ଉତ୍ସବ ଆମ ସମ୍ପର୍କର: ମନୋରଂଜନ ଧାରାରେ ଆଉ ଏକ ନୂଆ ଅଧ୍ୟାୟ

ଭୁବନେଶ୍ବର: ଯୁଗ ସହ ତାଳ ମିଳାଇ ଲୋକଙ୍କୁ ତାଙ୍କ ପସନ୍ଦର ଭାଷାରେ କଥା କହିବାକୁ ଚେଷ୍ଟା କରିଆସିଛି ‘ସମ୍ବାଦ ଗ୍ରୁପ୍‌’। ସୋସିଆଲ୍‌ ମିଡ଼ିଆ ମନୋରଂଜନର ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ‘ପ୍ରଥମ ଫ୍ରି ଟୁ ଏୟାର ଓଡ଼ିଆ ମନୋରଂଜନ ଚ୍ୟାନେଲ୍‌’ ଭାବେ ଆଜି ଗୃହ ପ୍ରବେଶ କରଛି ‘ମଂଜରୀ’। ‘ମଂଜରୀ ସୋସିଆଲ୍‌ ମିଡିଆ’ର ଲୋକାର୍ପଣ ସହ ଓଡ଼ିଆ ମନୋରଂଜନ ଧାରାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଶିଶୁଟିଏ ଜନ୍ମ ହେବା ପରେ ଯେମିତି ତାକୁ ଦେଖିବାକୁ ଓ ତା’ର ସ୍ପର୍ଶ ପାଇବାକୁ ପରିବାର ଲୋକଙ୍କ ମନ ବ୍ୟାକୁଳ ହୁଏ, ସ୍ବସ୍ତି ପ୍ରିମିୟମରେ ଆଜି ଠିକ୍‌ ସେମିତି ଏକ ପରିବେଶ ସୃଷ୍ଟି ହୋଇଥିଲା। ଓଲିଉଡ୍‌ର ନାମୀଦାମୀ କଳାକାରମା‌ନେ ହିଁ ‘ମଞ୍ଜରୀ’କୁ ବେଶ୍‌ ଉତ୍ସାହ ସହକାରେ ନୂଆ କୁଣିଆଟିଏ ଭଳି ସ୍ବାଗତ କରିଥିଲେ। ‘ସମ୍ବାଦ ଗ୍ରୁପ୍‌’ର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ କରକମଳରେ ହିଁ ‘ମଂଜରୀ’ ରୂପକ ଶିଶୁ କନ୍ୟାଟି ଧରାବତରଣ କରିଥିଲା।

କିଛି ନୂଆ କରିବାର ଚିନ୍ତା ହିଁ ଆଜି ଏହିପରି ଏକ ପରିକଳ୍ପନାକୁ ସାକାର ରୂପ ଦେଇଥିବା ଅତିଥିମାନେ କହିଥିଲେ। ‘ସମ୍ବାଦ’ରୁ ନେଇ ‘କନକ ନ୍ୟୁଜ’, ‘ରେଡ଼ିଓ ଚକ୍‌ଲେଟ’ ଆ‌ଦି ସୋସିଆଲ ମିଡ଼ିଆରେ ସମସ୍ତଙ୍କଠାରୁ ଆଗରେ ରହିଥିବା ବେଳେ ଏହି ଧାରାରେ ‘ମଞ୍ଜରୀ’ ମଧ୍ୟ ସେଇ ଲୋକପ୍ରିୟତା ସାଉଁଟିବ ବୋଲି ଚିତ୍ର ତାରକାମ‌ାନେ କହିଛନ୍ତି। ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଆଜି ସ୍ବସ୍ତି ପ୍ରିମିୟମରେ ଉପସ୍ଥିତ ପ୍ରଯୋଜକ, ନିର୍ଦେଶକ ଓ ଲେଖକମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ଯଦି କିଛି ନୂଆ ଚିନ୍ତା, ନୂଆ ଓ ମୌଳିକ କାହାଣୀ ଅଛି ତେବେ ମଞ୍ଜରୀ ଟିଭି ସେସବୁକୁ ଅଗ୍ରାଧିକାର ଦେବ। ଏହି ବାକ୍ୟ ହିଁ ମଞ୍ଜରୀ ଟିଭିର ଉଜ୍ଜ୍ବଳ ଭବିଷ୍ୟତକୁ ନେଇ ସ୍ବପ୍ନ ଆଙ୍କିଛି। ଏହି ସ୍ବପ୍ନ ସାର୍ଥକ କରିବା ଦିଗରେ ମଞ୍ଜରୀ ଟିଭିର ମୁଖ୍ୟ ରତିକାନ୍ତ ଶତପଥୀ ଗୁରୁତ୍ବାରୋପ କରିଛନ୍ତି। ଆୟୋଜିତ ଏହି ଲୋକାର୍ପଣ ଉତ୍ସବକୁ ଅଭିନେତ୍ରୀ ଗାର୍ଗୀଙ୍କ ସମେତ ନାଭ୍ୟା ଓ ମୁକେଶ ସଂଯୋଜନା କରିଥିଲେ।

ଉନ୍ମୋଚନ ହେଲା ‘ଅଦୃଶ୍ୟମ’ ଓ ‘ଟିକେ ଲଭ ଟିକେ ଟ୍ବିଷ୍ଟ’ ଫିଲ୍ମର ସଂଗୀତ ସିଡି
ମଂଜରୀ ସୋସିଆଲ୍‌ ମିଡିଆ ଲୋକାର୍ପଣ ଉତ୍ସବ ସହ ଏହି ଅବସରରେ ସମରେଶ ରାଉତରାୟଙ୍କ ନିର୍ମିତ ଚଳଚ୍ଚିତ୍ର ‘ଅଦୃଶ୍ୟମ’ର ସଂଗୀତ ସିଡି ଉନ୍ମୋଚନ ହୋଇଥିଲା। ଏଥିରେ ଚଳଚ୍ଚିତ୍ରର କିଛି ଦୃଶ୍ୟ ସହ କିଛି ମିଠା ମିଠା ଗୀତ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିବା ସୋମ୍‌ ଓ ଅଙ୍କିତାଙ୍କ ସମେତ ଫିଲ୍ମ ୟୁନିଟ୍‌ର ଅନ୍ୟ ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ। ଏହି ଅବସରରେ ସମରେଶ ରାଉତରାୟ, ସମ୍ବିତ ଓ ବୁଲୁଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ଟିକେ ଲଭ ଟିକେ ଟ୍ବିଷ୍ଟ’ର ସଂଗୀତ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିବା ସମ୍ବିତ ଓ ପୁନମଙ୍କ ସମେତ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ଆଶୁତୋଷ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦୀପ୍ତିରେଖା ପ୍ରମୁଖ ଉପସ୍ଥିତ ଥିଲେ।

‘କନକ’ ଥିଲା ମାନେ ‘ମଞ୍ଜରୀ’ ଆସିବା ନିହାତି ଦରକାର ଥିଲା
କନକକୁ ଛାଡ଼ି ମଞ୍ଜରୀ କେବେ ରହିପାରି ନ ଥାଆନ୍ତା। ବିଳମ୍ବରେ ହେଉ ପଛେ ଆଗପଛ ହୋଇ ଦୁହେଁ ଆସିଛନ୍ତି ଏବଂ କନକ ଥିଲାମାନେ ମଞ୍ଜରୀ ନିଶ୍ଚିତ ଆସିବାର ଥିଲା। ଏଥିସହ ସୋସିଆଲ୍‌ ମିଡିଆ ଭଳି ମାଧ୍ୟମ ଦେଇ ନିଆରା ଶୈଳୀରେ ପାଦ ଥାପିବା ସ୍ବାଗତଯୋଗ୍ୟ ପଦକ୍ଷେପ। ମୋ ଆଶା ଓ ବିଶ୍ବାସ ମଞ୍ଜରୀ ବହୁ ଆଗକୁ ଯିବ।

-ସିଦ୍ଧାନ୍ତ ମହାପାତ୍ର (ଅଭିନେତା)

ଏକ ଭଲ ସଙ୍କେତ
ମଞ୍ଜରୀ ଟିଭି ନୂଆ ଟ୍ରେଣ୍ଡ ସହ ତାଳ ଦେଇ ଡିଜିଟାଲ୍‌ ଦୁନିଆ ମାଧ୍ୟମରେ ପ୍ରବେଶ କରିବା ଏକ ଭଲ ସଙ୍କେତ ଦେଇଛି। ଏହା ଆମ କଳାକାରମାନଙ୍କ ପାଇଁ ଯେତିକି ଭଲ ଦର୍ଶକଙ୍କ ମନୋରଂଜନ ପାଇଁ ମଧ୍ୟ ସେତିକି ସମୟୋପ‌ଯୋଗୀ। ତେଣୁ ଏହା ବହୁ ପରିମାଣରେ ଲୋକପ୍ରିୟ ହେବ। ଏଥିପାଇଁ ମୁଁ ମଞ୍ଜରୀକୁ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

-ବାବୁସାନ (ଅଭିନେତା)

ମଞ୍ଜରୀ ମାଧ୍ୟମରେ ନୂଆ ଧାରା ଆରମ୍ଭ
ମଞ୍ଜରୀ ଟିଭିକୁ ମୋ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ବିଶେଷକରି ସୋସିଆଲ୍‌ ମିଡିଆ ମାଧ୍ୟମରେ ମନୋରଂଜନ ଦୁନିଆକୁ ପ୍ରବେଶ କରିଥିବାରୁ ଏହାର ଭବିଷ୍ୟତ ନିଶ୍ଚିତ ଉଜ୍ଜ୍ବଳ। ବହୁ ଦକ୍ଷ ପ୍ରତିଭାଙ୍କ ଦ୍ବାରା ଏହା ପରିଚାଳିତ ହେଉଥିବାରୁ ନିଶ୍ଚିତ ଏହା ସଫଳତାର ପାହାଚ ଚଢ଼ି ଚାଲିବ ବୋଲି ମୋ’ର ବିଶ୍ବାସ।

-ହ୍ୟୁମାନ ସାଗର (କଣ୍ଠଶିଳ୍ପୀ)

ଶ୍ରେଷ୍ଠ ପଦକ୍ଷେପ
ମୁଁ ‘ମଞ୍ଜରୀ’ ପରିବାରର ସଦସ୍ୟ ହୋଇଯାଇଛି। ଥିମ୍ ସଂଗୀତରେ ଅଭିନୟ କରିବା ସହ ଏହି ଉତ୍ସବର ସମ୍ପର୍କରେ ଯୋଡ଼ି ହୋଇଥିବାରୁ ବହୁତ ଖୁସି। ଏବେ ସୋସିଆଲ୍‌ ମିଡିଆର ଚାହିଦା ଯେମିତି, ସେଥିରେ ମଞ୍ଜରୀ ସୋସିଆଲ୍‌ ମିଡିଆର ଲୋକାର୍ପଣ ନିଶ୍ଚିତ ଏକ ଶ୍ରେଷ୍ଠ ପଦ‌କ୍ଷେପ ବୋଲି ମୋର ଅନୁଭବ। ଆଶା ଓ ବିଶ୍ବାସ ମଞ୍ଜରୀ ବହୁ ଆଗକୁ ଯିବ।

-ଏଲିନା (ଅଭିନେତ୍ରୀ)

ମଞ୍ଜରୀର ଦର୍ଶକଙ୍କ ସହ ସମ୍ପର୍କ ଅତୁଟ ରହିବ
ସମ୍ପର୍କର ଉତ୍ସବ ନେଇ ଆସିଥିବା ମଞ୍ଜରୀ ଟିଭିର ପ୍ରବେଶ ହିଁ ଦର୍ଶକଙ୍କ ସହ ସମ୍ପର୍କକୁ ଅତୁଟ ରଖିବାରେ ସହାୟକ ହେବ। ସୋସିଆଲ୍‌ ମିଡିଆ ମାଧ୍ୟ‌ମରେ ଏହା ବହୁ ଲୋକଙ୍କ ନିକଟତର ‌ହୋଇପାରିବ। ନୂଆଧାରାକୁ ଆପଣାଇପାରିଲେ ଏହା ଦୀର୍ଘଜୀବୀ ହେବ ଓ ଲୋକଙ୍କ ସହ ସର୍ବଦା ସମ୍ପର୍କ ମଜଭୁତ ହେବ।

-ପ୍ରେମ ଆନନ୍ଦ (ସଂଗୀତ ନିର୍ଦେଶକ)

ଜୀବନ‌ରେ ଉତ୍ସବ ସବୁବେଳେ ଲୋଡ଼ା
ସମ୍ପର୍କ ସବୁବେଳେ କଳାକାର-ମାଧ୍ୟମ-ଦର୍ଶକଙ୍କୁ ନେଇ ମଜଭୁତ ହୋଇଥାଏ। ଏବେ ଯେଉଁ ମାଧ୍ୟମଟି ଶକ୍ତିଶାଳୀ ସେଇ ମାଧ୍ୟମ ଦେଇ ମଞ୍ଜରୀ ପ୍ରବେଶ କରୁଛି। ତେଣୁ ସମ୍ପର୍କ ମଜଭୁତ ହେବା ନିଶ୍ଚିତ। ଯେପର୍ଯ୍ୟନ୍ତ ଏହି ୩ଟି ଯାକ ସଦୃଢ଼ ଥିବେ ସେପର୍ଯ୍ୟନ୍ତ ସମ୍ପର୍କର ଉତ୍ସବ ଶହଶହ ବର୍ଷ ଚାଲିବାରେ କୌଣସି ସମସ୍ୟା ହେବ ନାହିଁ।

-ହରିହର (ଅଭିନେତା)

ସମ୍ବନ୍ଧିତ ଖବର