ରାଜ୍ୟର ସମସ୍ତ ସଂସଦୀୟ ନିର୍ବାଚନ କ୍ଷେତ୍ରରେ ସମାବେଶ କରିବ ବିଶ୍ବ ହିନ୍ଦୁ ପରିଷଦ

ସୁପ୍ରିମକୋର୍ଟ ନିଜ କର୍ତବ୍ୟରେ ଅବହେଳା କରିଛନ୍ତି: ଆଲୋକ କୁମାର

ଭୁବନେଶ୍ବର : ରାଜ୍ୟର ସମସ୍ତ ସଂସଦୀୟ କ୍ଷେତ୍ରରେ ବିଶାଳ ସମାବେଶ ଆୟୋଜନ କରିବ ବିଶ୍ବ ହିନ୍ଦୁ ପରିଷଦ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସାଂସଦମାନଙ୍କୁ ସଂସଦରେ ଆସିବାକୁ ବିଲ୍‌କୁ ସମର୍ଥନ କରିବା ପାଇଁ ପ୍ରଭାବିତ କରାଯିବ। ଆସନ୍ତା ୧ମାସ ଭିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି ବିଶ୍ବ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର।

ଆଜି ରେଡକ୍ରସ୍ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଲେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ଆହେତୁକ ବିଳମ୍ବ ଓ ସୁପ୍ରିମକୋର୍ଟରେ ନ୍ୟାୟ ପ୍ରଦାନରେ ବିଳମ୍ବ ହିନ୍ଦୁ ସମାଜକୁ ମର୍ମାହତ କରିଛି। ସୁପ୍ରିମକୋର୍ଟରେ ରାମ ମନ୍ଦିରର ସମାଧାନ ବାଟ ଗଡ଼ି ଗଡ଼ି ଚାଲିଛି। ତେଣୁ କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ ଏ ସଂକ୍ରାନ୍ତୀୟ ବିଲ୍‌ ଆଣିବେ ବୋଲି ଆଶା କରାଯାଉଛି। ତେଣୁ ଏହି ବିଲ୍‌କୁ ସମର୍ଥନ ଜଣାଇବା ପାଇଁ କଂଗ୍ରେସଠାରୁ ଆରମ୍ଭ କରି ଯେତେ ଅଣବିଜେପି ଦଳ ରହିଛନ୍ତି ଏହାକୁ ସମର୍ଥନ କରିବା ପାଇଁ ନିବେଦନ କରାଯିବ। ଏହା ୬୮ବର୍ଷ ପୁରୁଣା ବିବାଦ। ସୁପ୍ରିମକୋର୍ଟ ଏହାର ତୁରନ୍ତ ସମାଧାନ କରିବାର ଆବଶ୍ୟକତା ରହିଥିଲା। ମାତ୍ର ଏହା ନ କରି ସୁପ୍ରିମକୋର୍ଟ ମାମଲାକୁ ଗଡ଼ାଇ ଚାଲିଛନ୍ତି। ସୁପ୍ରିମକୋର୍ଟ ନିଜ କର୍ତବ୍ୟରେ ଅବହେଳା କରିଛନ୍ତି ବୋଲି ଶ୍ରୀ କୁମାର କହିଥିଲେ।

ସେ ଆହୁରିମଧ୍ୟ କହିଥିଲେ ଯେ, ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ଶାଖାର କର୍ମକର୍ତା ଆଜି ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାସହ ତିତ୍‌ଲି ବାତ୍ୟ କ୍ଷତିଗ୍ରସ୍ତଙ୍କ ପାଇଁ ଉତ୍କଳ ବିପନ୍ନ ସହାୟତା ସମିତି, ବିଶ୍ବ ହିନ୍ଦୁ ପରିଷଦ, ରାଷ୍ଟୟୀ ସ୍ବୟଂ ସେବକ ସଂଘ ଓ ଅନ୍ୟ ସଂସ୍ଥାମାନେ ତୁରନ୍ତ ସହାୟତା ପ୍ରଦାନ କରିଥିଲେ। ଏହି ଲୋକାଭିମୁଖୀ, ଭାଇଚାରା ଓ ପରମ୍ପରା ରକ୍ଷାରେ ସହାୟତା କରିଥିବା ବ୍ୟକ୍ତିବିଶେଷ ଧନ୍ୟବାଦର ପାତ୍ର ବୋଲି ଶ୍ରୀ କୁମାର ମତବ୍ୟକ୍ତ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀର ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ, କଟକୀ ମଠର ମହନ୍ତ ରାମାନୁଜ ଦାସ, ଭୁବଶ୍ବେର ଅଲେଖ ମହିମା ସମାଜର ସନ୍ଥ ବାବା ରମେଶ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର