ରାଜଧାନୀରେ ମତଦାନ, ଏଥର ହାର ୫୦% ଛୁଇଁବ ତ

ଭୁବନେଶ୍ବର: ତାପମାତ୍ରା ସହ ତାଳ ଦେଇ ବଢ଼ୁଛି ନିର୍ବାଚନ ଉଷ୍ମତା। ରାତି ପାହିଲେ ରାଜଧାନୀର ନେତା ବଛା ହେବେ। ନିର୍ଣ୍ଣାୟକ ଭୂମିକା ନେବେ ରାଜଧାନୀବାସୀ। ତେବେ ସାଧାରଣ ନିର୍ବାଚନରେ ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇବ ନା ପୂର୍ବ ଭଳି ନୈରାଶ୍ୟଜନକ ରହିବ? ସବୁ ବର୍ଷ ଭଳି ବସ୍ତିବାସିନ୍ଦା ନିର୍ଣ୍ଣାୟକ ଭାବେ ଆଗରେ ରହିବେନି ତ? ସାଧାରଣ ନିର୍ବାଚନରେ ଏପରି ପ୍ରଶ୍ନ ଉଙ୍କି ମାରିଛି। ପୂର୍ବରୁ ଅନୁଷ୍ଠିତ ସାଧାରଣ ନିର୍ବାଚନର ଗଣିତ କିନ୍ତୁ ଭିନ୍ନ କିଛି ବୟାନ କରୁଛି। ଗତ ୨ଟି ନିର୍ବାଚନରେ ରାଜଧାନୀର ୩ଟି ଯାକ ବିଧାନସଭାରେ ମତଦାତାଙ୍କ ହାର ୫୦ ପ୍ରତିଶତ ବି ଛୁଇଁପାରିନାହିଁ। ଭୋଟ୍‌ ପ୍ରକ୍ରିୟାରେ ଅଧିକାଂଶ ସାମିଲ୍‌ ‌ନହେବା ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହେଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏଥର ନିର୍ବାଚନ ପ୍ରକ୍ରିୟାରେ ସାମିଲ୍‌ ହେବା ପୂର୍ବରୁ ସଚେତନ ନାଗରିକମାନେ ଗତ ଦୁଇଟି ନିର୍ବାଚନର ଗଣିତକୁ ଆକଳନ କରିବା ପ୍ରାସଙ୍ଗିକ ହେବ। ୨୦୦୯ ସାଧାରଣ ନିର୍ବାଚନ ମୁତାବକ, ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ଲକ୍ଷ ୨୫ ହଜାର ୮୨୮ ଜଣ ଭୋଟର ଥିବା ବେଳେ ମତଦାନ କରିଥିଲେ ୭୬ହଜାର ୨୮୪ ଜଣ। ଅର୍ଥାତ ମାତ୍ର ୩୩.୭୮ ପ୍ରତିଶତ ମତଦାତା ଭୋଟ୍‌ ଦେଇଥିଲେ। ମୋଟ୍‌ ୧୧ ଜଣ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ବିଜୟୀ ପ୍ରାର୍ଥୀ ସମୁଦାୟ ଭୋଟ୍‌ ମଧ୍ୟରୁ ୬୦.୮୯ ପ୍ରତିଶତ ଭୋଟ୍‌ ପାଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ମୋଟ୍‌ ୨ଲକ୍ଷ ୨୨ ହଜାର ୩୩୭ ଜଣ ଭୋଟର ପଂଜୀକୃତ ହୋଇଥିଲେ‌ ହେଁ ଭୋଟ୍‌ ଦେଇଥିଲେ ୯୩ ହଜାର ୨୮୫ ଜଣ। ଅର୍ଥାତ ୪୧.୯୬ ପ୍ରତିଶତ ‌ଭୋଟ୍‌ ପ୍ରକ୍ରିୟାରେ ଭାଗ ନେଇଥିଲେ। ବିଜୟୀ ପ୍ରାର୍ଥୀ ସମୁଦାୟ ଭୋଟ୍‌ ମଧ୍ୟରୁ ୫୩ ପ୍ରତିଶତ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ଏଠାରେ ବସ୍ତିବାସିନ୍ଦାଙ୍କ ଭୋଟ୍‌ ହିଁ ନିର୍ଣ୍ଣାୟକ ହୋଇଥିଲା।

ଉତ୍ତର ନିର୍ବାଚନ ମଣ୍ଡଳର ୨୦୦୯ର ହିସାବ ମୁତାବକ, ସମୁଦାୟ ୨ଲକ୍ଷ ୪୮ ହଜାର ୩୩୭ ଜଣ ଭୋଟର ପଂଜୀକୃତ ହୋଇଥିଲେ ହେଁ ଭୋଟ୍‌ ଦେଇଥିଲେ ମାତ୍ର ୮୭ହଜାର ୧୫୪ ଜଣ। ଭୋଟ୍‌ ହାର ଥିଲା ମାତ୍ର ୩୫.୦୯ ପ୍ରତିଶତ। ମୋଟ୍‌ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବା ବେଳେ ବିଜୟୀ ପ୍ରାର୍ଥୀ ସମୁଦାୟ ଭୋଟ୍‌ରୁ ୭୨.୦୫ ପ୍ରତିଶତ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ୨୦୧୪ରେ ମୋଟ୍‌ ୨ଲକ୍ଷ ୭୧ ହଜାର ୨୦୮ ଜଣ ଭୋଟର ଥିଲେ ହେଁ ଭୋଟ୍‌ ଦେଇଥିଲେ ୧ ଲକ୍ଷ ୧୨ହଜାର ୧୨୧ ଜଣ। ଭୋଟ୍‌ ହାର ଥିଲା ମାତ୍ର ୪୧.୩ ପ୍ରତିଶତ। ସମୁଦାୟ ୧୩ ଜଣ ନିର୍ବାଚନ ଲଢ଼ିଥିବା ବେଳେ ବିଜୟୀ ପ୍ରାର୍ଥୀ ୬୬.୦ ପ୍ରତିଶତ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ସେହିପରି ଭୁବନେଶ୍ବର ଏକାମ୍ରରେ ମୋଟ୍‌ ୨୦୦୯ରେ ମୋଟ୍‌ ୨ଲକ୍ଷ ୨୫ହଜାର ୭୦୭ ଜଣ ଭୋଟର ରହିଥିଲେ ହେଁ ଭୋଟ୍‌ ଦେଇଥିଲେ ୮୩ ହଜାର ୯୮୧ ଜଣ। ଅର୍ଥାତ ମୋଟ୍‌ ୩୭.୨୧ ପ୍ରତିଶତ ମତଦାତା ‌ଭୋଟ୍‌ ଦେଇଥିଲେ। ମୋଟ୍‌ ୧୬ ଜଣ ନିର୍ବାଚନ ଲଢ଼ିଥିବା ବେଳେ ବିଜୟୀ ପ୍ରାର୍ଥୀ ସମୁଦାୟ ଭୋଟ୍‌ରୁ ୬୫.୬୩ ପ୍ରତିଶତ ଭୋଟ ପାଇଥିଲେ। ‌୨୦୧୪ରେ ଏକାମ୍ରରେ ମୋଟ୍‌ ୨ଲକ୍ଷ ୩୮ ହଜାର ୯୪୯ ଜଣ ଭୋଟର ପଂଜୀକୃତ ହୋଇଥିବା ବେଳେ ଭୋଟ୍‌ ଦେଇଥିଲେ ମାତ୍ର ୪୫.୯୭ ପ୍ରତିଶତ। ୨୦୧୪ ଲୋକସଭାରେ ମତଦାତାଙ୍କ ସଂଖ୍ୟା କିନ୍ତୁ ୫୮.୩୮ ପ୍ରତିଶତ ରହିଥିଲା। ଲୋକସଭା ଆସନ ୭ଟି ବିଧାନସଭା କ୍ଷେତ୍ରକୁ ନେଇ ରହିଥିବାରୁ ମତଦାତାଙ୍କ ହାର ଅଧିକ ରହିଥିଲା। ଭୁବନେଶ୍ବରର ୩ ନିର୍ବାଚନ ମଣ୍ଡଳୀ ସହ ଜୟଦେବ, ଖୋର୍ଧା, ଜଟଣୀ, ବେଗୁନିଆର ମୋଟ ମତଦାତାଙ୍କ ସଂଖ୍ୟା ପୂର୍ବ ନିର୍ବାଚନରେ ୧୫ଲକ୍ଷ ୨୭ ହଜାର ୭୬୮ ଥିବା ବେଳେ ୮ଲକ୍ଷ ୯୧ ହଜାର ୮୨୨ ଜଣ ମତଦାନ କରିଥିଲେ। ବିଜୟୀ ପ୍ରାର୍ଥୀ ମୋଟ୍‌ ୪୯.୨୫ ପ୍ରତିଶତ ଭୋଟ୍‌ ପାଇ ‌ବିଜୟୀ ହୋଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ବର ଉତ୍ତରରେ ୨ଲକ୍ଷ ୯୭ ହଜାର ୯୨୯, ଏକାମ୍ରରେ ୨ଲକ୍ଷ ୮୦ ହଜାର ୯୫୨ ଓ ମଧ୍ୟରେ ୨ଲକ୍ଷ ୩୮ ହଜାର ୬୬୪ ଭୋଟର ରହିଛନ୍ତି। ଏକାମ୍ରରେ ପାଖାପାଖି ୧ଲକ୍ଷ ଏବଂ ଉତ୍ତରରେ ପ୍ରାୟ ୨୦୦ ବସ୍ତିର ବସ୍ତିବାସିନ୍ଦା ରହିଥିବାରୁ ବସ୍ତିବାସିନ୍ଦାଙ୍କୁ ଭୋଟ୍‌ ନିର୍ଣ୍ଣୟ କରିବାକୁ ଛାଡ଼ିଦେବେ ନା ବୁଦ୍ଧିଜୀବୀ ଓ ସାଧାରଣ ବର୍ଗ ମଧ୍ୟ ଅଧିକ ସଂଖ୍ୟାରେ ଭୋଟ୍‌ ପ୍ରକ୍ରିୟାରେ ସାମିଲ୍‌ ହେବେ ତହା ନିର୍ଣ୍ଣୟ କରିବାର ସମୟ ଆସିଛି।

ସମ୍ବନ୍ଧିତ ଖବର