ଉତ୍କଳ ବିଶ୍ୱବିଦ୍ୟାଳୟରୁ ୪୦ ଏକର ଜମି ଗାଏବ ଘଟଣା : କାହା ଚାପରେ ପ୍ରଶାସନ?
ହଷ୍ଟେଲ ଆଗକୁ ମାଡ଼ି ଆସିଲେଣି ଜବରଦଖଲକାରୀ, ସବୁ ଜାଣି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ନିରବ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ୩୯୮.୯୮ ଏକର ଜମି ମଧ୍ୟରୁ ୪୦ ଏକର ଗାଏବ୍ ହୋଇଗଲାଣି। ଏନେଇ ହାଇକୋର୍ଟରେ ବି ଜନସ୍ୱାର୍ଥ ମାମଲା ହୋଇଛି। ତଥାପି କାହାର ନିଦ ଭାଙ୍ଗୁନି। ବିଶ୍ୱବିଦ୍ୟାଳୟ ଜମି ଫେରାଇ ଆଣିବା ଦିଗରେ ପ୍ରଶାସନିକ ଅଧିକାରୀ ଚୁପ୍ ବସିଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି। ପଦୁଟିଏ ବି ମୁହଁ ଖୋଲୁନାହାନ୍ତି। ଦୀର୍ଘବର୍ଷ ହେଲା ସମସ୍ତେ ଚୁପ୍ ହୋଇ ଯାଇଥିବାରୁ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ଧୀରେ ଧୀରେ ବଢ଼ିବାରେ ଲାଗିଛି। ସବୁ ସୀମା ଲଙ୍ଘି ବିଶ୍ୱବିଦ୍ୟାଳୟ ହଷ୍ଟେଲକୁ ବି ମାଡ଼ି ବସିଲେଣି। ଛାତ୍ରାବାସ ୧ ଓ ୨ ପାର୍ଶ୍ୱରେ ଥିବା ଖାଲି ଜମିକୁ ଜବରଦଖଲକାରୀ ମାଡ଼ି ବସିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଆଉ ଏକ ତଥ୍ୟ ପଦାକୁ ଆସିଛି। ୪୦ ଏକର ଜମି ମଧ୍ୟରୁ ବିଶ୍ୱବିଦ୍ୟାଳୟର କିଛି ପୂର୍ବତନ କର୍ମଚାରୀ ବି ଜମି ମାଡ଼ି ବସିଛନ୍ତି। ଯେତେବେଳେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କ୍ୱାର୍ଟର ହୋଇ ନ ଥିଲା, ସେତେବେଳେ କର୍ମଚାରୀମାନେ ଛାତ୍ରାବାସ ପଛପାର୍ଶ୍ୱରେ ଘର କରି ରହୁଥିଲେ। ସେବେଠାରୁ ଜମି ଜବରଦଖଲ କରିଛନ୍ତି ଯେ ଆଉ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁମାନେ ବିଶ୍ୱବିଦ୍ୟାଳୟ ଜମିରେ ଘର କରିଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ ଇତି ମଧ୍ୟରେ ମରିଗଲେଣି। କିନ୍ତୁ ତାଙ୍କ ପରିବାରଲୋକେ ଏବେ ଉକ୍ତ ଘରଗୁଡ଼ିକୁ ଭଡ଼ାରେ ଲଗାଇଛନ୍ତି। ଆଉ କିଛି କର୍ମଚାରୀ କ୍ୟାମ୍ପସ ଭିତରେ ଘର ତିଆରି କରି ତାହାକୁ ବିକ୍ରି କରି ଦେଇଥିବା ଏବେ ଅଭିଯୋଗ ଆସିଛି। ୧୦ରୁ ୧୫ ବର୍ଷ ତଳେ ଯେଉଁମାନେ ଏହି ଘର କିଣିଥିଲେ। ସେମାନଙ୍କ କହିବାନୁଯାୟୀ ଘରଗୁଡ଼ିକୁ ୫୦ରୁ ୭୦ ହଜାର ଟଙ୍କାରେ କିଣିଛନ୍ତି।
ଏ ତ ଗଲା ଗୋଟିଏ ପାର୍ଶ୍ୱ କଥା। ବିଶ୍ୱବିଦ୍ୟାଳୟ ପଛପାର୍ଶ୍ୱ ଜମିକୁ ନେଇ ଲକ୍ଷ୍ମୀବିହାରବାସୀଙ୍କ ସହ ଦେଢ଼ ଦଶନ୍ଧିରୁ ଅଧିକ ହେଲା ସୃଷ୍ଟି ହୋଇଛି କେଁ। ପ୍ରାୟ ୧୦ଏକର ଜମିକୁ ନେଇ ଲକ୍ଷ୍ମୀବିହାର ଓ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ମଧ୍ୟରେ ଝାମେଲା ଚାଲିଛି। ପ୍ରଶାସନ ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୁଣ୍ଡ ଖେଳାଉନି। ସରକାରୀ ବାବୁମାନେ ମଧ୍ୟ ଚୁପ୍ ବସିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ କେତେବେଳେ କେମିତି ଖଣ୍ଡିଏ ଚିଠି ଲେଖି ବସି ପଡ଼ୁଛନ୍ତି। ପଚାରିଲେ ଉତ୍ତର ଆସୁଛି ଆମେ ଚିଠି ଲେଖିଛୁ। ବିଏମ୍ସି କିମ୍ବା ବିଡିଏ କେହି ବି ପଦକ୍ଷେପ ନେଉନାହାନ୍ତି। ଯେତେବେଳେ ଯେଉଁ କୁଳପତି ଆସିଲେ ତାଙ୍କ ମୁହଁରେ ସେହି ଗୋଟିଏ ହିଁ କଥା ଶୁଣିବାକୁ ମିଳୁଛି।
ସବୁଠାରୁ ବଡ଼ କଥା ହେଲା ରାଜସ୍ୱ ବିଭାଗର ଭୂ-ଲେଖରେ ୪୦ ଏକର ଜମି କମ୍ ରହିଥିବା ଉଲ୍ଲେଖ ହୋଇଛି। ଏତେ ପରିମାଣ ଜମି କୁଆଡ଼େ ଗଲା ତାହାକୁ ବି କେହି ଖୋଜୁ ନାହାନ୍ତି। ଭୂ-ଲେଖରେ ଲେଖାଯିବା ସମୟରେ ତ୍ରୁଟି ରହିଲା ନା ଆଉ କେଉଁଠି ସମସ୍ୟା ହୋଇଛି। ତାହାକୁ ଖୋଜା ଯାଉନାହିଁ। ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ ଏନେଇ ଚୁପ୍ ବସିଛନ୍ତି। ଥରୁଟିଏ ବି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁନାହାନ୍ତି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ପଚାରିଲେ ଉତ୍ତର ମିଳୁଛି ଏ ଦିଗରେ ପଦକ୍ଷେପ ନିଆଯିବ।
ହେଲେ କେବେ ପଦକ୍ଷେପ ନିଆଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟକୁ ବିକିଦେଲେଣି। କେତେଜଣ ରାଜନେତା ଭୋଟ ବ୍ୟାଙ୍କ ନ ହରାଇବା ପାଇଁ ବିଶ୍ୱବିଦ୍ୟାଳୟ ଜମିକୁ ସାଗ ମାଛ ଦରରେ ଅନ୍ୟମାନଙ୍କ ହାତକୁ ଟେକି ଦେଉଛନ୍ତି। ବିଶ୍ୱବିିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ରାଜନେତାଙ୍କ ବୋଲକରା ସାଜିଛନ୍ତି। ସେମାନେ କହିଲେ ଏମାନେ ଫାଇଲ୍ରେ ଦସ୍ତଖତ କରୁଛନ୍ତି। ନ ହେଲେ ନାହିଁ। ଏମିତି ଯଦି ଚାଲିବ ତେବେ ଆଉ କିଛି ବର୍ଷ ପରେ ବିଶ୍ୱବିଦ୍ୟାଳୟ ପାଖରେ ଆଉ ଜମି ନ ଥିବ। କେବଳ କ୍ୟାମ୍ପସରେ ଯେତିକି ପୁରୁଣା କୋଠା ରହିଛି ସେତିକି ହିଁ ରହିଥିବ।