ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଖାମଖିଆଲି ନିଷ୍ପତ୍ତି, ପାଠପଢ଼ା ସରିନି, ପରୀକ୍ଷା ଲାଗି ବିଜ୍ଞପ୍ତି

କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଭୁବ‌ନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ପରୀକ୍ଷା ପରିଚାଳନାର ତ୍ରୁଟି ପୁଣିଥରେ ପଦାରେ ପଡ଼ିଛି। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ କଲେଜଗୁଡ଼ିକର ପାଠପଢ଼ା ଏପର୍ଯ୍ୟନ୍ତ ଶେଷ ହୋଇ ନଥିବା ବେଳେ ୪ର୍ଥ ସେମିଷ୍ଟାର ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସରୁ ଯୁକ୍ତ୩ ୪ର୍ଥ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ। ନିୟମ ଅନୁଯାୟୀ ପ୍ରତି ୫ ମାସ ବ୍ୟବଧାନରେ ସେମିଷ୍ଟାର ପରୀକ୍ଷା କରାଯିବା କଥା। କିନ୍ତୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଜାନୁଆରି ମାସରେ ତୃତୀୟ ସେମିଷ୍ଟାର ପରୀକ୍ଷା କରିଥିଲେ। ଯାହାକି ଜାନୁଆରି ୩୧ରେ ‌ଶେଷ ହୋଇଥିଲା। ଏହି ପରୀକ୍ଷା ସରିବାର ୩ ମାସ ମଧ୍ୟରେ ପୁଣି ଏକ ସିମିଷ୍ଟାର ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିବା ସହ ଆଜି ବିଶ୍ବବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରାଉ କରିଥିଲେ। ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଛାତ୍ରନେତା ଦାବି କରିଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଜାନୁଆରି ୩୧ରେ ତୃତୀୟ ସେମିଷ୍ଟାର ପରୀକ୍ଷା ଶେଷ ହୋଇଥିଲା। ଏହାପରେ ଯୁକ୍ତ୨ ପରୀକ୍ଷା, ଖାତା ଦେଖା ଛୁଟି, ଯୁକ୍ତ୩ ୬ଷ୍ଠ ସେମିଷ୍ଟାର ପରୀକ୍ଷା ଯୋଗୁଁ କଲେଜଗୁଡ଼ିକ ଛୁଟି ହୋଇଥିଲା। ଯେଉଁଥିପାଇଁ ଅଧ୍ୟାପକମାନେ କ୍ଲାସ ନେଇପାରି ନାହାନ୍ତି। କେତେକ କଲେଜରେ ୩୫ ପ୍ରତିଶତ ପାଠ୍ୟକ୍ରମ ବି ଶେଷ ହୋଇନି। ଅନେକ କଲେଜରେ ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହୋଇ ନାହିଁ। ଏଭଳି ସ୍ଥିତିରେ ୪ର୍ଥ ସେମିଷ୍ଟାର ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି। ଏହାଦ୍ବାରା ଛାତ୍ରଛାତ୍ରୀମାନେ ପ୍ରଭାବିତ ହେବେ। ତେଣୁ ୪ର୍ଥ ସେମିଷ୍ଟାର ପରୀକ୍ଷାକୁ ଘୁଞ୍ଚାଯାଇ ଛୁଟି ପରେ କରାଯାଉ। ପାଠ୍ୟକ୍ରମ ଶେଷ କରିବାକୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଉ। ଆସନ୍ତା ବର୍ଷଠାରୁ ପ୍ରବେଶ, ପରୀକ୍ଷା, ପରିଣାମ ବ୍ୟବସ୍ଥାକୁ ନିୟମିତ କରିବାକୁ ସେମାନେ ଦାବି କରିଛନ୍ତି। ଏହି ବିକ୍ଷୋଭରେ ଏବିଭିପି ମହାନଗର ସମ୍ପାଦକ ଦୀପକ ପ୍ରକାଶ ସ୍ବାଇଁ, ମହାନଗର ସଂଯୋଜକ ସଞ୍ଜୟ ମଲ୍ଲିକ, ରତନ୍‌ କୁମାର ଦିଗଲ୍‌, ମିଲନ ମହାପାତ୍ର, ରାଜେଶ କିଶୋର, ଆଲୋକ ପଟ୍ଟନାୟକ, ଦୀପକ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର