ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବଲି : ବଜେଟ୍‌ ଅଭାବରୁ କାଣ୍ଟଛାଣ୍ଟ

ଆଜିଠୁ ସାହିତ୍ୟ-ସାଂସ୍କୃତିକ ମହୋତ୍ସବ, ପ୍ରତିଷ୍ଠା ଦିବସରେ ସ୍ବତନ୍ତ୍ର ଡାକଟିକେଟ୍‌ ଉନ୍ମୋଚନ

ଭୁବନେଶ୍ବର : ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ପ୍ଲାଟିନମ୍‌ ଜୁବଲି ଉତ୍ସବ ପାଳନ କରିବ ଉତ୍କଳ ବିଶ୍ବବିଦ୍ୟାଳୟ। ଏନେଇ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ୩ମାସ ହେଲା କେବଳ ସ୍ମାରକୀ ବକ୍ତୃତା ଓ ଲୋଗୋ ଉନ୍ମୋଚନରେ ସୀମିତ ଥିବା ଏହି ଉତ୍ସବକୁ ବଡ଼ଧରଣର ପରିବର୍ତ୍ତେ ଛୋଟ ଧରଣର ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨୭ରେ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଥିବା ବେଳେ ସୋମବାରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ବଜେଟ୍‌ର ଅଭାବକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଉତ୍ସବକୁ କାଣ୍ଟଛାଣ୍ଟ କରିଛନ୍ତି। ପ୍ରତିଷ୍ଠା ଦିବସ ପାଳନ ସହ ୬ ଦିନ ଧରି ପ୍ଲାଟିନମ୍‌ ଜୁବଲି ସାହିତ୍ୟ-ସାଂସ୍କୃତିକ ମହୋତ୍ସବ କରାଯିବ ବୋଲି ସ୍ଥିର ହୋଇଛି।

ଅଗଷ୍ଟ ୭ ତାରିଖରେ ପ୍ଲାଟିନମ୍‌ ଜୟନ୍ତୀ ଲୋଗୋ ଉନ୍ମୋଚନ ବେଳେ ଉତ୍ସବରେ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆକଳନ କରିଥିଲେ। ମାସାଧିକକାଳ ଉତ୍ସବ ପାଳନ କରିବା ପାଇଁ ବିଭିନ୍ନ କମିଟି ବି ଗଠନ ହୋଇଥିଲା। ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବଜେଟ୍‌ ଅଭାବରୁ କୌଣସି ପଦକ୍ଷେପ ନିଆଯାଇପାରି ନଥିଲା। ୫କୋଟି ଟଙ୍କାର ବଜେଟ୍‌ ହୋଇଥିଲେ ମଧ୍ୟ କୌଣସି ସୂତ୍ରରୁ ଅର୍ଥ ମିଳିଲା ନାହିଁ। ଯେଉଁଥିପାଇଁ ଏବେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଜସ୍ବ ବଜେଟ୍‌ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ସବ ପାଳନର ଅର୍ଥ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର, ୟୁଜିସି, ବିଭିନ୍ନ କର୍ପୋରେସନ ସ˚ସ୍ଥାର ସିଏସ୍‌ଆର ଫଣ୍ତ୍‌ରୁ ସହଯୋଗ ଲୋଡ଼ିବାକୁ ସ୍ଥିର ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି ସୂତ୍ରରୁ ଟଙ୍କାଟିଏ ବି ମିଳିନି। ଏପରିକି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଉତ୍ସବ ପାଳନ ପାଇଁ ଉଚ୍ଚଶିକ୍ଷା ବିଭାଗଠାରୁ ସହା‌ୟତା ଲୋଡ଼ିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଅର୍ଥ ମିଳି ନଥିବା ଜଣାପଡ଼ିଛି।

ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ବଜେଟ୍‌ର ଅଭାବ ପଡ଼ିଲା। ଯେଉଁଥିପାଇଁ ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ୪୦ଲକ୍ଷ ଟଙ୍କାର ବଜେଟ୍‌ ହୋଇଛି। ଏଥିରେ ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ପ୍ରତିଷ୍ଠା ଦିବସ ପାଳିତ ହେବ। ପ୍ଲାଟିନମ୍‌ ଜୟନ୍ତୀ ଅବସରରେ ଏକ ସ୍ମାରକୀ ଡାକ ଟିକେଟ୍‌ ଉନ୍ମୋଚନ କରାଯିବ। ଏଥିପାଇଁ ୭ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଆସନ୍ତା ୧୯ରୁ ୨୭ ତାରିଖ ମଧ୍ୟରେ ୬ଦିନ ଧରି କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି। ଛୁଟି ଦିନରେ କୌଣସି କାର୍ଯ୍ୟକ୍ରମ ‌ହେବନି। ପ୍ରତିଷ୍ଠା ଦିବସରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପ୍ଲାଟିନମ୍‌ ଜୁବଲି ଉପଲକ୍ଷେ ସୋମବାର ଓ ମଙ୍ଗଳବାର ଏକ ସାହିତ୍ୟ-ସାଂସ୍କୃତିକ ମହୋତ୍ସବର ଆୟୋଜନ କରାଯାଇଛି। ବିଶ୍ବବିଦ୍ୟାଳୟର ୩ଟି ଭାଷା ବିଭାଗ (ଓଡ଼ିଆ, ସଂସ୍କୃତ ଓ ଇଂରାଜୀ) ମିଳିତ ସଂଯୋଜନାରେ ଦ୍ବିଦିବସୀୟ ଆଲୋଚନାଚକ୍ର, ବିଚାରଗୋଷ୍ଠୀ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଦ୍ବାରା ନାଟକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଦ୍‌ଘାଟନୀ ଉତ୍ସବରେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ, ସାହିତ୍ୟିକ ରମାକାନ୍ତ ରଥ ଓ ପ୍ରଫେସର ସତ୍ୟବ୍ରତ ଶାସ୍ତ୍ରୀ ଯୋଗ ଦେବେ। ବିଭିନ୍ନ ବୈଷୟିକ ‌ସମ୍ପନଗୁଡ଼ିକରେ ଦେଶ ଓ ରାଜ୍ୟର ସାହିତ୍ୟିକ ଓ ସମାଲୋଚକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ସାଂସ୍କୃତିକ ବିଚିତ୍ରାରେ ନୃତ୍ୟ, ସଙ୍ଗୀତ ଓ ନାଟକ ପରିବେଷିତ ହେବ।

ପ୍ରସ୍ତାବରେ ରହିଗଲା

ପ୍ଲାଟିନମ୍ ଜୁବୁଲିର ପ୍ରଥମ ବୈଠକରେ ୭ ସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା। ୧୫ ଜଣ ପ୍ରଫେସରଙ୍କୁ ନେଇ ବିଭିନ୍ନ କମିଟି ଗଠନ ହୋଇଥିଲା। ସ୍ମରଣୀକା ପ୍ରକାଶ, କଫି ଟେବୁଲ୍‌ ପୁସ୍ତକ, କ୍ୟାଲେଣ୍ତର/ଡାଏରି ପ୍ରକାଶ, ଆଲୁମିନି ମିଟ୍‌, ବିଶ୍ବବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ସ୍ବତନ୍ତ୍ର ଫାଟକ ନିର୍ମାଣ, ପ୍ଲାଟିନମ୍‌ ଜୟନ୍ତୀ ୱେବ୍‌ସାଇଟ୍‌, ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ବାଣୀବିହାର କ୍ୟାମ୍ପସକୁ ପରିସ୍କାର ପରିଚ୍ଛନ୍ନ ରଖିବା, ପୁରାତନ ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀଙ୍କୁ ସମ୍ବର୍ଦ୍ଧନା, ପ୍ଲାଟିନମ୍‌ ଜୟନ୍ତୀ ଭବନ, ଏନ୍‌ଏସ୍‌ଏସ୍‌ ଭବନ, କ୍ଷୁଦ୍ର ଫିଲ୍ମ ପ୍ରସ୍ତୁତ ଇତ୍ୟାଦି କରିବାକୁ ପ୍ରସ୍ତାବ ଥିଲେ ମଧ୍ୟ ତାହା ହୋଇପାରି ନାହିଁ।

ସମ୍ବନ୍ଧିତ ଖବର