ସରିଲା ପ୍ରଚାର, କାଲି ଭୋଟ୍‌

ଭୁବନେଶ୍ବର : ମଙ୍ଗଳବାର ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟା ୬ଟାରେ ପ୍ରଚାର ସରିଛି। ପ୍ରଚାରର ଶେଷ ଦିନ ଥିବାରୁ ପ୍ରାର୍ଥୀମାନେ ବିନା ବିଶ୍ରାମରେ ଦିନତମାମ ପଦଯାତ୍ରା, ରୋଡ୍‌ ସୋ’ କରିଛନ୍ତି। ଯଥାସମ୍ଭବ ନିଜ ନିର୍ବାଚନମଣ୍ଡଳୀର ସବୁ ଅଞ୍ଚଳରେ ବୁଲିବୁଲି ପ୍ରଚାର କରିଛନ୍ତି। ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ଆଉ ଥରେ ନ ଦୋହରାଇ କେବଳ ହାତଯୋଡ଼ି ଭୋଟ୍‌ ମାଗିଛନ୍ତି। ସଂଧ୍ୟା ୬ଟା ପୂର୍ବରୁ ସବୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ବନ୍ଦ ହେବା ସହ ପ୍ରାର୍ଥୀଙ୍କ ଖୁଲମଖୁଲା ପ୍ରଚାର ବନ୍ଦ ହୋଇଛି।

ଭୋଟ୍ ଦାନକୁ ଆଉ ୩୬ ଘଣ୍ଟାରୁ କମ୍‌ ଥିବାରୁ ପ୍ରାର୍ଥୀମାନେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କୌଣସି ଗୋଟିଏ କ୍ଷଣ ବି ଅପଚୟ କରିବାକୁ ଚାହୁନାହାନ୍ତି। ୱାର୍ଡସ୍ତରରେ, ପଞ୍ଚାୟତସ୍ତରରେ ଯେଉଁମାନଙ୍କୁ ପ୍ରଚାର କରିବାକୁ ଏବଂ ଭୋଟରମାନଙ୍କୁ ମନାଇବାକୁ ଦାୟିତ୍ବ ଦିଆଯାଇଥିଲା ଆଜି ସେମାନଙ୍କୁ ଡାକି କବାଟକିଳା ବୈଠକ ହୋଇଛି। କିଏ କେଉଁ ୱାର୍ଡରୁ, କେଉଁ ବସ୍ତିରୁ, କେଉଁ ପଞ୍ଚାୟତରୁ କେତେ ଭୋଟ୍‌ ଆସିବ ତା’ର ତାଲିକା ମଧ୍ୟ ପ୍ରାର୍ଥୀଙ୍କୁ ଧରାଇଛନ୍ତି। କେମିତି ଅସନ୍ତୁଷ୍ଟଙ୍କୁ ମନାଯିବ, ଯେଉଁଠି ଭୋଟ୍‌ କଟୁଛି, ସେଠାରେ କିପରି ମ୍ୟାନେଜ୍ କରାଯିବ ସେନେଇ ପ୍ରାର୍ଥୀ ଆଲୋଚନା କରିଛନ୍ତିି। ଏପରିକି ୱାର୍ଡ ସ୍ତରରେ ଯେଉଁମାନଙ୍କୁ ଦା‌ୟିତ୍ବ ଦିଆଯାଇଥିଲା, ସେଠାରୁ ପ୍ରତି ଘର ପିଛା କେତେ ଭୋଟ୍‌ ଅଛି ସେହି ଅନୁଯାୟୀ ତାଲିକା ପ୍ରସ୍ତୁତ କରାଯାଇଛି। ନିଜ ଭୋଟ୍‌ ଯେପରି ନ କଟେ, ସେଥିପାଇଁ ପ୍ରାର୍ଥୀମାନେ ପୂରା ନଜର ରଖିଛନ୍ତି। ଏଥିପାଇଁ ଭୋଟରଙ୍କ ଉପରେ କଡ଼ା ନଜର ରଖାଯାଇଛି। ବିରୋଧୀ ଯେପରି ମତଦାତାଙ୍କୁ କୌଣସି ମୁହୂର୍ତ୍ତରେ ପ୍ରଭାବିତ ନ କରିପାରିବେ ସେଥିପାଇଁ ସବୁ ପ୍ରାର୍ଥୀ ତାଙ୍କ ସମର୍ଥକଙ୍କୁ ଲଗାଇ ଦେଇଛନ୍ତି।

ଆଜି ରବିବାର ଥିବାରୁ ବିଭିନ୍ନ ମହିଳା ସମିତି, କ୍ଲବ, ବସ୍ତିରେ ଭୋଜିର ଆସର ଜମିଛି। ପ୍ରାର୍ଥୀମାନେ ବି ବିଭିନ୍ନ ଅଞ୍ଚଳକୁ ବୁଲି ବୁଲି ସମର୍ଥକଙ୍କ ସହ ଭୋଜି ଖାଇଛନ୍ତି। ରାତିରେ ପ୍ରାର୍ଥୀମାନେ ପ୍ରଚାରରୁ ବିରତି ପାଇବା ପରେ ନିର୍ବାଚନ ଜିତିବା ନେଇ ଶେଷ ରଣନୀତି ପ୍ରସ୍ତୁତ କରିଛନ୍ତି। ଏପରିକି ଆଜି ପ୍ରାର୍ଥୀଙ୍କ ନିକଟକୁ ଯେଉଁମାନେ ବିଭିନ୍ନ ସମସ୍ୟା ନେଇ ଆସିଥିଲେ, ପ୍ରାର୍ଥୀମାନେ ବି ସେମାନଙ୍କ କଥା ନମ୍ରତାର ସହ ବୁଝୁଥିବା ଦେଖିବାକୁ ମିଳିଥିଲା‌। ଏସବୁ ବାଦ୍‌ ଆଜି ପ୍ରତି ବୁଥ୍‌ ପାଇଁ ପ୍ରାର୍ଥୀମାନେ ଏଜେଣ୍ଟ ନିୟୋଜିତ କରି ଦେଇଥିବା ବେଳେ ଭୋଟର ଯେପରି ସହଜରେ ସେମାନଙ୍କ ୱାର୍ଡ, ବୁଥ୍‌ ନଂ, କ୍ରମିକ ନଂ ପାଇବେ ସେହି ଅନୁଯାୟୀ ଚିରକୁଟି ପ୍ରସ୍ତୁତ କରିଛନ୍ତି। ଏହାକୁ ଅଧିକରୁ ଅଧିକ ଭୋଟର୍‌ଙ୍କ ନିକଟରେ ପହଞ୍ଚାଇବାକୁ ୱାର୍ଡ ସ୍ତରରେ ୮ରୁ ୧୦ଜଣ ଯୁବକଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ଦଳୀୟ ପ୍ରାର୍ଥୀ, ଚିହ୍ନ ଥିବାରୁ ଏହା ଯେପରି ଶେଷ ମୁହୂର୍ତ୍ତରେ ମତଦାତାଙ୍କୁ ଭୋଟ୍‌ ଦେବାକୁ ଆକର୍ଷଣ କରିବ ସେଥିପାଇଁ ପ୍ରାର୍ଥୀଙ୍କ ଶିବିରରୁ ଯଥାସମ୍ଭବ ଉଦ୍ୟମ କରାଯାଇଛି।

ସମ୍ବନ୍ଧିତ ଖବର