ନାଲ୍‌କୋରେ ଉତ୍କଳ ଦିବସ: ପୁଲ୍‌ୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଚନ୍ଦ୍ରଶେଖରପୁର: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଶାର ବୀରପୁତ୍ରମାନେ ସମଗ୍ର ରାଜ୍ୟ ଏବଂ ଆମ ସମସ୍ତଙ୍କ ପାଇଁ ଗୌରବ। ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ୍ ସଂସ୍ଥା ଭାବେ ନାଲ୍‌କୋ ସେହି ବୀର ସହିଦଙ୍କ ତ୍ୟାଗକୁ ପ୍ରଣାମ କରୁଛି। ସେମାନଙ୍କ ପରିବାରବର୍ଗ ସାଙ୍ଗରେ ସର୍ବଦା ରହିଛି ବୋଲି ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଛନ୍ତି। ଉତ୍କଳ ଦିବସ ଅବସରରେ ନାଲ୍‌କୋ ପକ୍ଷରୁ ଆୟୋଜିତ ଉତ୍ସବରେ ପୁଲ୍‌ୱାମା ଆକ୍ରମଣରେ ପ୍ରାଣ ହରାଇଥିବା ସହିଦ ମନୋଜ କୁମାର ବେହେରା ଏବଂ ସହିଦ ପ୍ରସନ୍ନ କୁମାର ସାହୁଙ୍କ ପରିବାରବର୍ଗଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଡ. ଚାନ୍ଦ ୨୦୧୮-୧୯ରେ ନାଲ୍‌କୋର ଉତ୍ପାଦନ, ଉତ୍ପାଦକତା, ଆର୍ଥିକ ଲାଭ ଓ କର୍ମଚାରୀ ନିୟୋଜନ ଆଦି କ୍ଷେତ୍ରରେ ମିଳିଥିବା‌ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସଫଳତା ଅର୍ଜନ କରିଥିବା ନାଲ୍‌କୋ କର୍ମଚାରୀଙ୍କ ସନ୍ତାନ ଦେବୀଦତ୍ତ ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ସବ ଅବସରରେ ନାଲ୍‌କୋର ନୂତନ ୱେବସାଇଟ୍‌କୁ ଲୋକାର୍ପଣ କରାଯିବା ସହ ନାଲ୍‌କୋ ମହିଳା ସମିତିର ତ୍ରୈମାସିକ ପତ୍ରିକା ‘ସଙ୍ଗିନୀ’ର ନୂତନ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ନାଲ୍‌କୋର ନିର୍ଦ୍ଦେଶକ (ଉତ୍ପାଦନ) ଭି. ବାଲସୁବ୍ରମଣ୍ୟମ, ନିର୍ଦ୍ଦେଶକ (ମାନବସମ୍ବଳ ଓ ପ୍ରଶାସନ) ବସନ୍ତ କୁମାର ଠାକୁର, ନିର୍ଦ୍ଦେଶକ (ପି ଆଣ୍ଡ୍ ଟି) ସଞ୍ଜୀବ ରାୟ, ନିର୍ଦ୍ଦେଶକ (ବାଣିଜ୍ୟ) ପ୍ରଦୀପ କୁମାର ମିଶ୍ର, ନିର୍ଦ୍ଦେଶକ (ଅର୍ଥ) ଶ୍ରୀଧର ପାତ୍ର, ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ଡ. ପ୍ରୀତି ରାୟ ଚାନ୍ଦ, କମ୍ପାନିର ବରିଷ୍ଠ ଅଧିକାରୀବୃନ୍ଦ ଏବଂ ୟୁନିଅନ୍‌ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର