ପରିବା ବଜାରରେ ସାଂଘାତିକ ଅସ୍ଥିରତା : ଶୋଷୁଛନ୍ତି ଖୁଚୁରା ବେପାରୀ

ପାଇକାରୀ ଦର କଥା ବୁଝୁଛି କିଏ? ଘଡ଼ି ଘଡ଼ି‌କେ ବଦଳୁଛି ଦର

ଖଣ୍ଡଗିରି : ତାଲା ବନ୍ଦ ଯୋଗୁଁ ଖୁଚୁରା ପରିବା ବେପାରୀଙ୍କୁ ମଉକା ମିଳିଛି। ମନଇଚ୍ଛା ଦର କରୁଛନ୍ତି। ଘଡ଼ି ଘଡ଼ିକେ ଦର ନିର୍ଦ୍ଧାରଣ ହେଉଛି। କହିବାକୁ କେହି ନାହିଁ। ଯେମିତି ପାରିଲେ ସେମିତି ଖାଉଟିଙ୍କୁ ଶୋଷିଲେ। ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ଆକାଶପାତାଳ ଫରକ୍‌। ପାଇକାରୀ ଦର ‌କିଏ କେଉଁଠି ନିର୍ଦ୍ଧାରଣ କରୁଛି, ତାହା ଖାଉଟି ଜାଣିବା ସମ୍ଭବ ହେଉନାହିଁ।

ମଙ୍ଗଳବାର କ୍ୟାପିଟାଲ ହାଟରୁ ପରିବା କିଣିଥିବା କିଛି ଗ୍ରାହକଙ୍କ ସୂଚନାନୁସାରେ ପରିବା ଦର ବେଶ୍ ଭଲ ରହିଛି। କେବଳ ପୋଟଳକୁ ବାଦ୍‌ ଦେଲେ ଅନ୍ୟ ସବୁ ପରିବା ହାରାହାରି ୨୦ଟଙ୍କା‌ରେ ବିକ୍ରି ହୋଇଥିଲା। କାପ୍‌ସିକମ୍ ଭଳି କିଛି ପରିବା କମ୍ ଦର(କିଲୋ ୧୦ ଟଙ୍କା)ରେ ମିଳୁଛି। ପୋଟଳ କିଲୋ ୬୦ରୁ ଅଧିକ ରହିଥିଲା। ମାତ୍ର କ୍ୟାପିଟାଲ ହାଟ ଦର ସହିତ ଭରତପୁରରେ ପରିବା ଦର ତୁଳନା କଲେ, ଖାଉଟିମାନେ କିଭଳି ଶୋଷଣର ଶିକାର ହେଉଛନ୍ତି, ତାହା ଜଳଜଳ ଦେଖାଯିବ। ଭରତପୁରରେ କୌଣସି ସବୁଜ ପରିବା କିଲୋ ୬୦ ଟଙ୍କାରୁ ତଳକୁ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିଭଳି ଡୁମୁଡୁମା ଅଞ୍ଚଳରେ ମଧ୍ୟ କେଉଁଠି କେତେବେଳେ କି ଦର ରହୁଛି, ଖାଉଟିମାନେ ବୁଝିବା ସମ୍ଭବ ହେଉନାହିଁ। ମଙ୍ଗଳବାର ଡୁମୁଡୁମାରେ ସାପ୍ତାହିକ ହାଟ ପାଳିଥିବାରୁ ‌ଲୋକମାନେ ଭଲ ଦରରେ ପରିବା କିଣିଛନ୍ତି। କିନ୍ତୁ କଳିଙ୍ଗନଗର, ତମାଣ୍ଡୋ ଓ ଯାଁଳାରେ ପରିବା ଚଢ଼ା ଦରରେ ବିକ୍ରି ହୋଇଛି।

କ୍ୟାପିଟାଲ ଓ ଖୋର୍ଦ୍ଧା ହାଟରେ ବାଇଗଣ କିଲୋ ୨୦ ଟଙ୍କା ଥିବା‌ ବେଳେ ଏହି ଅଞ୍ଚଳରେ କିଲୋ ୪୦ଟଙ୍କାରେ ବିକ୍ରି ହୋଇଛି। ଆଳୁକୁ ନେଇ ବଡ଼ ସମସ୍ୟା ଦେଖାଦେଇଛି। କୁବେରପୁରୀରେ ଆଳୁର ପାଇକାରୀ ଦର ୧୫/୧୬ ଟଙ୍କା ରହିଛି। ମାତ୍ର କିଛି ଖୁଚୁରା ବଜାରରେ କିଲୋ ୩୦ଟଙ୍କା ଛୁଇଁ ସାରିଲାଣି। ଭରତପୁରରେ ଆଜି କିଲୋ ୩୦ଟଙ୍କା ହୋଇଥିବା ଲୋକେ କହିଛନ୍ତି। ଡୁମୁଡୁମାରେ କିଲୋ ୨୮ଟଙ୍କା ‌ବୋଲି ଖାଉଟିମାନେ କହିଛନ୍ତି। କିନ୍ତୁ ଯାଁଳା, ତମାଣ୍ଡୋ ଓ ଛତାବର ଭଳି ବଜାରରେ ଆଳୁ କିଲୋ ୨୦ଟଙ୍କା ରହିଥିବା ଜଣାପଡ଼ିଛି। ସେହିଭଳି ପାଇକାରୀ ଦର ହିସାବରେ ପିଆଜ ୨୦/୨୨ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ କିଲୋ ୩୦/୩୫ ଟଙ୍କା କରି ଦେଲେଣି। ପରିବା ବଜାରରେ ଖୁଚୁରା ବେପାରୀମାନେ ଏଭଳି ଶୋଷଣ ନୀତି ଆପଣେଇଥିଲେ ବି ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି। ଏଭଳି ଘଡ଼ିସନ୍ଧି ସମୟରେ ଖାଉଟିମାନଙ୍କୁ ସୁରକ୍ଷା ନ ଦେଲେ, ଗରିବ ଜନସାଧାରଣ ବଡ଼ ସମସ୍ୟାରେ ପଡ଼ିବେ ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର