ୟୁଜିସି ଅନୁଦାନ ଖର୍ଚ୍ଚ କରିପାରୁନି ଉତ୍କଳ

୧୬୨ ବିଶ୍ୱବିଦ୍ୟାଳୟ ମଧ୍ୟରେ ତଳଆଡ଼ୁ ଦ୍ୱିତୀୟ, ଦ୍ୱାଦଶ ପଞ୍ଚବାର୍ଷିକରେ ଖର୍ଚ୍ଚ ହୋଇଛି ମାତ୍ର ୬%

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁଦାନ ଅର୍ଥ ଖର୍ଚ୍ଚ କରିପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟ। ଦ୍ୱାଦଶ ପାଞ୍ଚ ବାର୍ଷିକ ଯୋଜନାରେ ମିଳିଥିବା ଟଙ୍କା ଖର୍ଚ୍ଚ କରିବାରେ ଉତ୍କଳ ଦେଶର ଅନ୍ୟ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ତୁଳନାରେ ବହୁ ପଛରେ ପଡ଼ିଛି। ଦେଶର ୧୬୨ଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ଥିବା ନେଇ ୟୁଜିସି ପକ୍ଷରୁ କୁହାଯାଇଛି। ଏହା ଜଣାପଡ଼ିବା ପରେ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଆରମ୍ଭ ହୋଇଛି। ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେଉଥିବା ଏହି ବିଶ୍ୱବିଦ୍ୟାଳୟ ମାତ୍ର ୬% ଅର୍ଥ ଖର୍ଚ୍ଚର୍ କରିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ତଥ୍ୟ ଅନୁଯାୟୀ ୧୬୨ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୭୦ଟି ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ଅନୁଦାନର ୫୦ ପ୍ରତିଶତରୁ କମ୍‌ ଖର୍ଚ୍ଚ କରିଛନ୍ତି। ୨୦ଟି ବିଶ୍ୱବିଦ୍ୟାଳୟ ୩୦%ରୁ କମ୍‌ ଅର୍ଥ ଖର୍ଚ୍ଚ କରିଥିବା ଏଥିରେ ଉଲ୍ଲେଖ ହୋଇଛି। ତାଲିକାରେ କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟ ସବୁଠାରୁ ତଳେ ରହିଛି। ଏହି ବିଶ୍ୱବିଦ୍ୟାଳୟକୁ ମିଳିଥିବା ଅର୍ଥର ମାତ୍ର ଦୁଇ ପ୍ରତିଶତ ଅର୍ଥ ଖର୍ଚ୍ଚର୍ କରିଛି। ଏହାତଳକୁ ତଥା ତଳଆଡ଼ୁ ଦ୍ୱିତୀୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି। ଏହି ବିଶ୍ୱବିଦ୍ୟାଳୟକୁ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ପ୍ରାୟ ୧୫ କୋଟି ଟଙ୍କା ମିଳିଥିବା ବେଳେ ମାତ୍ର ୬% ଅର୍ଥ ଖର୍ଚ୍ଚ ହୋଇଛି। ରାଜୀବ ଗାନ୍ଧୀ ପ୍ରୌଦ୍ୟୋଗିକୀ ବିଶ୍ୱବିଦ୍ୟାଳୟ ୧୧% ଖର୍ଚ୍ଚ କରି ତୃତୀୟ, ଜୟପ୍ରକାଶ ବିଶ୍ୱବିଦ୍ୟାଳୟ ୧୨% ସହ ୪ର୍ଥ ଏବଂ ପାଟଣା ବିଶ୍ୱବିଦ୍ୟାଳୟ ୧୫% ଅର୍ଥ ଖର୍ଚ୍ଚ କରି ତଳ ଆଡ଼କୁ ୫ମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଅନୁଦାନ ଅର୍ଥର୍ ଖର୍ଚ୍ଚ କରିବା କ୍ଷେତ୍ରରେ ୩ଟି ବିଶ୍ୱବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପୁନେ ବିଶ୍ୱବିଦ୍ୟାଳୟ ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ ଶତ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି। କଲିକତାର ଯାଦବପୁର ବିଶ୍ୱବିଦ୍ୟାଳୟ ୯୯% ଅର୍ଥ ଖର୍ଚ୍ଚ କରିଥିବା ବେଳେ ଦିବୃଗଡ଼ ବିଶ୍ୱବିଦ୍ୟାଳୟ ୯୮ ପ୍ରତିଶତ ଖର୍ଚ୍ଚ କରିଛି। ଏହି ୧୬୨ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ପ୍ରାୟ ୩ ଲକ୍ଷ ୭୫ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଲାଗି ଅର୍ଥ ଦିଆଯାଇଛି। ଏଭଳି ରିପୋର୍ଟକୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ପ୍ରଫେସର କହିଛନ୍ତି ଯେ ମିଳିଥିବା ଫଣ୍ଡ୍‌ ଖର୍ଚ୍ଚ ହୋଇଛି। ଆମେ ରିପୋର୍ଟ ମଧ୍ୟ ଦେଇଛୁ। କିନ୍ତୁ ୟୁଜିସି ପକ୍ଷରୁ ତାହାକୁ ଗ୍ରହଣ କରାଯାଉ ନାହିଁ। ୟୁଜିସିର ଅଧିକାରୀ ଜଣକ କହିଛନ୍ତି ଯେ, ଯେଉଁ କାର୍ଯ୍ୟ ପାଇଁ ଅର୍ଥ ଦିଆଯାଇଥିଲା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ତାହାକୁ ଅନ୍ୟ କାର୍ଯ୍ୟରେ ଖର୍ଚ୍ଚ କରିଛନ୍ତି। ଗାଇଡ୍‌ଲାଇନ୍‌ ପାଳନ କରାଯାଇ ନଥିବାରୁ ରିପୋର୍ଟ ଗ୍ରହଣ କରାଯାଇ ନାହିଁ। ପ୍ରଶାସନିକ ସମସ୍ୟା ଯୋଗୁଁ ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ। ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର