ଯୁବନେତାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଅଭିଯୁକ୍ତଙ୍କ ଟେର ପାଇନଥିବା ବେଳେ କାଠ ମିସ୍ତ୍ରିଙ୍କୁ ଆକ୍ରମଣ ଘଟଣାରେ ପୁଲିସ ସମ୍ପୃକ୍ତ ରେସ୍ତୋରାଁରେ ପହଞ୍ଚି ଛାନ୍‌ଭିନ୍‌ କରୁଛି।

ସମ୍ବନ୍ଧିତ ଖବର