ବାଲିଅନ୍ତା : ସରକାରୀ ଜମି ଜବରଦଖଲର ପ୍ରତିବାଦ କରିବାରୁ ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ସାରଦା ପ୍ରସାଦ ସାମନ୍ତରାୟ ଓ ତାଙ୍କ ଘରେ କାମ କରୁଥିବା ମହିଳା ଜେମା ଭୋଇ ଥାନା ଓ କୋର୍ଟରେ ଅନେକ ଗ୍ରାମବାସୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ମିଛ ମାମଲା ରୁଜୁ କରିଛନ୍ତି। ଏହାର ପ୍ରତିବାଦରେ ଗତ ୧୦ ତାରିଖରେ ପ୍ରଥମେ ଗ୍ରାମବାସୀ ସମୂହ ବାଲିଅନ୍ତା ଥାନା ଘେରାଉ କରିଥିବା ବେଳେ ଆଜି ପୂର୍ବାହ୍ନରେ ଲକ୍ଷ୍ମୀସାଗର ଥାନା ପରିସରରେ ଥିବା ଜୋନ୍-୪ ଏସିପି ଶୁଭେନ୍ଦୁ ସିହ୍ନାଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଦଳିତ ଓ ଆଦିବାସୀ ମହାସଂଘର ତତ୍ତ୍ୱାବଧାନରେ ଶହ ଶହ ଗ୍ରାମବାସୀ ପ୍ରଥମେ ଲକ୍ଷ୍ମୀସାଗର ଛକରୁ ଏକ ବିରାଟ ର୍ୟାଲିରେ ବାହାରି ଏସିପିଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ପରେ ସଂଘର ରାଜ୍ୟ ସଭାପତି ଲିଟୁ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସମସ୍ତ କର୍ମକର୍ତା ଉପରୋକ୍ତ ପ୍ରସଙ୍ଗ ସହିତ ବିଭିନ୍ନ ସମୟରେ ନିର୍ଦ୍ଦୋଷ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିବା ଏବଂ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସାରଦାଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଅଡ଼ି ବସିଥିଲେ। ୨୦୧୭ ମସିହାରୁ ଆଜି ଯାଏ ଗ୍ରାମବାସୀଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ରଦ୍ଦ କରିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଗ୍ରାମବାସୀମାନଙ୍କର ପ୍ରମୁଖ ଦାବି ଥିଲା। ଶେଷରେ ସଂଘର ସଭାପତି ଶ୍ରୀ ଦାସଙ୍କ ସହ ୬ ଜଣିଆ ପ୍ରତିନିଧି ଦଳ ଡିସିପି ଅନୁପ ସାହୁଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଡିସିପି ଶ୍ରୀ ସାହୁ ଆସନ୍ତା ସପ୍ତାହକ ମଧ୍ୟରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା କର୍ମକର୍ତାମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ ସାରଦା ୨୦୦୫ ମସିହାରୁ ଏଯାବତ୍ ଗ୍ରାମବାସୀଙ୍କ ନାମରେ ୪୬ଟି ମାମଲା ରୁଜୁ କରିଥିବା ଜଣାପଡ଼ିଛି।