ଉତ୍କଳ ବିଶ୍ବବିଦ୍ୟାଳୟ: ପିଏଚ୍‌ଡି ପାଇଁ ଯୋଗ୍ୟତା ଅର୍ଜନ କରିପାରୁନାହାନ୍ତି ପିଲା

ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କାମ ଦେଲାନି, ଆଜି ବସିବ ବରିଷ୍ଠ ଅଧିକାରୀମାନଙ୍କ ବୈଠକ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି ଓ ଏମ୍‌.ଫିଲ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଏଥର ଓଡ଼ିଶା ବାହା‌ରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର ହୋଇଥିଲା। ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଜାତୀୟସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିରେ ରଖି ପ୍ରଶ୍ନପତ୍ର ବି ହୋଇଥିଲା। ଆଗରୁ ପ୍ରବେଶିକା ପରୀକ୍ଷା ତଥା ଫର୍ମ ପୂରଣ ଲାଗି ଏକ ହଜାର ଟଙ୍କା ଫି’ ନିଆଯାଉଥିବା ବେଳେ ଏଥର ଦୁଇ ହଜାରକୁ ବୃଦ୍ଧି କରାଗଲା। ବାହାର ରାଜ୍ୟରେ ପରୀକ୍ଷା କେନ୍ଦ୍ର କରି କର୍ତୃପକ୍ଷ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କଲେ। ‌ତେବେ କିଛି ସୁଫଳ ମିଳିଲାନି। ବାହାର ରାଜ୍ୟର ପିଲା ଆସିବେ କ’ଣ ଏବେ ୨୭ଟି ରେଗୁଲାର ବିଷୟରେ ପିଏଚ୍‌ଡି ଓ ଏମ୍‌.ଫିଲ୍‌ କରିବାକୁ ପିଲା ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ୨୦୧୬କୁ ଲାଗୁ କରାଯିବା ପରେ ଏଭଳି ସ୍ଥିତି ଉପୁଜିଛି।

ଚଳିତବର୍ଷ ପ୍ରଥମ ଥର ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଭୁବନେଶ୍ବର ସମେତ ଦିଲ୍ଲୀ, ଗୌହାଟି, ହାଇଦ୍ରାବାଦ ଓ ପୁନେ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପରୀକ୍ଷା ପାଇଁ ମାତ୍ର ୧୪୦୦ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ଏକ ହଜାରରୁ କମ୍‌ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଯେଉଁ ଲକ୍ଷ୍ୟ ନେଇ ବାହାର ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା ତାହ‌ା ପୂରଣ ହେଲା ନାହିଁ। ଅଧିକ ସଂଖ୍ୟାରେ ପିଲା ହେବେ ବୋଲି କର୍ତୃପକ୍ଷ ଅନୁମାନ ଲଗାଇଥିଲେ। ତେବେ ସେଭଳି କିଛି ହେଲାନି। ପ୍ରଥମତଃ ଫର୍ମ ପୂରଣ ଫି’ ୨ ହଜାର ଟଙ୍କା କରାଗଲା। ଯେତେବେଳେ କି ଆଗରୁ ଏକ ହଜାର ଟଙ୍କା ରହିଥିଲା। ଏଭଳି ବୃଦ୍ଧି ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବି ‌ଦେଖିବାକୁ ମିଳିଥିଲା। ୫ ଦିନ ତଳେ ଛାତ୍ରଛାତ୍ରୀମାନେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ‌ଘେରାଉ କରିବା ସମୟରେ ବି ଏବିଷୟରେ ଦାବି ଉଠାଇଥି‌ଲେ। ଫି’ ବୃଦ୍ଧି କମାଇବା ସହ ନିଆଯାଇଥିବା ଅଧିକ ଟଙ୍କା ଫେରାଇବାକୁ କହିଥିଲେ। ଆଲୋଚନା ପରେ କୁଳପତି ପ୍ରଫେସର ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ଯେ ଏହା ଉପରେ ଆଲୋଚନା କରାଯିବ। ଯଦି ଅଧିକ ଅର୍ଥ ନିଆଯାଇଥିବ ତେବେ ଫେରସ୍ତ ହେବ। ପିଏଚ୍‌ଡି ଓ ଏମ୍‌.ଫିଲ୍‌ କରିବା ପାଇଁ ପୂର୍ବରୁ ଯୋଗ୍ୟତା ମାର୍କକୁ ୪୦% ରଖାଯାଇଥିଲା। ଏବେ ୟୁଜିସି ନିୟମ ଲାଗୁ କରାଯିବା ପରେ ଯୋଗ୍ୟତା ମାର୍କକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ବହୁ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି।

ପରୀକ୍ଷା ସରିବାର ୭ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଶରତ କୁମାର ମାଝି କହିଥି‌ଲେ। ତେବେ ଗତକାଲି ପରୀକ୍ଷା ଫଳ ପ୍ରକାଶ ପାଇପାରି ନାହିଁ। ଯେଉଁଥିପାଇଁ ୨୩ ଓ ୨୪ ତାରିଖରେ ହେବାକୁ ଥିବା ସାକ୍ଷା‌ତକାର ପରୀକ୍ଷା ‌ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଇତି ମଧ୍ୟରେ କେତେକ ବିଭାଗ ସେମାନଙ୍କ ସାକ୍ଷାତକାର ସମୟ ସୀମାକୁ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏନେଇ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ମାଝିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇନାହାନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତି ବିଭାଗରେ ପିଏଚ୍‌ଡି କରିବା ଲାଗି ପିଲା ହେଉନାହାନ୍ତି। ନିୟମ ଅନୁଯାୟୀ ଜଣେ ପ୍ରଫେସରଙ୍କ ଅଧୀନରେ ୩ ଜଣ, ଆସୋସିଏଟ୍‌ ପ୍ରଫେସରଙ୍କ ଅଧୀନରେ ଦୁଇ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅଧୀନରେ ଜଣେ ପିଲା ପିଏଚ୍‌ଡି କରିପାରିବେ। ପ୍ରବେଶିକା ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ପିଲା ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଜଣାପଡ଼ିଛି। ପ୍ରାୟ ୧୨ଟି ବିଭାଗରେ ପିଲା ହେଉନାହାନ୍ତି। ଯେଉଁ ବିଭାଗରେ ପିଲା ଯୋଗ୍ୟତା ଅର୍ଜନ କରିଛନ୍ତି, ସେମାନଙ୍କ ସଂଖ୍ୟା ବେଶି ନୁହେଁ। ୨ରୁ ୪ ଜଣ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଥିବା ଜଣାପଡ଼ିଛି। ଏଭଳି ସ୍ଥିତି ନେଇ ସୋମବାର ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କୁ ‌ନେଇ ବୈଠକ ବସିବ। ଏଥିରେ ପରବର୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର