ସିଣ୍ଡିକେଟ ବୈଠକରେ ହେବ ନିଷ୍ପତ୍ତି

ବାଣୀବିହାରରେ ଛାତ୍ର ବିଜେଡିର ଅନଶନ ପ୍ରତ୍ୟାହୃତ

ଭୁବନେଶ୍ୱର : ବାଣୀବିହାର ଛାତ୍ର ପରିଷଦ ଗଠନ ଦାବିରେ ଛାତ୍ର ବିଜେଡି ପକ୍ଷରୁ ଚାଲିଥିବା ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି। ଆଜି ରାତି ପ୍ରାୟ ୧୦ଟାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟନ ଏବଂ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି। ଛାତ୍ରଛାତ୍ରୀଙ୍କ ୩ଟି ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଗ୍ରହଣ କରିଛନ୍ତି। ଏନେଇ ସିଣ୍ଡିକେଟ୍‌ ବୈଠକରେ ଆଲୋଚନା କରାଯିବ ବୋଲି କର୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି ଛାତ୍ରଛାତ୍ରୀ।

ଛାତ୍ରଛାତ୍ରୀଙ୍କ ଦାବି ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ନେଇ ପିଜି କାଉନସିଲ୍‌ ଏବଂ କୁଳପତିଙ୍କ ନିଷ୍ପତ୍ତିକୁ ସିଣ୍ଡିକେଟ୍‌ ବୈଠକରେ ଆଲୋଚନା କରାଯାଉ। ଛାତ୍ର ପ୍ରତିନିଧି ଚୟନ ପ୍ରକ୍ରିୟା ବନ୍ଦ ହେବା ନେଇ ସିଣ୍ଡିକେଟ୍‌ ବୈଠକରେ ଉପସ୍ଥାପିତ ହେଉ। ଛାତ୍ର ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ସିଣ୍ଡିକେଟ୍‌ ବୈଠକରେ ଏକ ପ୍ରେଜେଣ୍ଟେସନ୍‌ ଦେବା ଲାଗି ସୁଯୋଗ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ବସିବାକୁ ଥିବା ସିଣ୍ଡିକେଟ୍‌ ବୈଠକରେ ଏନେଇ ଆଲୋଚନା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରତ ଛାତ୍ରମାନେ ଅନଶନକୁ ସ୍ଥଗିତ ରଖିଛନ୍ତି।

ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ କହିଛନ୍ତି ଯେ ପିଲାଙ୍କ ଦାବିକୁ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିଚାଳନାର ସର୍ବୋଚ୍ଚ କମିଟି ସିଣ୍ଡିକେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ନିର୍ବାଚନ କରାଯିବ କି ନାହିଁ ତାହା ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଏଣିକି କ୍ୟାମ୍ପସରେ ଶାନ୍ତି ଫେରିବ। ଛାତ୍ରଛାତ୍ରୀ ସହଯୋଗ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଦୁଇଦିନର ଆଲୋଚନା ପରେ ଆଜି ସକାଳୁ କୁଳପତି ଏବଂ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ସମେତ ୮ଟି ବିଭାଗର ମୁଖ୍ୟମାନେ ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଏକାଧିକ ଥର ଧାରଣା ସ୍ଥଳକୁ ଆସି ବୁଝାସୁଝା କରିବା ପରେ ମଧ୍ୟ କିଛି ଫଳ ମିଳି ନ ଥିଲା। ବରଂ ଅପରାହ୍ଣରେ ଛାତ୍ର ବସନ୍ତ ଦାଶ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଅସୁସ୍ଥ ହୋଇ ଜଣେ ଛାତ୍ର ଏବେ ବି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଅନଶନ ଭାଙ୍ଗିବା ପରେ ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ହସ୍ପିଟାଲ ଯାଇ ଚିକିତ୍ସାଧୀନ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

ସମ୍ବନ୍ଧିତ ଖବର