ନାମାଙ୍କନ ବାକ୍ସ ଚୋରି, ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ ଅଧାରୁ ବନ୍ଦ

ଭୁବନେଶ୍ବର: ୧୮ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ୟୁୟୁଟିଏ) ନିର୍ବାଚନ। ଏହା ପୂର୍ବରୁ ଗତକାଲି ନାମାଙ୍କନ ଦାଖଲ କରିବା ପାଇଁ ଥିଲା ଶେଷ ଦିନ। ଅପରାହ୍ଣ ୪ଟା ୨୫ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଠାକ୍‌ ଚାଲିଥିଲା। ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ପୂରଣ କରି ବାକ୍ସରେ ପକାଉଥିଲେ। ପ୍ରକ୍ରିୟା ଶେଷ ହେବାକୁ ୫ ମିନିଟ୍‌ ବାକି ଥିବା ବେଳେ ଚୋରି ହୋଇଯାଇଥିଲା ନାମାଙ୍କନ ବାକ୍ସ। କଥାଟା ଟିକିଏ ଅଖାଡ଼ୁଆ ଲାଗୁଥିଲେ ମଧ୍ୟ ଗତକାଲି ବାଣୀବିହାର କ୍ୟାମ୍ପସରେ ଘଟିଥିଲା ଏଭଳି ଏକ ଘଟଣା। କ୍ୟାମ୍ପସ ଅଶାନ୍ତ ରହୁଥିବାରୁ ଗତ ଦୁଇ ବର୍ଷ ହେଲା ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରୁନି। ଛାତ୍ର ସଂଗଠନଗୁଡ଼ିକ ବାରମ୍ବାର ଦାବି କରୁଥିଲେ ମଧ୍ୟ କର୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ନିର୍ବାଚନକୁ ବାତିଲ୍‌ କରୁଛନ୍ତି। ଯେଉଁଥି ପାଇଁ କ୍ୟାମ୍ପସରେ ବୋମାମାଡ଼ ସାଙ୍ଗକୁ ପୋଡ଼ାଜଳା ବି ହେଉଛି। ଏଭଳି ସ୍ଥିତିରେ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ରାଜନୀତି କରିବା ପାଇଁ ପ୍ରଫେସରମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ନାମାଙ୍କନ ବାକ୍ସ ଚୋରି ଘଟଣାକୁ ବିରୋଧ କରୁଥିବା ବେଳେ ଅନ୍ୟଗୋଷ୍ଠୀ ଆଉଥରେ ନିର୍ବାଚନ କରିବାକୁ ଅଣ୍ଟା ଭିଡ଼ିଛି। ୟୁୟୁଟିଏ ନିର୍ବାଚନ ପାଇଁ ଗତ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ଥିବା ସଂଘର ସାଧାରଣ ପରିଷଦ ବୈଠକ ପରେ ନିର୍ବାଚନ ପରିଚାଳନା ପାଇଁ ଜଣେ ପ୍ରଫେସରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା। ନିଯୁକ୍ତି ପାଇବା କ୍ଷଣି ରିଟର୍ଣ୍ଣିଂ ଅଫିସର ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ। ୫ଟି ପଦ ସମେତ ୧୦ ଜଣ କାର୍ଯ୍ୟକାରୀ ସଦସ୍ୟ ଚୟନ ‌କରିବାକୁ ବିଜ୍ଞପ୍ତିରେ କୁହାଯାଇଥିଲା। ୧୮ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୧୧ ତାରିଖ ଅପରାହ୍ଣ ୪ଟା ୩୦ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ସମୟ ଥିଲା। ଗତକାଲିଠାରୁ ବାକ୍ସ କେଉଁଆଡ଼େ ‌ଯାଇଛି ଯେ କେହି ପାଉ ନାହାନ୍ତି। ବାକ୍ସ ଚୋରି ହେବା ପରେ ରିଟର୍ଣ୍ଣିଂ ଅଫିସର ଏନେଇ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଜଣାଇ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ନାମାଙ୍କନ ବାକ୍ସ ଚୋରି ହେବା ପରେ ଛାତ୍ର ସଙ୍ଗଠନଗୁଡ଼ିକ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ପ୍ରଫେସରମାନଙ୍କ ପାରିବାପଣିଆ ନେଇ ପ୍ରଶ୍ନ ଉଠାଇଛନ୍ତି। କ୍ୟାମ୍ପସ ଅଶାନ୍ତ ଥିବା ଦର୍ଶାଇ ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ ହେଉଛି। ଯେଉଁମାନେ ନିର୍ବାଚନ ବାତିଲ୍‌ କରୁଛନ୍ତି ସେମାନଙ୍କ ନାମାଙ୍କନ ବାକ୍ସ ଚୋରି ହୋଇଯିବା ହାସ୍ୟାସ୍ପଦ ଘଟଣା। ନିଜ ନିର୍ବାଚନକୁ ବି ଠିକ୍‌ ଭାବେ ପରିଚାଳନା କରିପାରୁ ନାହାନ୍ତି। ନାମାଙ୍କନ ବାକ୍ସ କିଏ ଓ କାହିଁକି ଚୋରି କରିଛି ତାହାର ତଦନ୍ତ ହେଉ। ଛାତ୍ର ସଂସଦ ନିର୍ବାଚନ ହୋଇ ନଥିବାରୁ ଶିକ୍ଷକ ସଂଘ ନିର୍ବାଚନ ନ କରିବାକୁ କେତେକ ଛାତ୍ର ଗୋଷ୍ଠୀ ଦାବି କରୁଥିଲେ। ୧୨ ଦିନ ତଳେ ଦୁଇ ଛାତ୍ରଗୋଷ୍ଠୀ ଏନେଇ କୁଳପତିଙ୍କୁ ଭେଟି ଦାବି ଜଣାଇଥିଲେ। ଶିକ୍ଷକ ସଂଘ ନିର୍ବାଚନ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ସେମାନେ ଏଭଳି କରିଥିବା ପ୍ରଫେସରମାନଙ୍କ ମଧ୍ୟରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର