ଗାଡ଼ି ଧକ୍କାରେ ବଣଭୁଆ ମୃତ

ଧଉଳି: ଭୁବନେଶ୍ୱର-କଟକ ବାଇପାସ୍‌ ଜାତୀୟ ରାଜପଥରେ ଆଜି ରାତି ପ୍ରାୟ ୮ଟା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ବଣଭୁଆ ଛୁଆର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛ। ତେବେ ଏହି ଜନ୍ତୁଟିକୁ କେହି କେହି ହେଟାବାଘ କରୁଥିବା ବେଳେ ମଞ୍ଚେଶ୍ୱର ରେଞ୍ଜ୍‌ ଅଫିସର ଗୌରଗୋପାଳ ସି ଏହାକୁ ବଣଭୁଆ(ଜଙ୍ଗଲୀ କ୍ୟାଟ୍‌) ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହା ଶିକାରୀ ପ୍ରଜାତିର ‘ଫିସିଙ୍ଗ୍‌ କ୍ୟାଟ’ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବରିଷ୍ଠ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି । ତବେ ଏହି ସଡ଼କ ଦୁର୍ଘଟଣାରେ ଆଉ ଏକ ବଣଭୁଆ ବର୍ତ୍ତି ଯାଇଥବା କେତେଜଣ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଖବର ପାଇ ପ୍ରଥମେ ଧଉଳି ଥାନା ପୁଲିସ ସେଠାରେ ପହଞ୍ଚି ମୃତ ଜନ୍ତୁଟିକୁ ରାସ୍ତାରୁ ଉଠାଇ ରେଞ୍ଜ କର୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇ ମଞ୍ଚେଶ୍ୱର ରେଞ୍ଜ୍‌ ଅଫିସର ଶ୍ରୀ ସିଙ୍କ ସମେତ ବିଭାଗୀୟ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଏହାର ତଦନ୍ତ କରିଥିବା ଜଣାପଡ଼ିଛି। ରେଞ୍ଜ ଅଫିସରଙ୍କ କହିବାନୁଯାୟୀ ଏହାର ଉଚ୍ଚତା ଦେଢ଼ ଫୁଟ ମଧ୍ୟରେ ହୋଇଥିବା ବେଳେ ବୟସ ପାଖାପାଖି ୪ ବର୍ଷ ହେବ। ଏହା ବାଲିପାଟଣା ରେଞ୍ଜ୍‌ ସୀମା ପରିସରଭୁକ୍ତ ବାଲିଅନ୍ତା ସ୍ଥିତ କୁଆଖାଇ ନଦୀପଠାର ଗ୍ରାମ୍ୟ ଜଙ୍ଗଲରୁ ଜାତୀୟ ରାଜପଥ ଆଡ଼କୁ ପଳାଇଆସିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଦୁର୍ଘଟଣାରୁ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଥିବା ଅନ୍ୟ ବଣଭଆଟି ଜନବସତି ମୁହାଁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଛନ୍ତି। ଆସନ୍ତା କାଲି ଓୟୁଏଟିର ଏନେଇ ଉର୍ଦ୍ଦିଷ୍ଟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ମୃତ ଜୀବଟିର ଶବ ବ୍ୟବଚ୍ଛେଦ ହେବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର