ବାଣୀବିହାରରେ ହାଇଡ୍ରାମା

କୁଳପତିଙ୍କ ପଦାଙ୍କ ଅନୁସରଣ କରି ଛାତ୍ରଛାତ୍ରୀଙ୍କ ଗାନ୍ଧୀଗିରି

ଆଜି ବସିବ ଶିକ୍ଷକ ପରିଷଦ ବୈଠକ

ଭୁବନେଶ୍ୱର : ପ୍ରାୟ ଏକ ମାସ ହେଲା ସାରା ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ସରିଲାଣି। ବାଣୀବିହାରରେ କିନ୍ତୁ ରାଜନୀତି ଥମିବାର ନାଁ ନେଉନି। ଶାନ୍ତିର ମାର୍ଗ ଅନୁସରଣ କରିବାକୁ ଛାତ୍ରଛାତ୍ରୀଙ୍କୁ କହୁଥିବା କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ରାତିଅଧିଆ ନିଷ୍ପତ୍ତିକୁ ନେଇ ତିନି ଦିନ ହେଲା କ୍ୟାମ୍ପସରେ ଚାଲିଛି ହାଇଡ୍ରାମା। ଗୋଟିଏ ଛାତ୍ରଗୋଷ୍ଠୀର ଦାବିରେ ସହମତି ପ୍ରକାଶ କରି କୁଳପତି ମନୋନୟନ ମାଧ୍ୟମରେ ୨୭ଟି ବିଭାଗରୁ ଛାତ୍ର ପ୍ରତିନିଧି ଚୟନ କରିବାକୁ ନିଷ୍ପତ୍ତି ନେବା ପରେ ଅନ୍ୟ ଦୁଇ ଛାତ୍ରଗୋଷ୍ଠୀର ଆନ୍ଦୋଳନ ଜାରି ରଖିଛନ୍ତି। ୨୬ ତାରିଖ ପୂର୍ବାହ୍ନରେ ଶିକ୍ଷକ ପରିଷଦ ବୈଠକ ଡକାଯାଇଥିଲେ ମଧ୍ୟ ଆଜି ଦୁଇ ଛାତ୍ରଗୋଷ୍ଠୀର ସଭାପତି ପ୍ରାର୍ଥର୍ୀ କୁଳପତିଙ୍କ ପଦାଙ୍କ ଅନୁସରଣ କରି ଗାନ୍ଧୀଗିରି ଆରମ୍ଭ କରିଛନ୍ତି। କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ କୁଳପତି କିଛି ଦିନ ତଳେ ମୌନବ୍ରତ କରିଥିବା ବେଳେ କ୍ୟାମ୍ପସରେ ନିର୍ବାଚନ କିମ୍ବା ଛାତ୍ର ପ୍ରତିନିଧି ନ ବାଛିବା ଦାବିରେ ଦୁଇ ଛାତ୍ରଗୋଷ୍ଠୀ ବି ଆଜି ମୌନବ୍ରତ କରିଛନ୍ତି।

ଛାତ୍ର କଂଗ୍ରେସର ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ଜେନାଙ୍କ ଓ ତାଙ୍କ ସମର୍ଥକମାନେ କୁଳପତିଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ମୌନବ୍ରତରେ ବସିବା ସହ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କ୍ୟାମ୍ପସ ଶାନ୍ତ ଥିବା ବେଳେ ଅଶାନ୍ତ କରାଯାଉଛି। ବିଭାଗୀୟ ମୁଖ୍ୟ, ଛାତ୍ର ସଙ୍ଗଠନ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ନ କରି ନିଷ୍ପତ୍ତି ନିଆଯିବା ଦ୍ୱାରା କ୍ୟାମ୍ପସର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ମିଡ୍‌ ସେମିଷ୍ଟାର ପରୀକ୍ଷା ବି ପ୍ରଭାବିତ ହୋଇଛି। ତେଣୁ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ଲାଗି କୁଳପତି ଏଭଳି ପ୍ରକ୍ରିୟାରୁ ନିବୃତ୍ତ ରୁହନ୍ତୁ।

ସେହିପରି ଏବିଭିପି ସମର୍ଥିତ ଛାତ୍ରଗୋଷ୍ଠୀର ସଭାପତି ପ୍ରାର୍ଥୀ ରତନ୍‌ ଦିଗଲ୍‌ ତାଙ୍କ ସମର୍ଥକଙ୍କ ସହ ଆଜି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ମୌନବ୍ରତରେ ବସିଥିଲେ। ସେମାନେ ଏଭଳି ପ୍ରକ୍ରିୟାକୁ ବିରୋଧ କରିବା ସହ କୁଳପତିଙ୍କ ନିଷ୍ପତ୍ତିକୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ବି ପିଲାଙ୍କ ସହ ଆସି ମୌନବ୍ରତରେ ସାମିଲ ହୋଇଥିଲେ।

ବାଣୀବିହାର ଏବିଭିପି ସଙ୍ଗଠନ ପକ୍ଷରୁ ଏନେଇ ଏକ ଦାବିପତ୍ର କୁଳପତିଙ୍କୁ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ନିଷ୍ପତ୍ତି ଦୁଭାଗ୍ୟଜନକ। ବିଭାଗୀୟ ମୁଖ୍ୟମାନଙ୍କ ସହ ଆଲୋଚନା ନ କରି ପିିଜି କାଉନସିଲ୍‌ ଅଧ୍ୟକ୍ଷ ଛାତ୍ର ନେତା ବାଛିବା ଲାଗି ନୋଟିସ୍‌ ପଠାଇଛନ୍ତି। ଏଭଳି ପରୋକ୍ଷ ନିର୍ବାଚନକୁ ଆମେ ବିରୋଧ କରୁଛୁ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେବ। ଏଭଳି ନିର୍ବାଚନ କରାଗଲେ ଯଦି କ୍ୟାମ୍ପସରେ କୌଣସି ପ୍ରକାର ଅପ୍ର୍ରୀତିକିର ପରିସ୍ଥିତି ଉପୁଜିବ ସେଥିପାଇଁ ଆପଣ ଦାୟୀ ରହିବେ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ଶତପଥୀଙ୍କ ନୋଟିସ୍‌ ଆଧାରରେ ଗୁରୁବାର ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ପରିଷଦର ବୈଠକ ଡକାଯାଇଛି। ଏଥିରେ ଛାତ୍ର ପରିଷଦ ଗଠନ ନେଇ ଆଲୋଚନା ହେବ। କିନ୍ତୁ ଏହାକୁ ନେଇ କେତେକ ବିଭାଗୀୟ ମୁଖ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିନା ଆଲୋଚନାରେ କିଭଳି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଆସନ୍ତାକାଲି ହେବାକୁ ଥିବା ଏହି ବୈଠକରେ ଏହାକୁ ନେଇ ପାଟିତୁଣ୍ଡ ହେବାର ଆଶଙ୍କା ପ୍ରକାଶ ପାଇଛି।

ପାଣି ପାଇଁ କୁଳପତିଙ୍କୁ ଘେରିଲେ ଛାତ୍ରୀ

ପାଇପରେ ସ୍ୱଚ୍ଛ ପାଣି ଆସୁନି। ଯେଉଁ ପାଣି ଆସୁଛି ତାହା ପିଇବା ଯୋଗ୍ୟ ନୁହେଁ। ଏଭଳି ଅଭିଯୋଗ କରି ଆଜି ୬ ଏବଂ ୭ ନମ୍ବର ଛାତ୍ରୀନିବାସର ଛାତ୍ରୀମାନେ ଆଜି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଘେରାଉ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ କରିବା ସହ ହଷ୍ଟେଲ ପାଇପ୍‌ରୁ ବାହାରୁଥିବା ଦୂଷିତ ପାଣିକୁ ବୋତଲରେ ଆଣି ଦେଖାଇଥିଲେ। ଏହାପରେ କୁଳପତି ପ୍ରଫେସର ପଟ୍ଟନାୟକ ଓ ଛାତ୍ରୀଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଆଲୋଚନା ହୋଇଥିଲା। ହଷ୍ଟେଲ୍‌ ପାଣି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କୁଳପତି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ଯଦି କୁଳପତି ପ୍ରତିଶ୍ରୁତି ପାଳନ ନ କରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଛାତ୍ରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର