ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ, ସେବା-ଶୃଙ୍ଖଳା-ଆଚରଣରେ ପର୍ଯ୍ୟଟକଙ୍କ ହୃଦୟ ଜିତ

ଭୁବନେଶ୍ବର: ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କୃଷି ଓ ଶିଳ୍ପ ପରେ ପର୍ଯ୍ୟଟନ ହିଁ ଓଡ଼ିଶାର ବିକାଶ ପାଇଁ ସହାୟକ ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କର ଏ ଦିଗରେ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟତଃ ସେବା-ଶୃଙ୍ଖଳା ଓ ଆଚରଣ ଦ୍ବାରା ପର୍ଯ୍ୟଟକଙ୍କ ହୃଦୟ ଜିତିବା ସହ ସେମାନଙ୍କୁ ଓଡ଼ିଶା ବାରମ୍ବାର ଆସିବାକୁ ବାଧ୍ୟ କରିବାକୁ ସୁଯୋଗ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ।

ପୂର୍ବତନ ସାଂସଦ ତଥା ଆଇଏନ୍‌ଟିୟୁସିର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ କର୍ମଚାରୀଙ୍କୁ ସବୁ ପ୍ରକାରର ପରାମର୍ଶ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ ଓ କିଶୋର ଜେନା ମଧ୍ୟ ବକ୍ତବ୍ୟ ରଖିଥିଲେ। ସଂଘର ସଭାପତି ଶିବାନନ୍ଦ ରାୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର ଓଟିଡିସି କର୍ମଚାରୀ ସଂଘକୁ ସୁଦୃଢ଼ କରିବା ଏବଂ ସାମୂହିକ କଲ୍ୟାଣ କାର୍ଯ୍ୟ ସମ୍ପାଦନ ବାବଦରେ ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ସଂଘର ବହୁ ସଦସ୍ୟ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର