ଭୁବନେଶ୍ୱର : ବିଜୁଳି ସଂଯୋଗ ବିବାଦକୁ କେନ୍ଦ୍ର କରି ଆଜି ନୂଆପଲ୍ଲୀ ଥାନା ଅଧୀନ ଇନ୍ଦ୍ରଧନୁ ମାର୍କେଟ୍ ପରିବା ହାଟରେ ତୁମୁଳକାଣ୍ଡ ଘଟିଛି। ଆଜି ଅପରାହ୍ଣରେ ୪୦/୫୦ଜଣ ଅସାମାଜିକ ଯୁବକ ୩୦ରୁ ଊର୍ଧ୍ବ ବେପାରୀଙ୍କ ପାଖାପାଖି ୫୦ ହଜାର ଟଙ୍କାର ପରିବା ରାସ୍ତା ଉପରକୁ ଫିଙ୍ଗି ଦେବା ଫଳରେ ସେଗୁଡ଼ିକୁ ଗାଈ, ଷଣ୍ଢ ଖାଇ ଦେଇଛନ୍ତି। ଏ ସବୁ ପଛରେ ଜଣେ ଯୁବକଙ୍କ ହାତ ରହିଛି। ଉକ୍ତ ଯୁବକଜଣଙ୍କ ଆକ୍ରୋଶମୂଳକ ଭାବେ ଏପରି କାଣ୍ଡ ଭିଆଇଥିବାରୁ ତାଙ୍କୁ ଗିରଫ କରାଯିବା ଦାବିରେ ପାଖାପାଖି ୫ଶହ ଦୋକାନୀ ଦୋକାନ ବନ୍ଦ କରି ହାଟରେ ଧାରଣା ଦେଇଥିଲେ। ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ନୂଆପଲ୍ଲୀ ଥାନା ପକ୍ଷରୁ ସେଠାରେ ପୁଲିସ୍ ମୁତୟନ କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ପୁଲିସ୍ର ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ହଟିଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟବସାୟୀଙ୍କ ଅଭିଯୋଗ ମୁତାବକ, ଯେଉଁ ମଣ୍ଡପରେ ଗଣେଶ ପୂଜା ହୁଏ, ସେହି ମଣ୍ଡପରେ ଏହି ସବୁ ପରିବା ଦୀର୍ଘ ଦିନ ଧରି ରଖା ଯାଉଥିଲା। କାରଣ ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ଏଠାରେ ପୂଜା ହେଉନଥିଲା। ଏକ ହିଂସାକାଣ୍ଡକୁ ଆଧାର କରି ଏଠାରେ ୧୪୪ ଧାରା ଜାରି ହେବା ସହ ପୂଜା ବାରଣ କରାଯାଇଥିଲା। ପୂଜା ହେଉନଥିବାରୁ ବ୍ୟବସାୟୀ ଏଠାରେ ପରିବା ରଖି ଆସୁଥିଲେ। କିନ୍ତୁ କୌଣସି ପ୍ରକାରର ପୂର୍ବ ସୂଚନା ନ ଦେଇ ଆଜି ହଠାତ୍ ବ୍ୟବସାୟୀଙ୍କ ପେଟ ଉପରେ ଆକ୍ରମଣ ହୋଇଛି ବୋଲି ପରିବା ବ୍ୟବସାୟୀ ପ୍ରଫୁଲ୍ଲ ସାହୁ ଅଭିଯୋଗ କରିଛନ୍ତି। ସାଲିଆସାହି, ଅଡ଼ଶପୁର, କଳାପଥର, ବାଙ୍କି ପ୍ରଭୃତି ଜାଗାରୁ ଆସିଥିବା ଏହି ସବୁ ବ୍ୟବସାୟୀ ଅନୁରୂପ ଅଭିଯୋଗ ଆଣିଛନ୍ତି। ଏତେଗୁଡ଼ାଏ ପରିମାଣର ପରିବା ନଷ୍ଟ ହୋଇଥିବାରୁ ସେମାନେ ଏହାକୁ ଭରଣା କରିବା ଅସମ୍ଭବ ହେବ ବୋଲି ଅନ୍ୟ ଜଣେ ବେପାରୀ ସୁରେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି।
ସେମାନଙ୍କ କହିବା କଥା ହେଲା, ଏଠାରେ ପାଖାପାଖି ୫ଶହ ଉଠା ଓ କ୍ୟାବିନ୍ରେ ବେପାର କରୁଥିବା ବ୍ୟବସାୟୀ ଅଛନ୍ତି। ଏମାନେ ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କଠାରୁ ବିଜୁଳି ସଂଯୋଗ ଆଣିଥାନ୍ତି। ଜଣେ ବ୍ୟବସାୟୀ ଦୁଇଟି ବଲ୍ ଜାଳିବା ହିସାବରେ ଦିନକୁ ୨୦ଟଙ୍କା ଦେଇଥାଏ। ଏଭଳି ଦିନକୁ ୧୦ ହଜାର ଓ ମାସିକ ୩ ଲକ୍ଷ ଟଙ୍କା ଦେଇଥାନ୍ତି। କିନ୍ତୁ ବିଦ୍ୟୁତ ବିଭାଗକୁ ବିଲ୍ ଭାବରେ ମାତ୍ର ୨୦ରୁ ୨୫ହଜାର ଦେବାକୁ ପଡ଼ିଥାଏ। ଫଳରେ ବିଜୁଳି ଯୋଗାଣକାରୀ ମୋଟା ଅଙ୍କରେ ଲାଭବାନ ହୋଇଥାଏ। ଏହି ବିଜୁଳି ସଂଯୋଗକୁ ନେଇ ବିବାଦ ଉପୁଜିଥିଲା। ବ୍ୟବସାୟୀମାନେ କଳାବଜାରୀର ଶିକାର ନ ହୋଇ ସିଧାସଳଖ ବିଜୁଳି ସଂଯୋଗ ଆଣିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେ। ଏଣୁ ଆକ୍ରୋଶମୂଳକ ଭାବରେ ଏଭଳି ବେପାରୀଙ୍କ ଉପରେ ରାଗ ଶୁଝା ଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।