ଭୋଟ ପ୍ରତି ଏତେ ଅନାଗ୍ରହ କାହିଁକି?

ସ୍ବାଭିମାନ ଜଗୁଛନ୍ତି ସରକାରୀ ଚାକିରିଆ

ରାଜଧାନୀରେ ପୋଲିଂ କମ୍ ହେବାର ଅନେକ କାରଣ ରହିଛି। ପ୍ରଥମ କାରଣ, ଭୁବନେଶ୍ବର ଭିତରେ ଅନେକ ଟାଉନସିପ୍ ରହିଛି। ଯେଉଁ ଟାଉନ୍‌ସିପ୍‌ ସହିତ ବିଧାୟକ କିମ୍ବା କର୍ପୋରେଟର୍‌ମାନଙ୍କର କୌଣସି ସମ୍ପର୍କ ରହୁନାହିଁ। ସେହି ଟାଉନ୍‌ସିପ୍‌ର ଉନ୍ନତିରେ ବିଏମ୍‌ସିର ଭୂମିକା ରହୁନାହିଁ। ତେଣୁ ସେମାନେ ମତଦାନରେ ଅଂଶଗ୍ରହଣ କରୁନାହନ୍ତି। ସେହିପରି ଭୁବନେଶ୍ବରରେ ଆଉ କେତେକ ଭୋଟର୍‌ ଅଛନ୍ତି, ଯେଉଁମାନେ ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ ସରକାରୀ ଚାକିରିଆ। ସେମାନେ ନିଜ ସ୍ବାଭିମାନକୁ ଜଗୁଛନ୍ତି। ସେମାନଙ୍କ ଅଭିଯୋଗ ଯେ, ପ୍ରାର୍ଥୀମାନେ କେବଳ ବସ୍ତିବାସିନ୍ଦାଙ୍କୁ ଫୋକସ୍‌ କରୁଛନ୍ତି। ସେମାନଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ତେଣୁ ଆମ୍ଭେମାନେ କାହିଁକି ଭୋଟ୍‌ ଦେବୁ କହି ମତଦାନରେ ଅଂଶଗ୍ରହଣ କରୁନାହାନ୍ତି। ଏହାଛଡ଼ା ଅନେକ ମଧ୍ୟ ବିଧାୟକ ଓ ସାଂସଦ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକଟ କରନ୍ତି ନାହିଁ। ସେମାନଙ୍କ କହିବା କଥା ଆମର ସବୁ ସମସ୍ୟା କର୍ପୋରେଟର୍‌ମାନେ ହିଁ ସମାଧାନ କରିଥାନ୍ତି। ତେଣୁ ବିଧାୟକ ଓ ସାଂସଦଙ୍କୁ ଭୋଟ ଦେଇ ଲାଭ କ’ଣ। ଏଭଳି ମାନସିକତାରେ ଅନେକ ଅଛନ୍ତି। ଆଉ ଏକ କାରଣ, ପ୍ରାର୍ଥୀମାନେ ମଧ୍ୟ ଭୋଟର୍‌ମାନଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିପାରନ୍ତି ନାହିଁ, ଫଳରେ ଅନେକ ସ୍ବାଭିମାନୀ ଭୋଟର୍‌ ମତଦାନରେ ଅଂଶଗ୍ରହଣ କରି ନ ଥାନ୍ତି। ତେବେ ନୋଟା ବ୍ୟବସ୍ଥା ପ୍ରଚଳିତ ହେବା ପରେ ସମସ୍ତ ମତଦାନରେ ଅଂଶଗ୍ରହଣ କରିବା ଉଚିତ।
ସଂଜୀବ ହୋତା, ପୂର୍ବତନ ରାଜ୍ୟ ନିର୍ବାଚନ କମିସନର୍‌

ପରିଚୟପତ୍ର ଖାରଜ ହେଉ

ରାଜଧାନୀରେ ପ୍ରତ୍ୟେକ ଥର ନିର୍ବାଚନବେଳେ ଏଭଳି କମ୍ ପୋଲିଂ ହେଉଥିବା ଦେଖିବାକୁ ମିଳିଥାଏ। ତା’ର କାରଣ ଏହି ଦିନ ଛୁଟି ଥିବାରୁ ରାଜଧାନୀବାସୀ ଗାଁକୁ ଚାଲି ଯାଆନ୍ତି। ତେଣୁ ଏହାର ପ୍ରଭାବ ମତଦାନ ଉପରେ ପଡ଼ିଥାଏ। ତେବେ ଯେଉଁମାନେ କ୍ରମାଗତ ଭାବେ ଭୋଟଦାନରେ ଅଂଶ ଗ୍ରହଣ କରୁ ନାହାନ୍ତି, ସେମାନଙ୍କ ଭୋଟ ପରିଚୟପତ୍ର ଖାରଜ କରିଦେବା କଥା।
ସଂଜୀବ ମାରିକ, ଅବସରପ୍ରାପ୍ତ ପୁଲିସ ଡିଜି

ସଚେତନ ନାଗରିକ ଭୋଟ୍‌ ‌ନଦେଲେ କ’ଣ କରିହେବ

ମତଦାନ କମ୍‌ ହେବାର କାରଣ ହେଲା ବହୁ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ନିର୍ବାଚନ ଡ୍ୟୁଟି ପଡ଼ିଥିବାବେଳେ ସେମାନଙ୍କ ପରିବାର ଲୋକ ଭୋଟ୍‌ ଦେବାକୁ ଆସିନାହାନ୍ତି। ଏପ୍ରିଲ ୧୮ରୁ ଖରା ଛୁଟି ହୋଇଯିବାରୁ ଅନେକ ଭୁବନେଶ୍ବର ଛାଡ଼ି ଗାଁକୁ ପଳାଇଲେ କିମ୍ବା ଛୁଟି କଟାଇବାକୁ ବାହାରକୁ ଚାଲିଯାଇଛନ୍ତି। ସଚେତନ ନାଗରିକ ଭୋଟ୍‌ ‌ନଦେଲେ କ’ଣ କରିହେବ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବି ସମ୍ଭବ ନୁହେଁ। ଗୋଟିଏ, ଦୁଇଟି ରାଜ୍ୟରେ ପୂର୍ବରୁ ଭୋଟ୍‌ ଦେଉ ନଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହା ସମ୍ଭବ ହୋଇପାରି ନଥିଲା। ଆମ ରାଜ୍ୟରେ ଏହିଭଳି କିଛି ନିଷ୍ପତ୍ତି ହୋଇନି। ଲୋକମାନେ ଯେତେବେଳେ ଭୋଟ୍‌ ଦେବା ସେମାନଙ୍କ କର୍ତ୍ତବ୍ୟ ବୋଲି ଭାବିବେ ସେତେବେଳେ ଯାଇ ଭୋଟ୍‌ ହାର ବଢ଼ିବ।
ସହଦେବ ସାହୁ, କୋର୍‌ କମିଟି ସଦସ୍ୟ, ଓଡ଼ିଶା ଇଲେକ୍ସନ ୱାଚ୍‌

ଶିକ୍ଷିତଙ୍କଠାରୁ ଏହା ଆଶା କରାଯାଉନି

ଗତଥର ଅପେକ୍ଷା ଏଥର ଭୁବନେଶ୍ବରରେ ମତଦାନ ହାର ୩%ରୁ ଅଧିକ ବଢ଼ିଛି। ଲୋକସଭାରେ ୧% ବଢ଼ିଛି। ଏହା ଅତ୍ୟନ୍ତ ନୈରାଶ୍ୟଜନକ। ଭୁବନେଶ୍ବରର ସଚେତନ, ଶିକ୍ଷିତ ଲୋକଙ୍କଠାରୁ ଏହା ଆଶା କରାଯାଉନି। ଭୁବନେଶ୍ବରରେ ଭୋଟ୍‌ ହାର ନବଢ଼ିବାର ପ୍ରଥମ କାରଣ ହେଲା ଏଠାରେ ଯେଉଁମାନଙ୍କ ନାମ ତାଲିକାରେ ରହୁଛି ସେମାନେ ଭୁବନେଶ୍ବରରେ ରହୁନାହାନ୍ତି। ସେମାନେ ପାଠପଢ଼ିବାକୁ ବାହାରକୁ ଚାଲିଯାଉଛନ୍ତି କିମ୍ବା ଚାକିରି ପାଇଁ ବାହାରେ ରହୁଛନ୍ତି। ଦ୍ବିତୀୟ କାରଣ ହେଲା ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ରହୁଛି। ଭୋଟ୍‌ ଦେବାକୁ ଅଧିକାଂଶ ଗାଁକୁ ଯାଉଛନ୍ତି। ନିର୍ବାଚନ କମିସନ ଦୁଇଟି ତାଲିକାରେ ନାମ ଥିବା ବ୍ୟକ୍ତିଙ୍କର ନାମ କାଟିଲେଣି, କିନ୍ତୁ ବହୁ ଲୋକଙ୍କର କଟିନି। ତୃତୀୟ କାରଣ ହେଲା ସହରାଞ୍ଚଳ ଲୋକଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ଉଦାସୀନତା ଭାବ ରହୁଛି। ଏହା ଉପରେ ଅଧିକ ଅନୁଧ୍ୟାନ କରିବାର ସମୟ ଆସିଛି।
ରଞ୍ଜନ ମହାନ୍ତି, ରାଜ୍ୟ ସଂଯୋଜକ, ଓଡ଼ିଶା ଇଲେକ୍ସନ ୱାଚ୍‌

ଦେଶପ୍ରୀତି ମନୋଭାବ ଓ ସଚେତନତାର ଅଭାବ

ସହରାଞ୍ଚଳରେ ମତଦାନ ହାର କମିବାର ଅନେକ କାରଣ ରହିଛି। ରାଜଧାନୀରେ ଅଧିକାଂଶ ସରକାରୀ କର୍ମଚାରୀଙ୍କ ନିର୍ବାଚନ ଡ୍ୟୁଟି ରହିଥାଏ। ମାତ୍ର ଘରେ ରହିଥିବା ସେମାନଙ୍କ ପତ୍ନୀ ଓ ପିଲାମାନେ ଭୋଟ୍‌ ଦେବାକୁ ଆଗ୍ରହ ପ୍ରକାଶ କରିନଥାନ୍ତି। ସେହିପରି ବଢ଼ୁଥିବା ରାଜନୈତିକ ହିଂସାକୁ ନେଇ କେତେକ ଭୋଟ୍‌ ଦେବାରୁ ଦୂରେଇ ରହୁଛନ୍ତି। ନିର୍ଦିଷ୍ଟ ଦଳକୁ ଭୋଟ୍‌ ଦେବାକୁ ଚାଉଁଥିବା ଲୋକଙ୍କୁ ଅନ୍ୟ ରା‌ଜନୈତିକ ଦଳର କର୍ମୀଙ୍କ ଚେତାବନୀ ଓ ଭୟ ପ୍ରଦର୍ଶନ ଯୋଗୁ କିଛି ଲୋକ ଭୋଟ୍‌ଦାନରୁ ଦୂରେଇ ରହିବାକୁ ଉଚିତ ମଣନ୍ତି। ଏତଦ୍‌ବ୍ୟତୀତ ସଚେତନତାର ଅଭାବ ଅନ୍ୟ ଏକ କାରଣ। ବିଭିନ୍ନ ସମୟରେ ସରକାରୀ ଯୋଜନାଗୁଡ଼ିକ ସଂପର୍କରେ ଯେପରି ସଚେତନତା ସୃଷ୍ଟି କରାଯାଉଛି ଭୋଟ୍ ଦାନ ସଂପର୍କରେ ସେପରି ସଚେତନତା ସୃଷ୍ଟି କରାଯାଉ ନାହିଁ। ଲୋକମାନଙ୍କ ମଧ୍ୟରେ ଦେଶପ୍ରେମର ଅଭାବ ମଧ୍ୟ ମତଦାନ ହାର କମିବାରେ ଅନ୍ୟ ଏକ କାରଣ।
ନନ୍ଦନନ୍ଦନ ଦାସ, ପ୍ରତିଷ୍ଠାତା ସଭାପତି ପିପୁଲ୍‌ସ ୱେଲଫେୟାର ସଜେସନ ଫୋରମ୍‌

ରାଜନୀତିକୁ ପାଖରୁ ଦେଖି ବିମୁଖ ହେଉଛନ୍ତି

ଲୋକଙ୍କ ଦ୍ବାରା ପ୍ରାର୍ଥୀମାନେ ଗ୍ରହଣୀୟ ହୋଇ ନପାରିବା ମତଦାନ ହାର କମିବାର ମୁଖ୍ୟ କାରଣ। ‌ଆଜିକାଲି କେଉଁ ସ୍ତରର ରାଜନୀତି ହେଉଛି, କେଉଁ ଭଳି ଭାବେ ପ୍ରାର୍ଥୀ ଚୟନ କରାଯାଉଛି, ଏସବୁ ରାଜଧାନୀର କେନ୍ଦ୍ରସ୍ଥଳରେ ରହି ଲୋକମାନେ ଲକ୍ଷ୍ୟ କରୁଛନ୍ତି। ଏଣୁ ଭୋଟ୍‌ ପ୍ରତି ଅନାଗ୍ରହ ପ୍ରକାଶ ପାଉଛି। ପୁଣି ନୋଟାରେ ଭୋଟ୍‌ ଦେଇ ଭୋଟ୍‌ ଗଣତି ନହେବା ଅପେକ୍ଷା ଭୋଟ୍‌ ନ ଦେବାକୁ ଅଧିକ ଉଚିତ ମାନନ୍ତି। ପୋଲିଂ ବୁଥ୍‌ର ପ୍ରତିଟି କାର୍ଯ୍ୟକୁ ନିର୍ବାଚନ କମିସନ ପରିଚାଳନା କରିବା ଭଳି ଲୋକମାନଙ୍କୁ ଘରୁ ବାହାର କରି ବୁଥ୍‌ରେ ପହଞ୍ଚାଇବା ଦାୟିତ୍ବ ବି ନିର୍ବାଚନ କମିସନର୍‌ଙ୍କର। ନିର୍ବାଚନ ସମୟରେ ହେଉଥିବା ସ୍ଳୋଗାନ୍‌କୁ ନିର୍ବାଚନର ୬ ମାସ ପୂର୍ବରୁ ତ୍ବରାନ୍ବିତ କରାଯିବା ଉଚିତ। ଫଳରେ ଲୋକମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଅଣାଯାଇପାରିବ।
ବନ ମହାନ୍ତି, ବରିଷ୍ଠ ଆଇନଜୀବୀ

ଅନେକ କାରଣ ଦାୟୀ

ରାଜଧାନୀରେ ଭୋଟ୍ ହାର କମିବା ପାଇଁ ଅନେକ କାରଣ ଦାୟୀ। ମୁଖ୍ୟତଃ ରାଜଧାନୀରେ ରହୁଥିବା ଲୋକମାନଙ୍କ ଭୋଟିଂ ଲିଷ୍ଟରେ ନାଁ ଉଭୟ ଭୁବନେଶ୍ବର ଓ ଗାଁରେ ରହିଛି। ଭୋଟ୍ ସମୟରେ ଛୁଟି ରହୁଥିବାରୁ ସେମାନେ ଗାଁକୁ ପଳାଉଛନ୍ତି। ଏହାସହ ଖରା ଦିନ ଯୋଗୁଁ ରାଜଧାନୀରେ ତଥାକଥିତ ସଂଭ୍ରାନ୍ତ ବ୍ୟକ୍ତିମାନେ ଭୋଟ୍ ଦେବାକୁ ଯାଉନାହାନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ରାଜଧାନୀରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ରହୁଛନ୍ତି। ସେମାନଙ୍କର ଭୋଟର୍‌ ଲିଷ୍ଟରେ ନାଁ ଚଢ଼ି ଯାଉଛି। କିନ୍ତୁ ସେମାନେ ରାଜଧାନୀ ଛାଡ଼ି ଚାଲିଯିବା ପରେ ସେମାନଙ୍କ ନାଁ କଟା ଯାଉନାହିଁ କି ଘରକୁ ଘର ବୁଲି ଏହାର ଯାଞ୍ଚ ହେଉନାହିଁ। ରାଜନୈତକ ଦଳମାନେ ଲୋକଙ୍କ ମନଲାଖି ପ୍ରାର୍ଥୀ ଦେଉ ନଥିବାରୁ ଶିକ୍ଷିତ ବ୍ୟକ୍ତିମାନେ ଭୋଟ୍ ଦେବାକୁ ଚାହୁଁ ନାହାନ୍ତି। ଚଳିତ ନିର୍ବାଚନରେ ମେସିନ୍ ଖରାପ ଯୋଗୁଁ ଲୋକଙ୍କୁ ଦୀର୍ଘ ସମୟ ଠିଆ ହେବାକୁ ପଡ଼ିଥିଲା। ଫଳରେ ବିରକ୍ତରେ କିଛି ଫେରି ଯାଇଥିଲେ। ରାଜଧାନୀରେ ମଧ୍ୟ ରାଜନୈତିକ ଦଳମାନଙ୍କର ପ୍ରଚାର ବହୁତ କମ୍। ରାଜଧାନୀର ଲୋକମାନେ ମଧ୍ୟ ଆରାମ‌ରେ ରହିବା ଅଭ୍ୟସ୍ତ ହୋଇଗଲେଣି।
ପ୍ରଫେସର ସୂର୍ଯ୍ୟନାରାୟଣ, ମିଶ୍ର, ରାଜନୈତିକ ବିଶ୍ଲେଷକ

ସରକାରୀ ସୁବିଧା ବନ୍ଦ କରାଯାଉ

ଭୋଟ୍‌ ଦେବାକୁ ଲୋକ ଫେସ୍‌ବୁକ୍‌, ଟୁଇଟର୍‌ରେ ସଚେତନ କଲେ। ସରକାର ଛୁଟି ଘୋଷଣା କଲେ। ଅଥଚ ଲୋକ ଭୋଟ୍‌ ନଦେଇ ଛୁଟିରେ ମଉଜ କଲେ। ସରକାରୀ ଚାକିରିଆ ଭୋଟ୍‌ ଡ୍ୟୁଟି କରିବାରୁ ତାଙ୍କ ପରିବାର ଲୋକ ଭୋଟ୍‌ ଦେବାକୁ ଆସିଲେନି। ଏପଟେ ବେସରକାରୀ ଚାକିରିଆ ଘରେ ବସି ମଜା କଲେ। ସାଧାରଣ ବର୍ଗର ଲୋକ ଗାଁରେ ଭୋଟ୍‌ ନଦେଲେ ଗାଁରେ ମିଳୁଥିବା ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବାର ଭୟ ଥିବାରୁ ସହର ଛାଡ଼ି ଗାଁରେ ଭୋଟ୍‌ ଦେଲେ। କିନ୍ତୁ ସହରବାସୀ ତ ଭୋଟ୍‌ ନଦେଲେ ବି ସରକାରଙ୍କ ସୁବିଧା ସୁଯୋଗ ନପାଇବାର ଭୟ ନଥିବାରୁ ଭୋଟ୍‌ ଦେବାକୁ ଅଗ୍ରାଧିକାର ଭାବିଲେନି। ସରକାର ଯଦି ଭୋଟ୍‌ ଦେଉ ନଥିବା ଲୋକଙ୍କୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରିବାକୁ ନିଷ୍ପତ୍ତି ନେବେ ତେବେ ଯାଇ ଭୋଟ୍‌ ହାର ବଢ଼ିବ।
ଶରତ କୁମାର କର, ଶିକ୍ଷାବିତ୍‌

ମତଦାନ ବାଧ୍ୟତାମୂଳକ ହେବା ଉଚିତ

ପ୍ରାୟ ସବୁବେଳେ ଦେଖିବାକୁ ମିଳୁଛି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମତଦାନ ହାର ବହୁତ କମ୍‌ ଥାଏ। ଏହାର ବହୁ ଦିଗ ରହିଛି। କିଛି ଲୋକ ଏହାକୁ ବିନାବେତନରେ ଛୁଟି ଦିନ ହିସାବରେ ନିଅନ୍ତି। ସମାଜରେ ରାଜନୀତିରେ ଆଗ୍ରହ ପ୍ରକାଶ କରୁଥିବା ୨ ପ୍ରକାରର ଲୋକ ଅଛନ୍ତି। କିଛି ଦେଶ, ଓ ରାଜ୍ୟ କଥା ଭାବନ୍ତି ଓ ଭୋଟ୍‌ ଦିଅନ୍ତି। ଆଉ କିଛି କେବଳ ଡ୍ରଇଂ ରୁମ୍‌ରେ ବସି ନିନ୍ଦା ଓ ସମାଲୋଚନା କରନ୍ତି। ‌ସେମାନେ କେବେ ଲମ୍ବା ଧାଡ଼ିରେ ଠିଆ ହୋଇ ଭୋଟିଂ ପ୍ରକ୍ରିୟାରେ ସାମିଲ ହୁଅନ୍ତି ନାହିଁ। ଏଣୁ ଆମକୁ ବ୍ୟବସ୍ଥାର ପରିବର୍ତ୍ତନ କରିବା ଆବଶ୍ୟକ। ‌ମତଦାନକୁ ବାଧ୍ୟତାମୂଳକ କରିବା ସହିତ ବାହାରକୁ କାମ ପାଇଁ ଯାଉଥିବା ଯୁବବର୍ଗଙ୍କ ପାଇଁ ଇଣ୍ଟରନେଟ୍‌ର ବ୍ୟବସ୍ଥା କରିବା ଆବଶ୍ୟକ। ତେବେ ଯାଇ ମତଦାନ ଶତ ପ୍ରତିଶତ ହୋଇପାରିବ।
ନମ୍ରତା ଚଢ଼ା, ସମାଜସେବୀ

ନୋଟାରେ ହେଉ ପଛେ ଭୋଟ୍‌ ଦିଅନ୍ତୁ

ଗୋଟିଏ ଭୋଟ୍‌ର ମୂଲ୍ୟ କେତେ ତାହା ସମସ୍ତେ ବୁଝିବା ଦରକାର। ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବା କିଏ? ଏହି ନ୍ୟାୟରେ ଯଦି ସବୁ ଜାଣିକି ବି ସହରିଆ ଶିକ୍ଷିତ ଭୋଟ୍ ନ ଦେବେ, ତେବେ ଏ ନେଇ କିଛି କରାଯାଇପାରିବ ନାହିଁ। ସହରର ଶିକ୍ଷିତ ଲୋକ ଭୋଟ୍‌ ଦିନକୁ ଛୁଟି ଦିନ ନ ଭାବି ଆତ୍ମବିଶ୍ଳେଷଣ କରନ୍ତୁ ଓ ନିଜର ଗୋଟିଏ ଗୋଟିଏ ଭୋଟ୍‌ ‌ଦେଇ ସରକାର ଗଠନରେ ସାମିଲ ହୁଅନ୍ତୁ। ଯଦି ପ୍ରାର୍ଥୀ ପସନ୍ଦ ନ ଆସୁଛନ୍ତି ତେବେ ନୋଟାରେ ଭୋଟ୍‌ ଦିଅନ୍ତୁ। କିନ୍ତୁ ଗଣତନ୍ତ୍ରର ମହାପର୍ବରେ ସାମିଲ ‌ହେବା ଦେଶର ପ୍ରତିଟି ନାଗରିକର କର୍ତ୍ତବ୍ୟ।
ଅନୁରାଧା ଦାଶ, ସମାଜସେବୀ

ସମ୍ବନ୍ଧିତ ଖବର