ଭୁବନେଶ୍ବର: ପୋଡ଼ପିଠା ଖାଇଲେ, ଦୋଳିରେ ଝୁଲିଲେ ଓ ପରସ୍ପରକୁ ପାନ ବାଣ୍ଟି ରଜର ଶୁଭେଚ୍ଛା ଜଣାଇଲେ। ଭୁବନେଶ୍ୱରର ଛାତି ଉପରେ ଛିଡ଼ା ହୋଇଥିବା ‘ଏସ୍ପ୍ଲାନେଡ୍ ୱାନ୍’ ମଲ୍ରେ ଏଭଳି ଗ୍ରାମ୍ୟ ପରିବେଶରେ ରଜ ପାଳନ କରିବାକୁ ଆଜି ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସହରର ଚାକଚକ୍ୟ ଭିତରେ ହଜି ଯାଉଥିବା ଏହି କୃଷିଭିତ୍ତିକ ପର୍ବ ପାଳନ କରିବା ଲାଗି ଏମିତି ଏକ ନିଆରା ସୁଯୋଗ ଆଣିଦେଇଥିଲା ଓଡ଼ିଶାର ନମ୍ବର-୧ ଏଫଏମ୍ ଚ୍ୟାନେଲ ‘ରେଡିଓ ଚକଲେଟ୍’। ଓଡ଼ିଆ ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମର ନାଁ ଥିଲା ‘ବରଷକେ ଥରେ ଆସଛି ରଜ’। ଏଥିରେ ରେଡିଓ ଚକଲେଟ୍ ପକ୍ଷରୁ କରାଯାଇଥିବା ପ୍ରତିଯୋଗିତା ଓ ବିଭିନ୍ନ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ପହିଲି ରଜର ସନ୍ଧ୍ୟାକୁ ଆହୁରି ରଙ୍ଗିନ୍ କରିଦେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
‘ବନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ…’, ‘ମେରେ ଢୋଲନା ସୁନ୍ ମେରେ ପ୍ୟାର୍ କି ଧୁନ୍…’, ‘ମୌଲା ମେରେ ଲେଲେ ମେରି ଜାନ୍…’ ଗୀତରେ ଦର୍ଶକ ନିଜକୁ ହଜାଇ ଦେଇଥିଲେ। ତାରିକ୍ ଅଜିଜ୍, ବର୍ଣ୍ଣାଳୀ ହୋତା, କସ୍ତୁରି ଦାସ, ଜ୍ୟୋତି ବୋଥ୍ରାଙ୍କ କଣ୍ଠର ଯାଦୁ ଦର୍ଶକଙ୍କୁ ମତୁଆଲା କରି ଦେଇଥିଲା। ସେହିପରି ଦିବ୍ୟଜ୍ୟୋତି ସେବାଶ୍ରମ ପିଲାଙ୍କ ପକ୍ଷରୁ ବନସ୍ତେ ଡାକିଲା ଗଜରେ ନାଚ, ପୁଚିଖେଳ ସାଙ୍ଗକୁ ରଜ ଦୋଳି ଝୁଲା ଦର୍ଶକଙ୍କୁ ଏକ ଅଲଗା ଅନୁଭୂତି ଦେଇଥିଲା। କମେଡି କିଙ୍ଗ୍ ପୁପୁ ପମ୍ପମ୍ ମଧ୍ୟ ସମସ୍ତଙ୍କୁ ହସେଇ ହସେଇ ବେଦମ୍ କରିଥିଲେ। କାର୍ଯ୍ୟକ୍ରମରେ ଦଧିଚି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍, ସୌକିନ୍ ମ୍ୟାଟର୍ସ, କନକ ମହାଲକ୍ଷ୍ମୀ ଜୁଏଲର୍ସ, ନାଇଡୁ ହାୟର ସେକେଣ୍ଡାରି ସ୍କୁଲ୍, ସଲ୍ୟୁସନ୍ଟୁ ଚେଞ୍ଜ୍, ଅଖିଲ୍ ଫଟୋଗ୍ରାଫି ଏବଂ ୱାଓ ମୋ ମୋ ସହଯୋଗ କରିଥିଲେ। ଆର୍ଜେ ଅନିଲ୍, ଆର୍ଜେ କୋମଲ୍, ଆର୍ଜେ ଅଭି ଏବଂ ଆର୍ଜେ ନିଭି ମଞ୍ଚ ପରିଚାଳନା କରିଥିବା ବେଳେ ସୁବ୍ରତ, ସତ୍ୟ, ଅଭିନାଶ,ସୌମିତ୍ରୀ, ରୋଜ୍ଲିନ୍, ଐଶ୍ବର୍ଯ୍ୟା ଏବଂ ବାରିସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ରେଡିଓ ଚକ୍ଲେଟ୍ରେ ଶ୍ରେଷ୍ଠ ୫ ଅଣୁ ଗଳ୍ପ
କାର୍ଯ୍ୟକ୍ରମକୁ ଅଧିକ ମଜାଦାର କରିବା ପାଇଁ ଅଣୁ ଗଳ୍ପ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ରୁ ଊର୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ଗଳ୍ପ ପାଠ କରିଥିଲେ। ଏଥିପାଇଁ ୩ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଥିଲା। ବିଚାରକ ଭାବେ ଯୋଗ ଦେଇଥିବା ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର, ଭାସ୍ବତୀ ବସୁ ଓ ମାନସ ପଢ଼ିଆରୀ ଶ୍ରେଷ୍ଠ ୫ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ସ୍ବାଗତିକା ଦାସଙ୍କ ‘ପଚା ନାଉ’, ରାଜଶ୍ରୀ ସାହୁଙ୍କ ‘ନିରବ ଶବ୍ଦ’, ଚକଲେଟ୍ ସହୁଙ୍କ ‘ଚମକ୍ ଦେଲା ଚମକେଇ’, ଅନୁଜ୍ କୁମାର ଦାସଙ୍କ ‘ତୃପ୍ତି ରୁଷିଛି’ ଏବଂ ଜ୍ୟୋତି ରଂଜନ ସାହୁଙ୍କ ‘ଫେୟାର ଆଣ୍ଡ ଲଭ୍ଲି’କୁ ଶ୍ରେଷ୍ଠ ଅଣୁଗଳ୍ପ ଭାବେ ଚୟନ କରାଯାଇଥିଲା। ଉକ୍ତ ଗଳ୍ପଗୁଡ଼ିକୁ ରେଡିଓ ଚକ୍ଲେଟ୍-୧୦୪ରେ ସ୍ଥାନ ମିଳିଛି।
ପୋଡ଼ ପିଠା ପାଇଁ ଭିଡ଼
ରଜରେ ପୋଡ଼ପିଠା ଖାଇବାର ମଜା ଟିକେ ନିଆରା। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ପିଠାପଣା ତିଆରି କରିବା ସହରବାସୀଙ୍କ ପାଇଁ କାଠିକର ପାଠ। ମା’ ଗୌରୀ ଏସ୍ଏଚ୍ଜି ରାଜଧାନୀବାସୀଙ୍କ ଏହି ଅଭିଳାଷକୁ ପୂରଣ କରିଥିଲା। ଏସ୍ଏଚ୍ଜି ପକ୍ଷରୁ ପୋଡ଼ପିଠା, ଆରିଶା, କାକରା ଆଦି ତିଆରି କରି ବିକ୍ରି କରାଯାଇଥିଲା। ରଜ ଖାଇବା ପାଇଁ ବେଶ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।