ଅବାଧରେ ବିକ୍ରି ହେଉଛି ଅସ୍ବାସ୍ଥ୍ୟକର ଖାଦ୍ୟ

ଷ୍ଟେସନ୍ ଓ ଧାରଣାସ୍ଥଳରେ ମାଳ ମାଳ ଉଠା ହୋଟେଲ, ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି

ଭୁବନେଶ୍ବର : ରାଜଧାନୀରେ ଅସ୍ବାସ୍ଥ୍ୟକର ପରିବେଶରେ ବିକ୍ରି ହେଉଛି ଖାଦ୍ୟ। ଷ୍ଟେସନ୍‌ଠାରୁ ଆରମ୍ଭ କରି ଧାରଣାସ୍ଥଳ ପର୍ଯ୍ୟନ୍ତ ଏହି ଖାଦ୍ୟ ବିକ୍ରି ଚାଲିଛି। ରାଜଧାନୀକୁ ଆସୁଥିବା ଶହ ଶହ ଲୋକ ଏହି ଖାଦ୍ୟ ଖାଉଛନ୍ତି। କିନ୍ତୁ କେଉଁ ପରିବେଶରେ ଏହି ଖାଦ୍ୟ ପ୍ରସ୍ତୁତ ହେଉଛି ତାହା ଯାଞ୍ଚ ହେଉନାହିଁ। ଅସ୍ବାସ୍ଥ୍ୟକର ପରିବେଶରେ ଖୁଲମଖୁଲା ଭାବେ ବିକ୍ରି ହେଉଥିବା ଏହି ଖାଦ୍ୟକୁ ନେଇ ଜଣେ ନାଗରିକ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ପୂର୍ବରୁ ବିଭିନ୍ନ ଗଣମାଧ୍ୟମଗୁଡ଼ିକରେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି ହେଉଥିବା ସଂପର୍କିତ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ସାଧାରଣ ନାଗରିକ ଏହାକୁ ନେଇ ପ୍ରଶ୍ନ ଉଠାଇବା ଘଟଣାକୁ ଅଧିକ ଚର୍ଚିତ କରିଛି। ତେବେ ଏହି ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ଖୁବଶୀଘ୍ର ଯାଞ୍ଚ ଆରମ୍ଭ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ରାଜଧାନୀରେ ପ୍ରମୁଖ ସ୍ଥାନଗୁଡ଼ିକରେ ମାଳ ମାଳ କୁଡ଼ିଆ ହୋଟେଲଠାରୁ ଆରମ୍ଭ କରି ଉଠା ହୋଟେଲ ଚାଲୁଛି। ବିଶେଷକରି ଷ୍ଟେସନ୍‌ ନିକଟବର୍ତୀ ଅଞ୍ଚଳ ଓ ବିଧାନସଭା ଆରମ୍ଭ ହେଲେ ଧାରଣାସ୍ଥଳୀ ନିକଟରେ ଏହି ହୋଟେଲଗୁଡ଼ିକ ଖାଦ୍ୟ ବିକ୍ରି କରୁଛନ୍ତି। ବିଧାନସଭା ଆରମ୍ଭ ହେବା ପରେ ବିକ୍ଷୋଭ ଓ ଧାରଣା ପାଇଁ ଆସୁଥିବା ଲୋକମାନ ଏହି ହୋଟେଲ୍‌ଗୁଡ଼ିକ ଉପରେ ନିର୍ଭର କରୁଛନ୍ତି। ଷ୍ଟେସନ୍‌ ଓ ଧାରଣାସ୍ଥଳୀ ନିକଟରେ ଚଢ଼ା ଦରରେ ଏହି ହୋଟେଲଗୁଡ଼ିକ ଖାଦ୍ୟ ବିକ୍ରି କରୁଥିବା ବେଳେ ଏଥିପାଇଁ ସ୍ବଚ୍ଛତା ଅବଲମ୍ବନ କରୁ ନାହାନ୍ତି। ଏସବୁ ଦୋକାନଗୁଡ଼ିକର ମଧ୍ୟ ଖାଦ୍ୟ ସୁରକ୍ଷା ଲାଇସେନ୍‌ସ ନାହିଁ। ସେମାନଙ୍କ ଖାଦ୍ୟର ମାନ ଯାଞ୍ଚ ହେଉନାହିଁ। ରାଜ୍ୟରେ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ଯାଞ୍ଚ ପାଇଁ ଖୋର୍ଧା ଜିଲ୍ଲା ପାଇଁ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ ରହିଛନ୍ତି। ରାଜଧାନୀ ସମେତ ଖୋର୍ଧା ଜିଲ୍ଲାର ଦାୟିତ୍ବ ତାଙ୍କୁ ଦିଆଯାଇଛି। ଯାହାଫଳରେ ରାଜଧାନୀରେ ଗଢ଼ି ଉଠିଥିବା ଶହ ଶହ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ନିୟମିତ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଅପରପକ୍ଷରେ ଖାଦ୍ୟ ପଦାର୍ଥଗୁଡ଼ିକୁ ଘଟଣାସ୍ଥଳରେ ଯାଞ୍ଚ କରିବା ପାଇଁ ‘ଫୁଡ୍ ସେଫ୍‌ଟି ଅନ ହ୍ବିଲ୍‌ସ’ ଗାଡ଼ି ରହିଛି। ଏଫ୍ଏସ୍‌ଏସ୍‌ଏଆଇ ପକ୍ଷରୁ ଏହି ଗାଡ଼ି ଯୋଗାଇ ଦିଆଯାଇଛି। ତେବେ ସମଗ୍ର ରାଜ୍ୟ ପାଇଁ ଏହି ଗାଡ଼ି ଉଦ୍ଦିଷ୍ଟ ଥିବା ବେଳେ ରାଜଧାନୀରେ ବହୁତ କମ୍ ସମୟ ଖାଦ୍ୟ ପଦାର୍ଥଗୁଡ଼ିକର ଯାଞ୍ଚ କରୁଛି।

