ଭିଙ୍ଗାରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର : ଓଳିଏ ଖୋଲିଲେ ଓଳିଏ ବନ୍ଦ

ବାଲିଅନ୍ତା : ବାଲିଅନ୍ତା ଅଞ୍ଚଳର ସର୍ବ ପୁରାତନ ଭିଙ୍ଗାରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘବର୍ଷ ହେବ ଅବ୍ୟବସ୍ଥା ଜାରି ରହିଛି। ପ୍ରଶାସନିକସ୍ତରରେ ଅବହେଳା, ଦାୟିତ୍ୱରେ ଥିବା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଆଖପାଖ ୮ଟି ପଞ୍ଚାୟତର ପ୍ରାୟ ୨୦ ହଜାର ଲୋକ ସର୍ବନିମ୍ନ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଆବଶ୍ୟକ ସଂଖ୍ୟକ ଡାକ୍ତର, ଷ୍ଟାଫନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। ଡାକ୍ତରଖାନା ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି। ଦୀର୍ଘବର୍ଷ ଧରି ସମସ୍ୟା ଲାଗି ରହିଥିବାରୁ ସ୍ୱାସ୍ଥ୍ୟ ସେବା ପାଇଁ ସ୍ଥାନୀୟ ଲୋକ ହନ୍ତସନ୍ତ ହେଉଛନ୍ତି। ଜରୁରୀ ଚିକିତ୍ସା ପାଇଁ ଦୂରରେ ଥିବା ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି।

ସେହିପରି ବିପଦସଙ୍କୁଳ ଅବସ୍ଥାରେ ଥିବା ଡାକ୍ତର ଓ ଷ୍ଟାଫକ୍ୱାର୍ଟର୍ସ ଯୋଗୁ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନେ ଡାକ୍ତରଖାନା ପରିସରରେ ନରହି ଅନ୍ୟତ୍ର ରହୁଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ୱାରିକା ନାଥ ଦାଶ ଡାକ୍ତରଖାନାର ଭିତ୍ତିଭୂମି ଏବଂ ସାମଗ୍ରିକ ବିକାଶ କାର୍ଯ୍ୟ ଲାଗି ଜିଲ୍ଲା ଦପ୍ତରରେ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ ଏଯାଏ କିଛି ଫଳ ମିଳିନି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକ ଏବେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନାଯାଗ୍ୟ ୧୯୩୬ରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ବର୍ତମାନ ଡାକ୍ତରଖାନରେ ଜଣେ ଆସିଷ୍ଟାଣ୍ଟ ସର୍ଜନଙ୍କ ସମେତ ଜଣେ ଫାର୍ମାସିଷ୍ଟ କାର୍ଯ୍ୟରତ। ଷ୍ଟାଫନର୍ସ ନିଯୁକ୍ତ ହୋଇଥିଲେ ହେଁ ସେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ୟୁଟି କରୁଛନ୍ତି। ଆଟେଣ୍ଡାଣ୍ଟ ପଦବି ଖାଲିପଡ଼ିଥିବା ବେଳେ ଗତ ୪ ମାସ ତଳେ ଚାକିରିରୁ ଅବସର ନେଇଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସ୍ଥାନରେ ଆଉ କେହି ନିଯୁକ୍ତି ନେଇ ନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି କାର୍ଯ୍ୟରତ ଡାକ୍ତର କୌଣସି କାରଣରୁ ଅନୁପସ୍ଥିତ ରହିଲେ ଫାର୍ମାସିଷ୍ଟ ଓ ଏଏନ୍‌ଏମ ଉପରେ ରୋଗୀମାନେ ଭରସା କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଔଷଧପତ୍ର ଓ ସାଲାଇନ କଳାବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏହି ଡାକ୍ତରଖାନା ଉପରେ ଜିଲ୍ଲା କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସଂପର୍କରେ ଅଧିକ ଜାଣିବା ପାଇଁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରି ନଥିଲା।

ସମ୍ବନ୍ଧିତ ଖବର