ଭିଜିଲାନ୍ସ ଜାଲରେ ପୁଲିସ: ୧୦ ବର୍ଷରେ ୧୪

ଭୁବନେଶ୍ବର: ୨୦୧୮ ସେପ୍ଟେମ୍ବର ୩ ତାରିଖ ସଂଧ୍ୟା। ଜଟଣୀ ଥାନାର ତତ୍କାଳୀନ ଇନ୍ସପେକ୍ଟର ସଂଜୀବ ମହାନ୍ତି ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସ୍ବତନ୍ତ୍ର ସେଲ ତାଙ୍କୁ ଟ୍ରାପ କରିଥିଲା। ଗତକାଲି ଧଉଳି ଥାନା ଏସଆଇ ପ୍ରଦୀପ ମହଲା ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବ‌ା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ମାତ୍ର ୫ ମାସ ମଧ୍ୟରେ କମିସନରେଟ ପୁଲିସର ଦୁଇ ଦୁଇ ଜଣ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ପରେ କମିସନରେଟ ପୁଲିସ ଏବେ ବଦନାମ ହେବାକୁ ବସିଛି। କେତେକ ଲାଞ୍ଚୁଆ ପୁଲିସ ଅଧିକାରୀଙ୍କ ପାଇଁ ରାଜ୍ୟର ଶ୍ରେଷ୍ଠ ପୁଲିସ ବୋଲାଉଥିବା‌ କମିସନରେଟ ପୁଲିସ ଅପଦସ୍ଥ ହେଉଛି। କେବଳ ଏହି ଦୁଇଟି ଘଟଣା କାହିଁକି, କମିସନରେଟ ପୁଲିସ ପ୍ରତିଷ୍ଠା ହେବା ଦିନଠାରୁ ଆଜି ଯାଏ ପାଖାପାଖି ୧୪ଜଣ ପୁଲିସ ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଇନ୍ସପେକ୍ଟରଙ୍କଠାରୁ ଆରମ୍ଭ କରି ଏଏସଆଇ ପର୍ଯ୍ୟନ୍ତ ଅଧିକାରୀମାନେ ମଧ୍ୟ ଅଛନ୍ତି। ବଡ଼ କଥା ହେଉଛି, ଏହି ସବୁ ଲାଞ୍ଚ କାରବାର ଜମିଜମା କାରବାରକୁ ନେଇ ହୋଇଥିବା ନଜରକୁ ଆସିଛି।

ରୁଜୁ ହେବ ଆୟ ବହିର୍ଭୂତ ସମ୍ପତ୍ତି ମାମଲା
ଏସଆଇ ଶ୍ରୀ ମହଲାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଆଉ ଏକ ମାମଲା ରୁଜୁ କରାଯିବ। ଗତକାଲି ଗିରଫ ହେବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ପୈତୃକ ଘର, ଧଉଳି ସରକାରୀ କ୍ବାର୍ଟର୍ସ ଓ ଥାନା ଚାମ୍ବର ଯାଞ୍ଚ କରାଯାଇଥିଲା। ଏହି ସମୟରେ ତାଙ୍କ କ୍ବାର୍ଟର୍ସରୁ ନଗଦ ଟଙ୍କା, ବହୁ ପରିମାଣର ସୁନାଗହଣା ଆଦି ଠାବ ହୋଇଥିଲା। ଏହାଛଡ଼ା ଗାଁରେ ତାଙ୍କରେ ଦୁଇ ମହଲା ଘର, ଭୁବନେଶ୍ବରରେ ଜମି ଥିବା ଜଣାପଡ଼ିଛି। ତେଣୁ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଖୁବ କମ ଦିନରେ ସେ ଏତେଗୁଡ଼ିଏ ସମ୍ପତ୍ତିର ଅଧିକାରୀ ହେବା ଜାଣି ଭିଜିଲାନ୍ସର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଜମିଜମା କାରବାର ପାଇଁ ଲାଞ୍ଚ
କମିସନରେଟ ପୁଲିସ ଜମିଜମା କାରବାରରେ ସଂପୃକ୍ତ ରହୁଛି। କେଉଁଠି ବିଲଡର୍‌ମାନଙ୍କ ସହ ମିଶି ଜମି ଅଧିଗ୍ରହଣ(ପଜେସନ) ଦେଉଛନ୍ତି ତ ଆଉ କେଉଁଠି ବିଲଡର୍‌ଙ୍କ ନାଁରେ ପୁଳାପୁଳା ଠକେଇ ଅଭିଯୋଗ ଆସୁଥିଲେ ମଧ୍ୟ ପୁଲିସ କିଛି ବି ଶୁଣୁନାହିଁ। ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଧଉଳି ଥାନା ଏସଆଇ ଶ୍ରୀ ମହଲାଙ୍କ ଘଟଣା ମଧ୍ୟ ସମାନ ଥିଲା। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ବେରବୋଇ ଅଞ୍ଚଳର ଜ୍ୟୋତିରଂଜନ ପାଣି ଜଣେ ବିଲଡର୍‌ଙ୍କଠାରୁ ଧଉଳି ଥାନା ଅଧୀନ ସରଦେଇପୁରରେ ଏକ ଜମି କିଣିଥିଲେ। କିନ୍ତୁ ଉକ୍ତ ବିଲଡର୍‌ ତାଙ୍କୁ ଜମି ଦେବାରେ ଦିନ ଗଡ଼ାଇ ଚାଲିଥିଲେ। ଓଲଟି ବିଲଡର୍‌ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜ୍ୟୋତିରଂଜନଙ୍କୁ ଥାନାକୁ ଡକାଇ ଧମକଚମକ ଦେବା ସହ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲା। ଜ୍ୟୋତିଙ୍କଠାରୁ ଏସଆଇ ଶ୍ରୀ ମହଲା ପ୍ରଥମେ ୨୦ ହଜାର ଟଙ୍କା ଓ ଗତକାଲି ୩୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

ପୂର୍ବରୁ ମଧୢ ଭିଜିଲାନ୍ସ ଧରିଛି
ଲାଞ୍ଚ ନେଇ ଧଉଳି ଥାନା ଏସଆଇ ଗିରଫ ହେବା କମିସନ‌େରଟ ପୁଲିସ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ୨୦୧୫ ମସିହା ମେ ୨୩ ତାରିଖରେ ଧଉଳି ଥାନା ଇନ୍ସପେକ୍ଟର ଦେବୀପ୍ରସାଦ ଦାସ ମଧୢ ଲାଞ୍ଚ ନେଇ ଗିରଫ ହୋଇଥିଲେ। ପୂର୍ବରୁ ଜଟଣୀ ଥାନା ଏସ୍‌ଆଇ ରାକେଶ ସାମନ୍ତରାୟ ଓ ପରେ ନବ କିଶୋର ମହାପାତ୍ରଙ୍କୁ ମଧୢ ଭିଜିଲାନ୍ସ ଗିରଫ କରିଥିଲା। ଏହାର କିଛି ଦିନ ପୂର୍ବରୁ ନନ୍ଦନକାନନ ଥାନା ଏଏସ୍‌ଆଇ ଅମିନ୍‌ ଖାନ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ବଡ଼କଥା ହେଉଛି କମିସନରେଟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଜଣେ ଏସ୍‌ଆଇ ତତ୍କାଳୀନ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କୁ ଭେଟାଇବାକୁ ଦେବାକୁ କହି ଜଣେ ମହିଳାଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଗିରଫ ହୋଇଥିଲେ।

ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, ନିଲମ୍ବିତ ହେଲେ ଏସଆଇ ମହଲା
୫ ମାସ ମଧ୍ୟରେ ଦୁଇ ଦୁଇ ଜଣ ପୁଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି। ସମସ୍ତ ଜୋନ୍‌ ଏସିପି ଓ ଇନ୍ସପେକ୍ଟରଙ୍କ କଡ଼ା ଭାଷାରେ ତାଗିଦ କରିଛନ୍ତି। କହିଛନ୍ତି, ଯେଉଁ ଥାନାରେ ଏଭଳି ଘଟଣା ସାମନାକୁ ଆସିବ, ସେହି ଥାନା ଇନ୍ସପେକ୍ଟର ଓ ଜୋନ ଏସିପିମାନେ ଦାୟୀ ରହିବେ। ସେମାନଙ୍କୁ ମଧ୍ୟ ନୋଟିସ କରାଯିବ। ସେହିପରି ଗତକାଲି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଏସଆଇ ଶ୍ରୀ ମହଲାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ରାଜଧାନୀ ଉପକଣ୍ଠ ଥାନା ଏବେ ଭିଜିଲାନ୍ସର ଟାର୍ଗେଟରେ
ରାଜଧାନୀ ଭୁବନେଶ୍ବରର କଳେବର ବଢ଼ିବା ସହ ଉପକଣ୍ଠରେ ଥିବା ଜମି କାରବାର ମଧ୍ୟ ବଢ଼ିବାରେ ଲାଗିଛି। ଏହାର ଫାଇଦା ଉଠାଉଛନ୍ତି ବିଲଡର। ପୁଲିସ କର୍ମଚାରୀଙ୍କୁ ହାତ କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି। ଜଟଣୀ, ତମାଣ୍ଡୋ, ଚନ୍ଦକା, ଖଣ୍ଡଗିରି, ଏୟାରଫିଲଡ୍‌, ନନ୍ଦନକାନନ, ଇନଫୋସିଟି, ଧଉଳି, ବାଲିଅନ୍ତା, ବାଲିପାଟଣା, ମଞ୍ଚେଶ୍ବର ଥାନା ଉପରେ ବିଲଡର୍‌ମାନଙ୍କ ପ୍ରଭାବ ରହିଛି। ବିଲଡର୍‌ମାନଙ୍କ ଦଲାଲ ଥାନାରେ ଉପସ୍ଥିତ ରହି ସମସ୍ତ ପ୍ରକାର ଜମିଜମା କାରବାରର ସମାଧାନ କରାଉଛନ୍ତି। ଏହା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି। ଗତ ୫ ମାସ ମଧ୍ୟରେ ଜଟଣୀ ଓ ଧଉଳି ଥାନା ଉପରେ ଭିଜିଲାନ୍ସ ଚଢ଼ଉ ଏହାର ଉଦାହରଣ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଥାନା ଆଗରେ ଲାଗିବ ପୁଲିସ କମିସନର ଓ ଡିସିପିଙ୍କ ମୋବାଇଲ୍ ନମ୍ବର
ଅନେକ ସମୟରେ ପୁଲିସ (ଲାଞ୍ଚୁଆ) ବିରୋଧରେ ଅଭିଯୋଗ, ଉପରିସ୍ଥ ଅଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ଅନେକ ଅଭିଯୋଗକାରୀ ଭିଜିଲାନ୍ସଠାରୁ ଆରମ୍ଭ କରି କୋର୍ଟ ଓ ଗଣମାଧ୍ୟମ ନିକଟକୁ ଯାଉଛନ୍ତି। ତେଣୁ କମିସନରେଟ ପୁଲିସ ପକ୍ଷରୁ ଏକ ନୂଆ ଯୋଜନା ହାତକୁ ନିଆଯାଇଛି। କଟକ ଓ ଭୁବନେଶ୍ବରର ସମସ୍ତ ଥାନା ସମ୍ମୁଖରେ ପୁଲିସ କମିସନର, ଦୁଇ ସହରର ଡିସିପି, ଜୋନାଲ ଏସିପିଙ୍କ ସିୟୁଜି ମୋବାଇଲ ନମ୍ବରର ଏକ ଫ୍ଲେକ୍ସ ମରାଯିବ। ଅଭିଯୋଗକାରୀଏହି ନମ୍ବରରେ ଯୋଗାଯୋଗ କରି ଲାଞ୍ଚୁଆ ପୁଲିସ ଅଧିକାରୀଙ୍କ ସମ୍ପର୍କରେ ଖବର ଦେଇ ପାରିବେ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର