ରାଷ୍ଟ୍ରପତିଙ୍କ ଅପେକ୍ଷାରେ ବାଣୀବିହାର

‌ରେଭେନ୍ସାରୁ ଜନ୍ମ, ୭୫ ବର୍ଷର ଯାତ୍ରା, ଆଗରୁ ଆସି ସାରିଛନ୍ତି ୩ ରାଷ୍ଟ୍ରପତି, ସଜେଇ ହୋଇଛି କ୍ୟାମ୍ପସ, ଉତ୍ସାହିତ ଛାତ୍ରଛାତ୍ରୀ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଡ. ରାମନାଥ କୋବିନ୍ଦ। ଦେଶର ୪ର୍ଥ ରାଷ୍ଟ୍ରପତି ଭାବେ ଡ. କୋବିନ୍ଦ ଓଡ଼ିଶାର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପାଦ ଥାପିବାକୁ ଯାଉଛନ୍ତି। ଏଥିପାଇଁ କ୍ୟାମ୍ପସ୍‌କୁ ସାଧବ ବୋହୂ ପରି ସଜା ଯାଇଛି। ପ୍ରବେଶ ପଥଠାରୁ ପାଠାଗାର ହେଉ ଅଥବା ପୁରାତନ ବିଲଡିଂରୁ କ୍ରୀଡ଼ାଙ୍ଗନା, ସବୁଠି ‌ସୃଷ୍ଟି ହୋଇଛି ନିଆରା ପରିବେଶ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ଭରି ଯାଇଛି। ଦେଶର ପ୍ରଥମ ନାଗରିକଙ୍କ ଭାଷଣ ଶୁଣିବା ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଫେସର୍‌, ପୁରାତନ ଛାତ୍ରଛାତ୍ରୀ ବି ସେହି ମୂହୁର୍ତ୍ତକୁ ଅପେକ୍ଷା କରି ରହିଛନ୍ତି। ରାଷ୍ଟ୍ରପତି ଡ. କୋବିନ୍ଦଙ୍କ ପୂର୍ବରୁ ଆଉ ୩ଜଣ ରାଷ୍ଟ୍ରପତି ଏହି କ୍ୟାମ୍ପସ୍‌କୁ ଆସି ସାରିଛନ୍ତି।

୧୯୪୩ ମସିହା ଜୁନ୍‌ ୩୦ରେ ଓଡ଼ିଶା‌ ବିଧାନସଭାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହିବର୍ଷ ଅଗଷ୍ଟ ୨ରେ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍‌ଘାଟନ କରାଯିବା ସହ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ବୋଲି ନାମକରଣ କରାଯାଇଥିଲା। ୧୯୪୩ ନଭେମ୍ବର ୨୭ରେ ରେଭେନ୍ସା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ୧୯୫୭ରେ ସ୍ଥାନାଭାବ ଓ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଆଖି ଆଗରେ ରଖି ବିଶ୍ୱବିଦ୍ୟାଳୟକୁ ଭୁବନେଶ୍ୱରରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ସମସ୍ତ ପ୍ରକ୍ରିୟା ସରିବା ପରେ ୧୯୫୮ ଜାନୁଆରି ପହିଲାରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଏଠାକୁ ଆସିଥିଲେ। ପ୍ରଥମେ ଏହି କ୍ୟାମ୍ପସର ନାମକରଣ ‘ବିଦ୍ୟାନଗର’ ବୋଲି ରଖାଯାଇଥିଲା। ‌ପରବର୍ତ୍ତୀ ସମୟରେ ‘ବାଣୀବିହାର’ ନାମରେ ନାମିତ ହୋଇଥିଲା। ୫ବର୍ଷ ମଧ୍ୟରେ କ୍ୟାମ୍ପସ ଚୂଡ଼ାନ୍ତ ରୂପ ନେଇଥିଲା। ଆଉ ୧୯୬୩ ମସିହା ଜାନୁଆରି ୨ରେ ତତ୍କାଳୀନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦ୍‌ଘାଟନ କରିଥିଲେ। ଡ. ରାଧାକ୍ରିଷ୍ଣନ୍‌ଙ୍କ ପରେ ଦୀର୍ଘ ୫୦ ବର୍ଷ ଧରି ଆଉ କୌଣସି ରାଷ୍ଟ୍ରପତିଙ୍କ ପାଦ ଏଠାରେ ପଡ଼ି ନଥିଲା। ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୩ ଏପ୍ରିଲ ୨୫ରେ ବିଶ୍ବବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେବା ପାଇଁ ତତ୍କାଳୀନ ରାଷ୍ଟ୍ରପତି ଡ. ପ୍ରଣବ ମୁଖାର୍ଜୀ ଏହି କ୍ୟାମ୍ପସକୁ ଆସି ଛାତ୍ରଛାତ୍ରୀଙ୍କୁ ସମ୍ବୋ‌ଧିତ କରିଥିଲେ।

ବିଶ୍ବବିଦ୍ୟାଳୟର ପ୍ରଥମ

କୁଳପତି: ପ୍ରଫେସର ପ୍ରାଣକୃଷ୍ଣ ପରିଜା
କୁଳସଚିବ: ଭି ଭି ଜନ୍‌
ପିଜି କାଉନସିଲ୍‌ ଅଧ୍ୟକ୍ଷ: ପ୍ରଫେସର ବିଦ୍ୟାଧର ମିଶ୍ର
ପିଜି ବିଭାଗ: ଭୂତତ୍ତ୍ବ ବିଭାଗ
ଭୁବନେଶ୍ବରରେ ପ୍ରଥମ ବିଭାଗ: ନୃତତ୍ତ୍ବ ବିଜ୍ଞାନ
ଛାତ୍ରାବାସ: ଗୋପବନ୍ଧୁ ଛାତ୍ରାବାସ
ଛାତ୍ରୀନିବାସ: କୁନ୍ତଳା କୁମାର ଛାତ୍ରୀନିବାସ
କ୍ୟାଣ୍ଟିନ୍‌: ଉଦୟ କ୍ୟାଣ୍ଟିନ୍‌
ବିଲଡିଂ: ପୁରୁଣା ଆର୍ଟସ୍‌ ବ୍ଲକ
ଅଧୀନ କଲେଜ: ମଧୁସୂଦନ ଲ’ କଲେଜ
ମନ୍ଦିର: ତାଳପଦେଶ୍ବରୀ ମନ୍ଦିର
ଅଧୀନ ଇଞ୍ଜିନିୟରିଂ କଲେଜ: ୟୁନିଭରସିଟି ଇଞ୍ଜିନିୟରିଂ କଲେଜ, ବୁର୍ଲା
ଗବେଷଣା କେନ୍ଦ୍ର: ଗ୍ରାମୀଣ ଅର୍ଥନୀତି ଓ ସମାଜତତ୍ତ୍ବ କେନ୍ଦ୍ର

ସମୀକ୍ଷା କଲେ ଦୁଇ ମନ୍ତ୍ରୀ
ରାଷ୍ଟ୍ରପତି ଡ. କୋବିନ୍ଦାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟର ଦୁଇ ପୁରାତନ ଛାତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ମଧ୍ୟାହ୍ନରେ ଉଭୟ ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନରେ ପହଞ୍ଚି ମଞ୍ଚକୁ ଯାଞ୍ଚ କରିଥିଲେ। କିଏ, କେଉଁଠି ବସିବେ, କେମିତି ବ୍ୟବସ୍ଥା କରାଯାଇଛି, ତାହାର ଅନୁଧ୍ୟାନ କରିଥିଲେ। ରାଷ୍ଟ୍ରପତିଙ୍କ ଗ୍ରିନ୍‌ ରୁମ୍‌କୁ ବି ଉଭୟ ବୁଲି ଦେଖିଥିଲେ। ଏଥିସହ ବିଶ୍ବବିଦ୍ୟାଳୟ ପ୍ରଫେସର୍‌, ଛାତ୍ରନେତା, ପୁରାତନ ଛାତ୍ରମାନଙ୍କ ସହ ମଧ୍ୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଦୁଇ ମନ୍ତ୍ରୀଙ୍କ ଆସିବା ପୂର୍ବରୁ ଭୁବନେଶ୍ବର ଡିସିପି ଅନୁପ ସାହୁ, ସହିଦନଗର ଥାନା ଅଧିକାରୀ ବିରଞ୍ଚି ପତି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।

ଷ୍ଟାଡିୟମ ଭିତରକୁ ଯିବା ପାଇଁ ଦୁଇଟି ଗେଟ୍‌ କରାଯାଇଛି। ମୁଖ୍ୟ ଗେଟ୍‌ରେ ରାଷ୍ଟ୍ରପତିଙ୍କ ସମେତ ମଞ୍ଚାସୀନ ହେବାକୁ ଥିବା ଅତିଥିମାନଙ୍କ ଗାଡ଼ି ଯିବ। ଆଉ କାହାକୁ ବି ଛଡ଼ାଯିବ ନାହିଁ। ଅନ୍ୟ ଗେଟ୍‌ରେ ମଞ୍ଚ ତଳେ ବସିବାକୁ ଥିବା ଅତିଥିମାନଙ୍କ ଯିବା ଲାଗି ବ୍ୟବସ୍ଥା କରାଯାଇଛି। ଯାଞ୍ଚ ପାଇଁ ୬ରୁ ଅଧିକ ମେଟାଲ ଡିଟେକ୍ଟର ଲଗାଯାଇଛି। ମଞ୍ଚରେ ୪ ହଜାର ୨୫୦ ଲୋକ ବସିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରଥମ ତିନି ଧାଡ଼ିରେ ୨୫୦ ଲୋକଙ୍କ ବସିବା ଲାଗି ସୋଫା ପଡ଼ିଥିବା ବେଳେ କଭର୍‌ ହୋଇଥିବା ହଜାରେ ଚେୟାର ଓ ୩ ହଜାର ଲୋକଙ୍କ ଲାଗି ନାଲି ପ୍ଲାଷ୍ଟିକ୍‌ ଚେୟାର ପଡ଼ିଛି। ଉତ୍ସବରେ ଭାଗ ନେବା ପାଇଁ ଦୁଇ ହଜାର ଛାତ୍ରଛାତ୍ରୀ, ୫୦୦ ଶିକ୍ଷକ ଓ କର୍ମଚାରୀ, ୫୦୦ ଜଣ ବିଶିଷ୍ଟ ବ୍ୟକ୍ତି, ୨୫୦ ସରକାରୀ ଅଧିକାରୀ ଓ ୫୦୦ ଆଲୁମିନି(ପ୍ରତି ବିଭାଗରୁ ୨୦ଜଣ ଲେଖାଏ)ଙ୍କୁ ଡକାଯାଇଛି। ତେବେ ଅନେକ ଛାତ୍ରଛାତ୍ରୀ ପାସ୍‌ ପାଇ ନଥିବାରୁ ରାତିରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ପରିଜା ପାଠାଗାର
୧୯୪୬ରେ ରେଭେନ୍ସା ମହାବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଚାଲିଥିବା ବେଳେ ପ୍ରତିଷ୍ଠା ହୋଇଥିଲା ଏହି ପାଠାଗାର। ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ତଥା ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର୍‌ଙ୍କ ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତିରେ ଏହାର ନାମକରଣ ପରିଜା ପାଠାଗାର କରାଯାଇଥିଲା। ୧୯୬୨ରେ ଏହି ପାଠାଗାର କଟକରୁ ଭୁବନେଶ୍ବରର ବର୍ତମାନ କ୍ୟାମ୍ପସକୁ ସ୍ଥାନାନ୍ତର ହେବା ସହ ରାଜ୍ୟର ଅନ୍ୟତମ ପ୍ରମୁଖ ପାଠାଗାର ମଧ୍ୟରେ ସ୍ଥାନ ପାଇଛି। ୧୯୮୦ ମସିହାରେ ଏହାର ସମ୍ପ୍ରସାରଣ କରାଯିବା ସହ କଳେବଳ ବୃଦ୍ଧି କରାଯାଇଥିଲା। ଏହି ପାଠାଗାରରେ ଦୁଇ ଲକ୍ଷ ପୁସ୍ତକ ରହିଥିବା ବେଳେ ୫୮୦୦ରୁ ଅଧିକ ବିରଳ ପଣ୍ଡୁଲିପି ରହିଛି। ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ଟି ବିଭାଗୀୟ ପାଠାଗାର ରହିଛି। ଅଲଗା ଅଲଗା ପଢ଼ା ଘର, ଗବେଷଣା ମଣ୍ଡଳ ଶତାଧିକ ପଢ଼ାଘର ରହିଛି। ଦୀର୍ଘ ୭୩ ବର୍ଷ ହେଲା ଏହି ପାଠାଗାର ମାଧ୍ୟମରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହୋଇଛନ୍ତି।

ଯୋଗଦେବେ ଦେଶର ପ୍ରଥମ ମହିଳା
ରାଷ୍ଟ୍ରପତି ଡ. କୋବିନ୍ଦଙ୍କ ସହଧର୍ମିଣୀ ତଥା ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ବି ଉତ୍ସବସ୍ଥଳରେ ଉପସ୍ଥିତ ରହିବେ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି। ତାଙ୍କ କହିବାନୁଯାୟୀ ରବିବାର ବିଶ୍ବବିଦ୍ୟାଳୟ ପାଇଁ ଗୌରବର ଦିନ। ରାଷ୍ଟ୍ରପତିଙ୍କ ସମେତ ତାଙ୍କ ସହଧର୍ମିଣୀ ବି ଆସିବେ। ଏଥିସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେବେ।

କାମ ଅଧାରେ ପଡ଼ିବ ଭିତ୍ତିପ୍ରସ୍ତର
ପ୍ଲାଟିନମ୍‌ ଜୁବୁଲି ଉତ୍ସବ ଅବସରରେ ରାଷ୍ଟ୍ରପତି ଡ. କୋବିନ୍ଦ ‘ରୁସା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତେବେ ଏହି ଭବନର କାମ ଇତିମଧ୍ୟରେ ୫ ମାସ ହେଲା ଚାଲିଲାଣି। କିଛି କାମ ମଧ୍ୟ ଶେଷ ହେଲାଣି। ତା’ ପ‌ରେ ବି ରାଷ୍ଟ୍ରପତିଙ୍କ କରକମଳରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ପଟେ ରୁସା ଭବନର ନାମକରଣକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ଅନ୍ୟପଟେ ଅଧା କାମକୁ ରାଷ୍ଟ୍ରପତିଙ୍କ ହାତରେ ଭିତ୍ତି ପକାଇବାକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର