ଭିଜିଲାନ୍ସ ହାତରେ ସିସିଟିଭି ଫୁଟେଜ୍‌

ଜଟଣୀ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ଦୁର୍ନୀତି ପ୍ରସଙ୍ଗ

ଜଟଣୀ: ଜଟଣୀ ଫ୍ଲାଏ ଓଭର୍‌ ବ୍ରିଜ୍‌ ନିର୍ମାଣ ନିମ୍ନମାନର ହୋଇଥିବା ସମ୍ପର୍କରେ ବର୍ଷେ ତଳୁ ଅଭିଯୋଗ ଉଠିିଥିଲା। ତେବେ ତାହାର ତଦନ୍ତ ନ ହେବାରୁ ଅନ୍ୟତମ ଅଭିଯୋଗକାରୀ ତଥା ଜଟଣୀ ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ୨୦୧୭ ଫେବ୍ରୁଆରି ୯ରେ ତଦନ୍ତ କରାଯାଇଥିଲା। ମାତ୍ର ସେଥିରେ କୌଣସି ଅଗ୍ରଗତି ନ ହେବାରୁ ବ୍ୟବସାୟୀ ସଂଘ ପକ୍ଷରୁ ସିସିଟିଭି ଫୁଟେଜ୍‌କୁ ତଦନ୍ତ ପ୍ରକ୍ରିୟାରେ ଗ୍ରହଣ କରିବାକୁ ନିବେଦନ କରାଯାଇଥିଲା। ଆଜି ସେହି ଫୁଟେଜ୍‌ ଭିଜିଲାନ୍ସ ଏସ୍‌ପି ଭୁବନେଶ୍ୱର ହାତକୁ ନେଇଛନ୍ତି। ଅପରପକ୍ଷେ, ଦୁଇଦୁଇ ଥର ଦୁର୍ଘଟଣା ସାମନା କରିଥିବା ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍‌ର ନିର୍ମାଣକାରୀ ସଂସ୍ଥା ଫଣ୍ଡା ଇନ୍‌ଫ୍ରା ପ୍ରା. ଲି. ମଧ୍ୟ ଜଟଣୀ ଓଭର୍‌ବ୍ରିଜ୍‌ ନିର୍ମାଣ କରୁଛି। ସୁତରାଂ ଜଟଣୀ ବ୍ରିଜ୍‌ ନିର୍ମାଣ ନିମ୍ନମାନର ହୋଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ, ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିବା ବେଳେ ପାଇଲିନ୍‌ କାର୍ଯ୍ୟରେ ଅନିୟମିତତାର ଅଭିଯୋଗ ଉଠିଥିଲା। ରାଉରକେଲା ଏନ୍‌ଆଇଟି ଟିମ୍‌ ୬ମାସ ହେଲା ଏହାର ତଦନ୍ତ କରିଥିଲେ ବି ରିପୋର୍ଟ ସାଧାରଣରେ ପ୍ରକାଶ କରାଯାଉନାହିଁ। ୩ ମାସରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ଘୋଷଣା କରିଥବା ଏନ୍‌ଆଇଟି ଏ ବାବଦରେ ଏ ଯାଏ ନିରବ ରହିଛି। ଫଳରେ ପୂର୍ତ୍ତବିଭାଗ ଉକ୍ତ ଠିକାସଂସ୍ଥାକୁ ଅନୁକମ୍ପା ଦେଖାଇ ରିପୋର୍ଟକୁ ଚାପି ରଖିଥିବା ଚର୍ଚ୍ଚା ହେଉଛି। ସୂଚନା ଯୋଗ୍ୟ, ୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜ୍‌ ନିର୍ମାଣ ପାଇଁ ୨୦୧୫ ଜୁଲାଇ ୨୯ରେ ପଣ୍ଡା ଇନ୍‌ଫ୍ରା ଟେଣ୍ଡର ପାଇ ଚୁକ୍ତି କରିଥିଲା । ୩ବର୍ଷ ବିତିଯାଇଥିଲେ ମଧ୍ୟ ୩୦ଭାଗ କାମ ସରିନଥିବା ବେଳେ ବମିଖାଲ ଘଟଣା ପରେ ଜଟଣୀ ଓଭର୍‌ ବ୍ରିଜ୍‌ର ନିର୍ମାଣରେ ଅନିଶ୍ଚିତତା ଦେଖା ଦେଇଛି।

ସମ୍ବନ୍ଧିତ ଖବର