ଭୁବନେଶ୍ବରରେ ୪୬.୮୬% ମତଦାନ : ଏତେ ଅନାଗ୍ରହ କାହିଁକି?

ଭୁବନେଶ୍ବର ଲୋକସଭାରେ ୧.୨୨% ବଢ଼ିଲା, ଭୁବନେଶ୍ବର ଉତ୍ତରରେ ସର୍ବାଧିକ ୬.୬% ବଢ଼ିଲା, ସବୁଠି ବଢ଼ିଲା, ଜଟଣୀରେ କମିଲା ଭୋଟ୍‌ ହାର, ଭୋଟ୍‌ ଦେଉନାହାନ୍ତି କିନ୍ନର

ସରକାରଙ୍କ ସବୁ ସୁବିଧା ସୁଯୋଗ ଯେଉଁ ଲୋକ ପାଉଛନ୍ତି ସେମାନେ ‌ହିଁ ସରକାରଙ୍କୁ ଭୋଟ୍‌ ଦେଉନାହାନ୍ତି। ଯେଉଁମାନେ ରାଜ୍ୟ ସରକାରଙ୍କ ‌ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ହିଁ ସରକାର ବାଛିବାକୁ ଭୋଟ୍‌ ଦେଉନାହାନ୍ତି। ଯେଉଁମାନଙ୍କର ଛବିରେ ଓଡ଼ିଶା ସାରା ବିଶ୍ବରେ ପରିଚିତ ହେଉଛି ସେମାନେ ହିଁ ଭୋଟ୍‌ ଦେବାକୁ ଲୁଚୁଛନ୍ତି ବୋଲି ଲୋକ କହୁଛନ୍ତି। କାହିଁକି ରାଜଧାନୀରେ ଲୋକ ଭୋଟ୍‌ ଦେଉନାହାନ୍ତି, ଭୋଟର ତାଲିକାରେ ଯେତିକି ନାମ ଅଛି ପ୍ରକୃତରେ ସେତିକି ଲୋକ ଭୁବନେଶ୍ବରରେ ଅଛନ୍ତି ତ! କ’ଣ କଲେ ଲୋକ ଅଧିକ ଭୋଟ୍‌ ଦେବେ ସେନେଇ ବହୁ ଲୋକ ବିଭିନ୍ନ ମତ ଦେଉଛନ୍ତି। ହେଲେ ସମସ୍ତଙ୍କର ଗୋଟିଏ କଥା ଲୋକ ମତଦାନକୁ କେବଳ ଅଧିକାର ବୋଲି ନଭାବି କର୍ତ୍ତବ୍ୟ ବୋଲି ଭାବିବା ଦରକାର।

ଭୁବନେଶ୍ବର : ଏଥର ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀରେ ମତଦାନ ହାର ସାମାନ୍ୟ ବଢ଼ିଛି। ୨୦୧୪ରେ ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀ ଏକାମ୍ର ଭୁବନେଶ୍ବର, ଭୁବନେଶ୍ବର ଉତ୍ତର ଓ ଭୁବନେଶ୍ବର ମଧ୍ୟରେ ହାରାହାରି ମତଦାନ ୪୩.୦୭% ହୋଇଥିବାବେଳେ ଏଥର ଏହି ତିନି ନିର୍ବାଚନ ମଣ୍ଡଳୀରେ ହାରାହାରି ମତଦାନ ୪୬.୮୬% ହୋଇଛି। ହେଲେ ବହୁ ସଚେତନତା, ନାରାବାଜି ପରେ ମାତ୍ର ୩.୭୯% ବଢ଼ିବା ରାଜଧାନୀ ପାଇଁ ଚିନ୍ତାର ବିଷୟ ପାଲଟିଛି। ମତଦାନ ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ଏତେ ଅନାଗ୍ରହ କାହିଁକି? ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

ସାରା ରାଜ୍ୟରେ ମତଦାନ ହାର ୭୦% ପାଖାପାଖି ରହୁଥିବାବେଳେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହା ୬୫ରୁ ୮୦% ପାଖାପାଖି ରହୁଛି। ଅଥଚ ଭୁବନେଶ୍ବର‌ରେ ଲୋକସଭା ପାଇଁ ୫୯.୬୦% ମତଦାନ ହୋଇଥିବାବେଳେ ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀରେ ଏହା ୪୬.୮୬% ରହିଛି। ରାଜ୍ୟର ସବୁଠୁ ଅଧିକ ବୁଦ୍ଧିଜୀବୀ, ସଚେତନ ନାଗରିକ, ଚାକିରିଆ, ଭିଆଇପି, ଭିଭିଆଇପି ଲୋକ ରହୁଥିବାବେଳେ ଏଠାରେ ଏତେ କମ୍‌ ମତଦାନ ହେବା ପଛରେ କାରଣ କ’ଣ ‌େସନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଲାଣି।

ଭୁବନେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ମଧ୍ୟରେ ଏଥର ୪୩.୦୨% ମତଦାନ ହୋଇଛି। ସେହିପରି ଭୁବନେଶ୍ବର ଉତ୍ତରରେ ୪୭.୯୦% ଏବଂ ଏକାମ୍ର ଭୁବନେଶ୍ବରରେ ୪୯.୬୮% ହୋଇଛି। ଯେତେବେଳେକି ୨୦୧୪‌େର ଏକାମ୍ର ଭୁବନେଶ୍ବରରେ ୪୫.୯୭%, ଭୁବନେଶ୍ବର ମଧ୍ୟରେ ୪୧.୯୬%, ଭୁବନେଶ୍ବର ଉତ୍ତରରେ ୪୧.୩%, ମତଦାନ ହୋଇଥିଲା। ଭୁବନେଶ୍ବର ଉତ୍ତରରେ ସର୍ବା‌ଧିକ ୬.୬% ମତଦାନ ବଢ଼ିଥିବାବେଳେ ଏକାମ୍ରରେ ୩.୭% ବଢ଼ିଛି। କିନ୍ତୁ ଭୁବନେଶ୍ବର ମଧ୍ୟରେ ମାତ୍ର ୧.୦୬% ବଢ଼ିଛି।

ଭୁବନେଶ୍ବର ମଧ୍ୟରେ ଏତେ କମ୍‌ ହାରରେ ଭୋଟ୍‌ ବଢ଼ିବା ସହରାଞ୍ଚଳ ଭୋଟରଙ୍କ ସଚେତନତା ନେଇ ପ୍ରଶ୍ନ ଉଠାଇଛି। ଏଠାରେ ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀ ତୁଳନାରେ ସବୁଠୁ କମ୍‌ ବସ୍ତି ଭୋଟର ଥିବାବେଳେ ଅଧିକ ସହରବାସୀ। ଏପରିକି ରାଜଧାନୀର ସବୁଠୁ ଉଚ୍ଚ ବର୍ଗର, ପୁରୁଣା ଭୋଟର, ଚାକିରିଆ ଭୋଟର ଏଠାରେ ରହୁଥିଲେ ହେଁ ସେମାନେ କାହିଁକି ଭୋଟ୍‌ ଦେଉନାହାନ୍ତି ସେନେଇ ତର୍ଜମା କରିବାର ସମୟ ଆସିଛି ବୋଲି ଚର୍ଚ୍ଚା ହେଲାଣି।

ଅପରପକ୍ଷେ ଭୁବନେଶ୍ବର ଉପକଣ୍ଠରେ ଭୋଟ୍‌ ହାର ଉତ୍ସାହଜନକ ହୋଇନଥିଲେ ବି ନୈରାଶ୍ୟଜନକ ହୋଇନାହିଁ। ଜୟଦେବ ନିର୍ବାଚନ ମଣ୍ଡଳୀରେ ୨୦୧୪ରେ ୭୩.୯% ମତଦାନ ହୋଇଥିବାବେଳେ ଏଥର ୭୫.୭୮% ହୋଇଛି। ଏଠାରେ ୧.୮୮% ଭୋଟ୍‌ ବଢ଼ିଛି। ଯେତେବେଳେକି ଜଟଣୀରେ ୨୦୧୪ରେ ୭୦.୩୫% ମତଦାନ ହୋଇଥିବାବେଳେ ଏଥର ୬୯.୩୨% ହୋଇଛି।

ଅପରପକ୍ଷେ ଭୁବନେଶ୍ବର ଲୋକସଭା ପାଇଁ ଏଥର ଭୋଟ୍‌ ହାର ବଢ଼ିଛି। ୨୦୧୪ରେ ଏଠାରେ ୫୮.୩୮% ଥିବାବେଳେ ଏଥର ୫୯.୬୦% ରହିଛି।

ସେହିପରି ବେଗୁନିଆରେ ୭୩.୦୫%, ଚିଲିକାରେ ୭୧% ଏବଂ ଖୋର୍ଦ୍ଧାରେ ୭୧.୦୫% ମତଦାନ ହୋଇଥିବା ଜାଣିବାକୁ ମିଳିଛି।

ଭୋଟ୍‌ ଦେଉନାହାନ୍ତି କିନ୍ନର

ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ମୋଟ୍‌ ୧୬ଲକ୍ଷ ୯୭ହଜାର ୬୬୬ଜଣ ମତଦାତା ଥିବାବେଳେ ଏଥିରୁ ୧୦ଲକ୍ଷ ୧୧ହଜାର ୭୫୪ଜଣ ଭୋଟ୍‌ ଦେଇଛନ୍ତି। ଏଥିରେ ୫ଲକ୍ଷ ୩୫ହଜାର ୭୩୭ଜଣ ପୁରୁଷ ଭୋଟର ଥିବାବେଳେ ୪ଲକ୍ଷ ୭୫ହଜାର ୯୬୮ଜଣ ମହିଳା ଭୋଟ୍‌ ଦେଇଛନ୍ତି। ମାତ୍ର ୪୯ଜଣ କିନ୍ନର ଭୋଟ୍‌ ଦେଇଛନ୍ତି।

ଭୁବନେଶ୍ବର ଲୋକସଭା ଆସନରେ ୫୨୬ଜଣ ଭୋଟର ଥିବାବେଳେ ମାତ୍ର ୪୯ଜଣ ଭୋଟ୍‌ ଦେବା ଏବେ ଚିନ୍ତାର ବିଷୟ ପାଲଟିଛି। ମାତ୍ର ୯.୩୧% କିନ୍ନର ଭୋଟ୍‌ ଦେଇଥିବାବେଳେ ବାକି ୯୦%ରୁ ଅଧିକ କିନ୍ନର କାହିଁକି ଭୋଟ୍‌ ଦେଲେନି ବୋଲି ପ୍ରଶ୍ନ ଉଠିଲାଣି। ରାଜ୍ୟ ସରକାର କିନ୍ନରମାନଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ, ବିଭିନ୍ନ ଭତ୍ତା ଆଦି ଦେବା ପରେ ବି କିନ୍ନରମାନେ କାହିଁକି ସେମାନଙ୍କ ଭୋଟ୍‌ ଦାନ ଅଧିକାର ସାବ୍ୟସ୍ତ କରୁନାହାନ୍ତି ସେନେଇ କାହା ପାଖରେ ଉତ୍ତର ନାହିଁ। କିନ୍ନର ମହାସଂଘର ଜଣେ ସଦସ୍ୟ କହିଛନ୍ତି ଯେ, ‌ଏତେ କମ୍‌ କିନ୍ନର ଭୋଟ୍‌ ଦେବାର କାରଣ ହେଲା ସେମାନେ ଲୋକଲଜ୍ଜାକୁ ଡରି ମତଦାନ କେନ୍ଦ୍ରକୁ ଯାଉନାହାନ୍ତି। ମତଦାନ କେନ୍ଦ୍ରରେ କେବଳ ପୁରୁଷ ଓ ମହିଳାଙ୍କ ପାଇଁ ଧାଡ଼ି ବ୍ୟବସ୍ଥା ଥିବାବେଳେ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ନଥିଲା। ଏପରିସ୍ଥଳେ କିନ୍ନରମାନେ ବୁଥ୍‌କୁ ଯାଇ ଅପଦସ୍ଥ ଅପେକ୍ଷା ଭୋଟ୍‌ ନଦେବାକୁ ନିଷ୍ପତ୍ତି ନେଇଥାଇପାରନ୍ତି। କିଛି କିନ୍ନର ନିଜକୁ କିନ୍ନର ବୋଲି ପରିଚୟ ଦେଉ ନଥିବାରୁ ସେମାନେ କାଳେ ସର୍ବସାଧାରଣରେ ଜଣାପଡ଼ି‌ଯିବେ ସେଥିପାଇଁ ଭୋଟ୍‌ ଦେବାକୁ ଯାଇନଥାଇପାରନ୍ତି ବୋଲି ଆମେ ଭାବୁଛୁ।

ସମ୍ବନ୍ଧିତ ଖବର