ଅସୁରକ୍ଷିତ ରାଜଧାନୀ: ସିକ୍ୟୁରିଟି କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ଭୁବନେଶ୍ବର/ବାଲିଅନ୍ତା: ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ। ଜଣେ ସିକ୍ୟୁରିଟି ଗାର୍ଡଙ୍କ ତଣ୍ଟିରେ ଛୁରି ଭର୍ତି କରି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି, ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଭୁବନେଶ୍ବର-କଟକ ଜାତୀୟ ରାଜପଥ ପାହାଳ ବଜାର ୨୨ ତାଲା ନିକଟ ଜୟପୁର ମୌଜାରେ ଥିବା ଶାରଳା ମାର୍ବଲ୍ସ ଆଣ୍ଡ ଗ୍ରାନାଇଟ୍‌ ସୋରୁମ୍‌ ପରିସରରେ। ମୃତ ସିକ୍ୟୁରିଟି ଗାର୍ଡଜଣକ ହେଲେ, ଗଦାଧର ସ୍ବାଇଁ (୫୦)। ଘର କଟକ ସଦର ଥାନା ଅଧୀନ ଉଷୁମା ଗାଁରେ। ଖବର ପାଇ ପୁଲିସ ସାଇଣ୍ଟିଫିକ୍ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ପରିବା କଟା ଛୁରି (ରକ୍ତଲଗା), ଶାବଳ ଓ ମୃତ ଗଦାଧରଙ୍କ ମୋବାଇଲ ଜବତ କରିଛି। ମୃତଦେହର ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଅପରପକ୍ଷେ ଏହି ହତ୍ୟାକାଣ୍ଡକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମାଲିକଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ମୋଟର ଜାମ୍‌ ହୋଇଯାଇଥିଲା। ପରେ ଡିସିପି ଅନୁପ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ମୃତ ଗଦାଧରଙ୍କ ପୁଅ ପ୍ରଦୀପ କୁମାର ସ୍ବାଇଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାର୍ବଲ ସୋ’ରୁମ୍‌ର ଦୁଇ କର୍ମଚାରୀଙ୍କୁଅଟକ ରଖିଛି। ସେମାନେ ହେଲେ, ସେଲ୍ସମ୍ୟାନ୍‌ କଟକ ଜିଲ୍ଲା ସାଲେପୁର ଥାନା ମିର୍ଜାପୁର ଗ୍ରାମର ପ୍ରିୟବ୍ରତ ଭୂୟାଁ(୨୭) ଓ ଜଗତସିଂହପୁର ଜିଲ୍ଲା ଏରସମା ଥାନା ରଶଗଡ଼ାପୁର ଗ୍ରାମର ସୁଇପର୍‌ ବିଦୁର ମଲ୍ଲିକ। ମୃତ ଗଦାଧରଙ୍କ ପୁଅ ପ୍ରଦୀପଙ୍କ କହିବା ଅନୁଯାୟୀ, ବାପା ୩ ବର୍ଷ ହେବ ସେହି ମାର୍ବଲ ସୋ’ରୁମରେ ସିକ୍ୟୁରିଟି ଗା‌ର୍ଡ ଭାବେ କାମ କରୁଥିଲେ। ପ୍ରତ୍ୟେକ ଦିନ ତାଙ୍କର ରାତି ଡ୍ୟୁଟି ରହୁଥିଲା। ସକାଳ ୮ଟା ସୁଦ୍ଧା ସେ ଘରକୁ ଫେରି ଆସନ୍ତି। ଆଜି କିନ୍ତୁ ଡେରି ହେବାରୁ ତାଙ୍କ ମୋବାଇଲକୁ ଫୋନ୍ କରିଥିଲେ ମଧ୍ୟ ଫୋନ୍ ବାରମ୍ବାର ରିଙ୍ଗ୍ ହୋଇ କଟି ଯାଉଥିଲା। ଶେଷରେ ପ୍ରଦୀପ ତାଙ୍କ ସାଙ୍ଗ ସହ ସୋ’ରୁମରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ପଛପଟେ ଥିବା ରୋଷେଇ ଘରେ ଗଦାଧର ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଛନ୍ତି। ତାଙ୍କ ତଣ୍ଟି‌ରେ କ୍ଷତ ସୃଷ୍ଟି ହୋଇଛି। ତେବେ ସେତେ‌ବେଳେକୁ କେହି ମାର୍ବଲ ସୋ’ରୁମ୍‌ କର୍ମଚାରୀ ଘଟଣାସ୍ଥଳରେ ନ ଥିଲେ। ସୋ’ରୁମ୍‌ ମାଲିକଙ୍କ ମୋବାଇଲ୍ ଫୋନ ମଧ୍ୟ ବନ୍ଦ ରହିଛି। ପୁଲିସ ସୋ’ରୁମ୍‌ରେ ଲାଗିଥିବା ସିସି କ୍ୟାମେରା ଓ ଗଦାଧରଙ୍କ ମୋବାଇଲର କଲ ଡି‌ଟେଲ୍ସ ଯାଞ୍ଚ କରୁଛି। ଗତ ରାତିରେ ସେ କେଉଁଠିକୁ କଲ କରିଥିଲେ ବା ତାଙ୍କୁ ଅନ୍ୟ କେହି ଫୋନ୍ କଲ କରିଥିଲା, ତାହା ଜଣାପଡ଼ିବା ପରେ ଘଟଣା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ହତ୍ୟାକାଣ୍ଡର କିଛି ପ୍ରମାଣ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ। ଦୁଇ ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଅଫିସରୁ ରୋଷେଇଘର ପର୍ଯ୍ୟନ୍ତ ଲମ୍ବିଛି ରକ୍ତଧାର
ପାରିପାର୍ଶ୍ବିକ ପରିସ୍ଥିତିରୁ ଗଦାଧରଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ ହୋଇଛି। ଅଫିସ୍‌ ରୁମ୍‌ରୁ ରୋଷେଇ ଘର ପର୍ଯ୍ୟନ୍ତ ଲମ୍ବିଛି ରକ୍ତଧାର। ଅଫିସ ରୁମ୍‌ ଭିତରେ ରକ୍ତଭିଜା ପାଦ ଚିହ୍ନ ଥିବା ବେଳେ ହତ୍ୟାକାରୀଙ୍କ ସହ ଧସ୍ତାଧସ୍ତି ହୋଇଛି। ମୃତଦେହ ଚଟାଣରେ ଡାହାଣପଟ କଡ଼ ମାଡ଼ି ଡାହାଣ ହାତ ଉପରେ ବାମ ହାତ ଓ ଡାହାଣଗୋଡ଼ ଉପରେ ବାମଗୋଡ଼ ଛନ୍ଦି ହୋଇ ରହିଛି। ହାତ ପାଖରେ ପଡ଼ିଛି ତାଙ୍କର ମୋବାଇଲ ଓ ରକ୍ତଭିଜା ଛୁରି। ଜୀବନ ବଞ୍ଚାଇବା ପାଇଁ ଗଦାଧର ରୋଷେଇ ଘର ଭିତରୁ ପଶି ଯାଇଥିଲେ ହେଁ ହତ୍ୟାକାରୀମାନେ ତାଙ୍କୁ ଛାଡ଼ି ନଥିଲେ। ହତ୍ୟା ପଛରେ ଥିବା କାରଣ ଜଣାପଡ଼ି ନଥିବା ବେଳେ କର୍ମଚାରଙ୍କ ସହ ଗଣ୍ଡଗୋଳ, ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ଘଟଣା ପରେ ଉତ୍ତେଜନା ସିକ୍ୟୁରିଟି ଗା‌ର୍ଡ ଗଦାଧରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇ ସୋ’ରୁମ୍‌ ଘେରାଉ କରିଥିଲେ। ଏପରିକି କେତେକ ଲୋକ ସୋ’ରୁମ୍‌ ଭିତରକୁ ପଶି ପଶି ଟେକା , ପଥର ଫିଙ୍ଗି ଅଫିସ ଘର ଓ ଡିସ୍‌ପ୍ଲେ ରୁମ ଗ୍ଲାସ ଭାଙ୍ଗି ଦେବା ସହ ଏକାଧିକ ମାର୍ବଲ ଓ ଗ୍ରାନାଇଟ ଖଣ୍ଡ ଭାଙ୍ଗି ଦେଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ଗଦାଧରଙ୍କ ହତ୍ୟାକାରୀକୁ ଗିରଫ କରିବା ସହ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଆର୍ଥିକ ସହାୟତା ପ୍ରଦାନ ଦାବିରେ ଶତାଧିକ ଗ୍ରାମବାସୀ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୀର୍ଘ ୧ଘଣ୍ଟା ଧରି ଭୁନେଶ୍ବର-କଟକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର ଦୀର୍ଘ ସମୟ ଧରି ଅଟକି ରହିଥିଲା। ଘଟଣାରେ ମାର୍ବଲ ସୋ’ରୁମ୍‌ ମାଲିକଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ିବେ କହି ଗ୍ରାମବାସୀମାନେ ଗଣ୍ଡଗୋଳ କରିଥିଲେ। ରାସ୍ତାରୋକ ସମୟରେ କିଛି ବାଇକ୍‌ ଆରୋହୀ ଯିବାକୁ ଚେଷ୍ଟା କରିବାରୁ ସେମାନେ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ପୁଲିସ ଦଳ ସେମାନଙ୍କୁ ଅଟକାଇ ଦେଇଥିଲେ। ତେବେ ଉପସ୍ଥିତ ଥିବା ବରିଷ୍ଠ ପୁଲିସ ଅଧିକାରୀମାନେ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ବାବୁନା ଭାଇ ଫସାଇ ଦେଲା
ତଦନ୍ତ ବେଳେ ପୁଲିସକୁ ଗଦାଧରଙ୍କ ସିକ୍ୟୁରିଟି ସଂସ୍ଥାର ୟୁନିଫର୍ମ ପିନ୍ଧା ପକେଟରୁ ଏକ କାଗଜ ମିଳିଛି। ଯେଉଁଥିରେ ଲେଖା ଅଛି ବାବୁନା ଭାଇ ମତେ ଫସେଇ ଦେଲା । ଯାହାକି ସମଗ୍ର ହତ୍ୟାକାଣ୍ଡ ଘଟଣାକୁ ଅଧିକ ରହସ୍ୟାମୟ କରିଛି। ବାବୁନା ଭାଇ କିଏ? ସନ୍ଦିଗ୍ଧ ବୁବୁନାର ହତ୍ୟା ସହ ସଂପୃକ୍ତି କ’ଣ ? ବୁବୁନା ହତ୍ୟାକାରୀ ନା ପ୍ରକୃତ ହତ୍ୟାକାରୀମାନେ ହତ୍ୟାକାଣ୍ଡ ଭିଆଇ ପ୍ରମାଣ ନଷ୍ଟ କରିବା ପାଇଁ ଅଥବା ଗଦାଧରଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଷଡ଼ଯନ୍ତ୍ର ରଚିଛନ୍ତି, ତାହା ତଦନ୍ତସାପେକ୍ଷ। ପୁଲିସ କାଗଜରେ ଲେଖା ତଥ୍ୟକୁ ଭିତ୍ତି କରି ୫ଜଣ କର୍ମଚାରୀଙ୍କୁ ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ବଡ଼ ଜ୍ବାଇଁ ନରେନ୍ଦ୍ରଙ୍କ କହିବାନୁଯାୟୀ, କାଗଜରେ ଲେଖା ଅକ୍ଷର ତାଙ୍କ ଶ୍ବଶୁରଙ୍କର। ହତ୍ୟାକାରୀମାନେ ନିଜେ ଖସିଯିବା ପାଇଁ ବଳପୂର୍ବକ ଶ୍ବଶୁରଙ୍କଠୁ ଲେଖାଇ ନେଇଛନ୍ତି। ଘଟଣା ସଂପର୍କରେ ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଲୁଟପାଟ ମଧ୍ୟ ଗଦାକୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ସନ୍ଦେହ କରାଯାଇଛି।

ପୁଲିସକୁ ଅକଳରେ ପକାଇଛି ପାରିପାର୍ଶ୍ବିକ ସ୍ଥିତି
ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ବାରି ହୋଇ ପଡ଼ୁ୍‌ଥିଲେ ମଧ୍ୟ ପାରିପାର୍ଶ୍ବିକ ପରିସ୍ଥିତି ପୁଲିସକୁ ଅକଳରେ ପକାଇଛି। ଯେଉଁ ଘରେ ଗଦାଧରଙ୍କ ମୃତଦେହ ପଡ଼ିଥିଲା, ସେହି ଘର ଭିତର ପଟୁ ତାଲା ପଡ଼ିଥିଲା। ଛୁରି ମଧ୍ୟ ଗଦାଧରଙ୍କ ସାର୍ଟ ଭିତରୁ ମିଳିଲା। ଏହା ଛଡ଼ା ତାଙ୍କ ପକେଟରୁ ଏକ ଲଖିତ ଚିଠି ମିଳିଥିଲା, ଯେଉଁଥିରେ ବାବୁନା ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ ରହିଛି। ମୃତଦେହ ମୁଣ୍ଡ ଉପରେ ଏକ ଗାମୁଛା ଟଙ୍ଗା ହୋଇଥିଲା। ତେଣୁ ପୁଲିସ ଏହି ସବୁ ସ୍ଥିତିକୁ ନେଇ ହରଡ଼ ଘଣାରେ ପଡ଼ିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇ ଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିକାଣ୍ଡ ଘଟଣା, ଏଯାଏ ପୁଲିସ ହାତ ଖାଲି
ସହିଦନଗର ଥାନା ଅଧୀନ ଟଙ୍କପାଣି ରୋଡ୍‌ ଖଟାମିଠା ବିବାହ ମଣ୍ଡପର ସିକ୍ୟୁରିଟି ଗାର୍ଡ ଜ୍ଞାନ ରଂଜନ ମଲ୍ଲିକଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ଦୁଇ ସପ୍ତାହ ବିତି ଗଲାଣି। କିନ୍ତୁ ଏଯାଏ ପୁଲିସ ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇ ନାହିଁ। ଆଜି ଜଣେ ସିକ୍ୟୁରିଟି ଗାର୍ଡଙ୍କୁ କେହି ଗଳାକାଟି ହତ୍ୟା କଲା। ଦୁଇ ସପ୍ତାହ ମଧ୍ୟ ରାଜଧାନୀ ଉପକଣ୍ଠରେ ଏଭଳି ଦୁଇଟି ଘଟଣା ଘଟିବା ପରେ ଏବେ ସିକ୍ୟୁରିଟି ଗାର୍ଡମାନଙ୍କ ମନରେ ଛନକା ପଶି ଯାଇଛି। ସେମାନେ ରାଜଧାନୀ ଉପକଣ୍ଠ ବିଶେଷକରି ନିକାଞ୍ଚନ ସ୍ଥାନରେ କିଭଳି ରାତିରେ ଡ୍ୟୁଟି କରିବେ ତାକୁ ନେଇ ସେମାନେ ଚିନ୍ତିତ।

ସମ୍ବନ୍ଧିତ ଖବର