ବିଶ୍ବକର୍ମା‌ ମନ୍ଦିର ଭଙ୍ଗା ହେବ ନା ନାହିଁ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଯେପରି ପ୍ରତିଯୋଗିତା ଆୟୋଜନରେ କୌଣସି ପ୍ରକାରର ସମସ୍ୟା ରହିବନି ସେଥିପାଇଁ ଷ୍ଟାଡିୟମ ଚତୁଃପାର୍ଶ୍ବରୁ ଆରମ୍ଭ କରି ପୂରା ସହର ସଜେଇ ହେଉଛି। ଏପରିକି କଳିଙ୍ଗ ଷ୍ଟାଡିୟମର ନିରାପତ୍ତା ଏବଂ ସୌନ୍ଦର୍ଯ୍ୟକରଣରେ ପ୍ରତିବନ୍ଧକ ସାଜିଥିବା ଜଗନ୍ନାଥ ବସ୍ତିକୁ ପ୍ରଶାସନ ବହୁ ବାଧାବିଘ୍ନ ସତ୍ତ୍ବେ ଉଚ୍ଛେଦ କରିଛି। କିନ୍ତୁ ଷ୍ଟାଡିୟମର ଜରୁରୀକାଳୀନ ଗେଟ୍‌ ହେବାକୁ ଥିବା ସ୍ଥାନରେ ବିଶ୍ବକର୍ମା ମନ୍ଦିର ରହିଥିବାରୁ ଏପର୍ଯ୍ୟନ୍ତ ଏହା ନିର୍ମାଣ ହୋଇପାରୁନି।

ବିଶ୍ବକର୍ମା ମନ୍ଦିର ଭାଙ୍ଗିବାକୁ ବିଡିଏ, ବିଏମ୍‌ସି ଓ କ୍ରୀଡ଼ା ବିଭାଗ ଦୀର୍ଘ ମାସ ହେଲା ଉଦ୍ୟମ କରୁଥିଲେ ହେଁ ଏହା ଆଜି ପର୍ଯ୍ୟନ୍ତ ଭଙ୍ଗା ଯାଇପାରୁନି। ଏପରିକି ଏହା ଭଙ୍ଗା ହେବ କି ନାହିଁ ସେନେଇ କର୍ତ୍ତୃପକ୍ଷ କିଛି ସ୍ପ‌ଷ୍ଟ ଭାବେ କହୁନାହାନ୍ତି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବକର୍ମା ମନ୍ଦିର ଉଚ୍ଛେଦ ନେଇ ବିଡିଏର ଓଡିଏ କୋର୍ଟରେ ଶୁଣାଣି ଶେଷ ହୋଇଛି। ଓଡିଏ କୋର୍ଟ ମନ୍ଦିରକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ହାଇକୋର୍ଟ ଯେଉଁ ଅବଧି ମଧ୍ୟରେ ନିଷ୍ପତ୍ତି ନେବାକୁ କହିଥିଲେ ତାହା ‌ଶେଷ ହୋଇ ନଥିବାରୁ ଏବେ କିଛି ନିଷ୍ପତ୍ତି ନିଆଯାଇନି। ଓଡିଏ କୋର୍ଟର ନିଷ୍ପତ୍ତି ହାଇକୋର୍ଟଙ୍କୁ ଅବଗତ କରିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ଅପରପକ୍ଷେ ବିଶ୍ବକର୍ମା ମନ୍ଦିରକୁ ଫେବ୍ରୁଆରି ୨୮ସୁଦ୍ଧା ଭାଙ୍ଗିବାକୁ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌-୨୦୧୮ ପାଇଁ ବସିଥିବା ଦ୍ବିତୀୟ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ କମିସନରେଟ୍‌ ପୁଲିସ, ସାଧାରଣ ପ୍ରଶାସନ ବିଭାଗ, ବିଏମ୍‌ସି ଓ ବିଡିଏକୁ ଦାୟିତ୍ବ ଦିଆଯାଇଥିବାବେଳେ ମନ୍ଦିର ଭଙ୍ଗା ହୋଇପାରିନି। ଏହି ମନ୍ଦିର ଭାଙ୍ଗିଲେ ମନ୍ଦିର କମିଟିକୁ ଅନ୍ୟ କେଉଁଠି ଜମି ଦିଆଯିବ କି ଅନ୍ୟ କିଛି ବ୍ୟବସ୍ଥା କରାଯିବ ସେନେଇ ନିଷ୍ପତ୍ତି ନେବାକୁ ବିଏମ୍‌ସିକୁ ଦାୟିତ୍ବ ଦିଆଯାଇଛି।

କ୍ରୀଡ଼ା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ହକି ଷ୍ଟାଡିୟମ୍‌କୁ ସମ୍ପ୍ରସାରିତ କରାଯାଇଛି। ବସିବା କ୍ଷମତା ୭ ହଜାରରୁ ୧୫ ହଜାର କରାଯାଇଛି। ଏହି ହକି ଷ୍ଟାଡିୟମ୍‌ଟି ଠିକ୍‌ ବିଶ୍ବକର୍ମା ମନ୍ଦିର ପଛ ପଟେ ଥିବା ପାଚେରିକୁ ଲାଗି ରହିଛି। ଷ୍ଟାଡିୟମ୍‌ର ୨ ନମ୍ବର ଓ ୫ ନମ୍ବର ଫାଟକ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇଟି ଫୁଟ୍‌ ଓଭର‌୍‌ବ୍ରିଜ୍‌ ନିର୍ମାଣ ହେଉଛି। ଠିକ୍‌ ମନ୍ଦିର ପାଖରେ ହିଁ ଗୋଟିଏ ଫୁଟ୍‌ ଓଭର‌୍‌ବ୍ରିଜ୍‌ ନିର୍ମାଣ ଚାଲିଛି। କେବଳ ମନ୍ଦିରଟି ୩୦୦ ଡିସିମିଲିରୁ ଅଧିକ ଜାଗାରେ ନିର୍ମାଣ ହୋଇଥିବାବେଳେ ପ୍ରାୟ ୬୫୦ ଡିସିମିଲି ଜାଗା ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧୀନରେ ରହିଛି।

ଅପରପକ୍ଷରେ ମନ୍ଦିର ଯୋଗୁଁ କିଛି ଭିତ୍ତିଭୂମି କାମ ବି ଅଟକିଯାଇଛି। ମନ୍ଦିର ଭଙ୍ଗା ହେବ କି ନାହିଁ, ତାହା ସ୍ଥିର ହୋଇପାରୁ ନ ଥିବାରୁ ସେହି ଅଞ୍ଚଳରେ କାମ କିପରି କରାଯିବ ତାହା ଚୂଡ଼ାନ୍ତ ହୋଇପାରୁ ନାହିଁ। ଯଦି ମନ୍ଦିର ରହିବ, ତେବେ ଭିତ୍ତିଭୂମି କାମର ନକ୍ସା ବଦଳିବ। କାରଣ ସେହି ଜାଗାକୁ ବାଦ୍‌ ଦେଇ କର୍ତୃପକ୍ଷଙ୍କୁ ବିକଳ୍ପ ଚିନ୍ତା କରିବାକୁ ପଡ଼ିବ। ହାତରେ ଆଉ ମାତ୍ର ଗୋଟିଏ ମାସ ସମୟ ଥିବାରୁ ଶେଷ ମୁହୂର୍ତ୍ତରେ ଏହା ଅଡ଼ୁଆ ସୃଷ୍ଟି କରିବାର ଆଶଙ୍କା ରହିଛି। ଯଦି ମନ୍ଦିର ଭଙ୍ଗାଯିବ, ତେବେ ବିଳମ୍ବ ହେଲେ କାମ ବି ଠିକ୍‌ ସମୟରେ ସରିବା ନେଇ ଆଶଙ୍କା ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ହକି ଷ୍ଟାଡିୟମ୍‌ର ଜରୁରୀକାଳୀନ ଫାଟକ ସେହି ମନ୍ଦିର ଜାଗାରେ ହିଁ ରହିବ ବୋଲି ଅଗ୍ନିଶମ ବିଭାଗ ରିପୋର୍ଟ ଦେଇଛି। ହେଲେ କର୍ତ୍ତୃପକ୍ଷ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନପାରିବା ସମସ୍ତଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର