ନେତା ଡକେଇଛନ୍ତି, ଯିବାକୁ ପଡ଼ିବ…

ଭୁବନେଶ୍ବର : ଯେବେ ଭୋଟ୍‌ ଆସେ, ଆମେ ମନେପଡ଼ୁ। ଭୋଟ୍‌ ବେଳତକ ଆମେ ଯେମିତି ନେତାଙ୍କ ଗେହ୍ଲା ପୁଅ। ବାକି ଚାରି ବର୍ଷ ଏଗାର ମାସ ଆମେ ଅଲୋଡ଼ା ହୋଇଯାଉ। ‌ଭୋଟ ସରିଲେ ପେଟ ଚାଖଣ୍ଡକ ପାଇଁ ପୁଣି ଏଇ ରାଜଧାନୀକୁ ଧାଇଁ ଆସୁ। ଏଇଠି ଠିଆ ହୋଇ କାମ ପାଇଁ ବାବୁମାନଙ୍କ ଡାକକୁ ଅପେକ୍ଷା କରୁ। ୪ଶହ ଟଙ୍କା ଖର୍ଚ କରି ଗାଁ’କୁ ଯାଇ ଭୋଟ୍‌ ଦେବାକୁ ମନ ବଳେନି। ତଥାପି ଯିବାକୁ ପଡ଼େ। ଗାଁ’ରୁ ନେତା ଡକେଇ ପଠେଇଛନ୍ତି, ତେଣୁ ନଗଲେ ନ‌ଚଳେ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ଦାନ ପାଇଁ ଆଉ ମାତ୍ର ଗୋଟେ ଦିନର ଅନ୍ତର ଥିବା ବେଳେ ମଜୁରି ଖଟିବା ପାଇଁ ନୂଆପଲ୍ଲୀ ମଣିଷ ହାଟର ଭିଡ଼ ଭିତରେ ଛିଡ଼ା ହୋଇ ମଜୁରି ପାଇଁ ବାବୁମାନଙ୍କୁ ଅପେକ୍ଷା କରିଥିବା ବ୍ରହ୍ମପୁର ଗୋକୁର୍ଣ୍ଣପୁରର ବାସିନ୍ଦା ନରସିଂହା ରେଡ୍ଡୀ ବଖାଣିଥିଲେ ନିଜର ଏହି ଅବ୍ୟକ୍ତ ଅଭିବ୍ୟକ୍ତି।

ନୂଆପଲ୍ଲୀ ମଣିଷ ହାଟରେ ନିଜକୁ ୮ ଘଣ୍ଟା ପାଇଁ ବିକ୍ରି କରି ମଜୁରି କରିବାକୁ ଛିଡ଼ା ହେଉଥିବା ରୋହିତ ରେଡ୍ଡୀ ବି ସେଇ ସମାନ କଥା କୁହନ୍ତି। ଭୋଟ୍‌ କଥା ଶୁଣୁଶୁଣୁ କହିଲେ, ରାଗ ଲାଗୁଛି ଯେ, ହେଲେ କ’ଣ କରିପାରିବୁ। ଯେତେ ଯାହା ହେଲେ ବି ଯିବାକୁ ପଡ଼ିବ। କିନ୍ତୁ ସୁରାଟରେ ରହୁଥିବା ମୋ’ ଦୁଇ ପୁଅ ଭୋଟ୍‌ ଦେବାକୁ ଆସିବେନି। ସେଠି ସେମାନେ ଗୋଟେ କମ୍ପାନିରେ ଅଛନ୍ତି। ଏତେ ଟଙ୍କା ଖର୍ଚ କରି କାଇଁ ବା ଆସିବେ? ଏମିତି ବି ଇଚ୍ଛା ନଥିଲେ ହେଁ ଆମକୁ ଭୋଟ ଦେବାକୁ ଆସିବାକୁ ପଡ଼ୁଛି। ଚାଉଳ ଓ ଭତ୍ତା ସିନା ମିଳିଯାଉଛି, ହେଲେ କର୍ମ ସଂସ୍ଥାନ ଆଜି ବି ଆମ ପାଇଁ ସ୍ବପ୍ନ। ତେଣୁ ଗାଁ’ରେ ଘର ଥିଲେ ବି ଭୁବନେଶ୍ବର ଆସି କାମ କରିବାକୁ ପଡ଼େ। ୫ବର୍ଷରେ ଥରେ ଭୋଟ୍‌ ବେଳେ ନେତାମାନଙ୍କ ଦେଖା ମିଳେ। ତା’ପରେ ଯୋଉଆ କୁ ସେୟା। ଡର ଲାଗୁଛି ଯେ, କାଳେ ଭୋଟ୍‌ ନଦେଲେ ନେତାମାନେ ମୁହଁକୁ ଚାହିଁବେନି। ସରକାର ଗଢ଼ିବାକୁ ଭୋଟ୍‌ ହେଉଛି, ନଦେଲେ ବି ଭଲ ଲାଗିବନି। ତେଣୁ ମନରେ ଯେତେ ରାଗ ଅଭିମାନ ଥିଲେ ବି ଚାପି ଭୋଟ ଦେବାକୁ ପଡ଼ିବ।

ଖାଲି ନରସିଂହା କି ରୋହିତ ନୁହନ୍ତି, କାମର ସମୟ ଗଡ଼ିଯିବା ପରେ ସେଠାରୁ ଫେରିଯାଉଥିବା ତାଙ୍କ ଭଳି ଅନ୍ୟ ଶ୍ରମିକମାନେ ବି ସେଇ ଏକା ରକମର ପ୍ରତିକ୍ରିୟା ରଖିଛନ୍ତି। କର୍ମ ସଂସ୍ଥାନ ପାଇଁ ସେମାନଙ୍କ ପାଇଁ ଏବେ ବି ଭରସା ରାଜଧାନୀ। ‌ନିର୍ବାଚନ ଭଳି ଗଣପର୍ବକୁ ନେଇ ତାଙ୍କ ମନରେ ବାଧ୍ୟବାଧକତାର ଉତ୍ସାହ ହିଁ ସୂଚାଇ ଦେଉଥିଲା ଭୋଟ୍‌ ଦାନ ପ୍ରତି ତାଙ୍କର ଆନ୍ତରିକତା।

ନୂଆପଲ୍ଲୀରେ ମଜୁରି ପାଇଁ ଭିଡ଼ ଜମାଉଥିବା ଶ୍ରମିକମାନଙ୍କ ସଂଖ୍ୟା ୨ହଜାରରୁ ଅଧିକ। ସାଲିଆ ସାହି ଏବଂ ଗାନ୍ଧୀ ମାର୍କେଟ୍‌ ବସ୍ତିରେ ଏମାନଙ୍କ ମଧ୍ୟରୁ କେହିକେହି ଭଡ଼ାରେ ଓ କେହିକେହି ଘର କରି ରହି ଆସୁଥିବା ବେଳେ ଅଧିକାଂଶଙ୍କ ଭୋଟର ପରିଚୟପତ୍ର ବ୍ରହ୍ମପୁରର। ଗାଁ’ ନେତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନୁଥିବା ଏହି ଶ୍ରମିକମାନେ କହିଛନ୍ତି ଯେ, ଆମ ଗାଁ’ ନେତା ଯାହାକୁ କହିବେ ତାକୁ ଭୋଟ ଦେବୁ। ଏଇ ଦିନେ ଦୁଇଦିନ ହେଲା ଆମ ଅଞ୍ଚଳର ବହୁ ଲୋକ ଭୋଟ୍‌ ଦେବା ପାଇଁ ବ୍ରହ୍ମପୁର ପଳେଇଲେଣି। ବସ୍‌ରେ ପ୍ରବଳ ଭିଡ଼ ଯୋଗୁଁ ଆମେ ଯାଇପାରିନୁ। ଆଜି ରାତିରୁ ଟ୍ରେନ୍‌ ଓ ବସ୍‌ ଧରି ପଳେଇବୁ। ଏମିତି ବି ନିର୍ବାଚନ ଯୋଗୁଁ ୨ ମାସ ହେଲା କାମ ମାନ୍ଦା ଥିଲା। ଏଣିକି କାଲିଠୁ ସମ୍ପୂର୍ଣ୍ଣ ବନ୍ଦ ରହିବ। ‌ତେବେ କାମ ବନ୍ଦ ହେବା ଯେତିକି ବାଧୁନି, ତା’ଠୁ ବେଶି ବାଧୁଛି ନେତାଙ୍କ ପ୍ରତାରଣା। ୧୧ ତାରିଖ ଗଲେ ଆମେ କିଏ ନା ନେତା କିଏ…

ସମ୍ବନ୍ଧିତ ଖବର