ଖାରବେଳନଗର ଅଞ୍ଚଳର ତରୁଣ କୁମାର ଭୋଇ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଷ୍ଟେସନ୍ ନିକଟରେ ବେଆଇନ ଭାବେ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଛି। ବିନା ଅନୁମତିରେ ଏସବୁ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ଖାଦ୍ୟ ବିକ୍ରି କରୁଛନ୍ତି। ରାଜ୍ୟ ସରକାର ନିକଟରେ ହକି ବିଶ୍ବକପ୍‌କୁ ସଫଳତାର ସହିତ ଶେଷ କରିଥିବା ବେଳେ ଏସବୁ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ରାଜଧାନୀର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ନଗର ସ୍ବାସ୍ଥ୍ୟ ଅଧିକାରୀ ଡା.ରାମଚନ୍ଦ୍ର ରାଉତ କହିଛନ୍ତି, ତାଙ୍କ ନିକଟକୁ ମଧ୍ୟ ଏଭଳି ଚିଠି ଆସିଛି। ଆସନ୍ତା ସପ୍ତାହକ ମଧ୍ୟରେ ସେସବୁ ସ୍ଥାନଗୁଡ଼ିକରେ ଥିବା ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ଖାଦ୍ୟ ଯାଞ୍ଚ କରାଯିବ। ଏପରିକି ଷ୍ଟେସନ୍ ଓ ଧାରଣାସ୍ଥଳକୁ ଫୁଡ୍ ସେଫ୍‌ଟି ଅନ୍ ହ୍ବିଲ୍‌ସକୁ ସେଠାକୁ ପଠାଯାଇ ଖାଦ୍ୟ ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ଖାଦ୍ୟ ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯିବ। ରାଜଧାନୀ ସମେତ ଖୋର୍ଧା ଜିଲ୍ଲା ପାଇଁ ଜଣେ ମାତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ ରହିଛନ୍ତି। ତାଙ୍କ ଉପରେ ପ୍ରବଳ ଚାପ ରହୁଛି ବୋଲି ଡା.ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର