ବିରାଟ ଗଣଦୌଡ଼ ‘ଷ୍ଟପ୍‌-ଆ-ଥନ୍‌’

ଏସିଡ୍‌ ଆକ୍ରମଣ ନେଇ ସଚେତନତା ବାର୍ତ୍ତା

ଭୁବନେଶ୍ୱର: ଏସିଡ୍‌୍‌ ପୀଡ଼ିତାଙ୍କୁ ସହଯୋଗ କରିବା ଓ ଏହାର ବିକ୍ରି ଉପରେ ଅଙ୍କୁଶ ଲଗାଇବା ଦିଗରେ ସଚେତନତା ବୃଦ୍ଧି ପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଗଣଦୌଡ଼ ‘ଷ୍ଟପ୍‌-ଆ-ଥନ୍‌’ ଅନୁଷ୍ଠିତ ହୋଇଯାଇଛି। ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଇଏସ୍‌ଡି ନ୍ୟୁ ହୋପ୍‌’ ଓ ସିରୋଜ୍‌ ହ୍ୟାଙ୍ଗ୍‌ ଆଉଟ୍‌ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଗଣଦୌଡ଼କୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ‘ଷ୍ଟପ୍‌ ଏସିଡ୍‌ ଆଟାକ୍‌’ ଓଡ଼ିଶା ଚାପ୍ଟରକୁ ଶ୍ରୀ ସାମଲ ଉଦ୍‌ଘାଟନ କରିବା ସହ ପୂର୍ବତନ ମେରାଇନ୍‌ କମାଣ୍ଡୋ ସୌର୍ଯ୍ୟଚକ୍ର ପୁରସ୍କାରପ୍ରାପ୍ତ ଆଇରନ୍‌ ମ୍ୟାନ ପ୍ରବୀଣ ତିୟୋତିଆଙ୍କୁ ସମ୍ବର୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଡିଜି ଆର୍‌ ପି ଶର୍ମା, ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ପୁଲିସ୍‌ କମିସନର ୱାଇବି ଖୁରାନିଆ, ସିରୋଜ୍‌ ହାଙ୍ଗ୍‌ ଆଉଟ୍‌ର ଫାଉଣ୍ଡର ଆଲୋକ ଦୀକ୍ଷିତ ଓ ‘କନ୍ୟା ଅନ୍‌ମୋଲ୍‌ ହେ’ର ସରୋଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଆଇଏସ୍‌ଡିର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଶୁଭୋଜିତ୍‌ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ନ୍ୟୁହୋପ୍‌ର କାର୍ଯ୍ୟକର୍ତ୍ତା ମନୀଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅମିୟବାଳା ପରିଡ଼ା, ଅଭିଷେକ ବ୍ରହ୍ମା, ଭବାନୀ ପ୍ରସାଦ ନାୟକ, ସତ୍ୟନାରାୟଣ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର