କ୍ୟାମ୍ପସ୍‌ ଅଚଳ, ପାଠପଢ଼ା ଠପ୍‌

ରମାଦେବୀ ବିଶ୍ୱବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀ, ଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ବିଲୀନ କରାଯିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀଙ୍କ ସମେତ ଛାତ୍ରୀମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ମୁଖ୍ୟଫାଟକରେ ତାଲା ପକାଇବା ସହ କ୍ୟାମ୍ପସକୁ ଅଚଳ କରିଦେଇଛନ୍ତି। ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ୟାମ୍ପସ ଭିତରେ ଅଟକ ରଖିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କୁ ଛାଡ଼ିଥିବା ଜଣାପଡ଼ିଛି। ଏହାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗିରହିଥିବାରୁ ପୁଲିସ ମୁତୟନ କରାଯାଇଛି। ରମାଦେବୀରେ ଥିବା ପଦବି ଉଚ୍ଛେଦ ନେଇ ଦୁଇ ଦିନ ତଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱବିିଦ୍ୟାଳୟରେ ଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପଦବିକୁ ଉଚ୍ଛେଦ କରାଗଲା। ନୂତନ ନିଯୁକ୍ତି କରାଯିବ।

ସନ୍ଧ୍ୟା ଯାଏ କୁଳପତି, ଅଧିକାରୀ କ୍ୟାମ୍ପସରେ ଅଟକ
ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ

ଏଭଳି ନିଷ୍ପତ୍ତିକୁ ବିରୋଧ କରି ପୂର୍ବାହ୍ନ ୧୧ଟାରେ ଅଧ୍ୟାପକ ଓ କର୍ମର୍ଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କାର୍ଯ୍ୟ ବନ୍ଦ କରିବା ସହ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଧାରଣା ଦେବା ପରେ କୁଳପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। କୁଳପତି କହିଥିଲେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବାରୁ ତାଙ୍କର କିଛି କରିବାର ନାହିଁ। ଏହାପରେ ଅଧ୍ୟାପକଙ୍କ ଏକ ପ୍ର୍ରତିନିଧିଦଳ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଏନେଇ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ। ଅନ୍ୟପକ୍ଷରେ ଛାତ୍ରୀ ସଂସଦ ସଭାପତି ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ, ସାଧାରଣ ସମ୍ପାଦକ ଦେବସ୍ମିତା ଦାସଙ୍କ ନେତୃତ୍ୱରେ ଛାତ୍ରୀମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି। ମୁଖ୍ୟଫାଟକରେ ତାଲା ପକାଇବା ସହ ଟାୟାର ଜାଳି ବିକ୍ଷୋଭ ପ୍ର୍ରଦର୍ଶନ କରିବାରୁ କ୍ୟାମ୍ପସ ଅଚଳ ହୋଇଯାଇଛି। ପ୍ରାୟ ୪ ଘଣ୍ଟା ଧରି କୁଳପତି, କୁଳସଚିବ, ଅଧ୍ୟାପକ, ଅଧ୍ୟାପିକା, କର୍ମର୍ଚାରୀ କ୍ୟାମ୍ପସ ଭିତରେ ଅଟକି ରହିଥିଲେ। ପୂର୍ବଭଳି ମହାବିଦ୍ୟାଳୟ ରଖିବା ସହ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଖୁବ୍‌ଶୀଘ୍ର ଜମି ଚିହ୍ନଟ କରିବାକୁ ସେମାନେ ଦାବି କରିଥିଲେ। ଏନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର