ରାଜଧାନୀରେ ଜେଇଇ ମେନ୍‌ ର‍୍ୟାଙ୍କ୍‌କୁ ଅପେକ୍ଷା

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଛି ଜେଇଇ ମେନ୍‌ ଅଫ୍‌ଲାଇନ୍‌ ପରୀକ୍ଷା। ଭୟ, ଆଶା, ଆଶଙ୍କା ଏବଂ କଡ଼ା ଯାଞ୍ଚ ମଧ୍ୟରେ ଓଡ଼ିଶାର ୩୬ ହଜାର ପରୀକ୍ଷାର୍ଥୀ ଦେଇଛନ୍ତି ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା। ପ୍ରଶ୍ନପତ୍ରରେ କେତେକ ପ୍ରଶ୍ନ କଷ୍ଟ ଥିବା ବେଳେ କିଛି ପ୍ରଶ୍ନ ପରୀକ୍ଷାର୍ଥୀଙ୍କୁ ଆଶ୍ୱସ୍ତି ଆଣି ଦେଇଥିଲା। ତିନି ଘଣ୍ଟା ଧରି ଉତ୍ତର ଲେଖି କେନ୍ଦ୍ର ବାହାରକୁ ଆସିବା ପରେ ଅଭିଭାବକଙ୍କ ଆଗରେ ପରୀକ୍ଷାର ଉତ୍କଣ୍ଠାକୁ ପ୍ରକାଶ କରିଥିଲେ ପରୀକ୍ଷାର୍ଥୀ। ଭଲରେ ପରୀକ୍ଷା ସରିଥିବାରୁ ଏବେ ର‍୍ୟାଙ୍କ୍‌କୁ ସମସ୍ତଙ୍କ ଅପେକ୍ଷା।

ମୁଦି ଖୋଲିଲେ ପରୀକ୍ଷାର୍ଥୀ
ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। କେତେକ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ସମ୍ମୁଖରେ ପାଉଁଜି ଖୋଲିବାକୁ ପଡ଼ିଛି ତ ଆଉ କାହାକୁ ବେକରୁ ସୁନା ଚେନ୍‌ ଖୋଲିବାକୁ ପଡ଼ିଥିଲା। କିଛି କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ମଧ୍ୟ ମୁଦି ଖୋଲିବାକୁ ପଡ଼ିଥିଲା। କିଛି ପରୀକ୍ଷାର୍ଥୀଙ୍କ ସାଙ୍ଗରେ ଅଭିଭାବକ ଆସି ନ ଥିବାରୁ ସେମାନେ ହଟହଟା ହୋଇଥିଲେ।

ଅଢ଼େଇ ଘଣ୍ଟାର ଲମ୍ବା ଧାଡ଼ି
ରାଜଧାନୀର ବିଭିନ୍ନ ସ୍ଥାନରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସକାଳ ୯ଟା ୩୦ରେ ପ୍ରଥମ ସିଟିଂ (ବିଇ/ବିଟେକ୍‌) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ନିର୍ଧାରିତ ସମୟର ଅଢ଼େଇ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡ଼ି ଲାଗିଥିଲା। କେନ୍ଦ୍ରୀୟ ବିଦ୍ୟାଳୟ, ଡିଏଭି ସମେତ ଘରୋଇ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଦୁଇ ଜଣ ଲେଖାଏ ମହିଳା ଏବଂ ୫ରୁ ୮ ଜଣ ଲେଖାଏ ପୁରୁଷ ଫାଟକ ନିକଟରେ ଛିଡ଼ା ହୋଇ ପରୀକ୍ଷାର୍ଥୀଙ୍କୁ ତନତନ କରି ଯାଞ୍ଚ କରିଥିଲେ। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ଣ ୨ଟାରୁ ୫ଟା ଯାଏ ଚାଲିଥିଲା। ଗୋଟାଏ ବେଳେ ପରୀକ୍ଷାର୍ଥର୍ୀଙ୍କୁ କେନ୍ଦ୍ର ଭିତରକୁ ଯାଞ୍ଚ କରାଯାଇ ଛଡ଼ାଯାଇଥିଲା।

ସିସିଟିଭି ନଜରରେ ପରୀକ୍ଷା
ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀଙ୍କୁ ମେଟାଲ ଡିଟେକ୍ଟର୍‌ରେ ଯାଞ୍ଚ କରାଯାଇଥିଲା। ପ୍ରବେଶ ଫାଟକ ନିକଟରେ ଯାଞ୍ଚ ହେବା ପରେ ହଲ୍‌ ଭିତରକୁ ପ୍ରବେଶ ସମୟରେ ଆଉଥରେ ଯାଞ୍ଚ କରାଯାଇଥିଲା। ମୁଖ୍ୟ ଫାଟକରେ ପ୍ରବେଶ କରିବା ବେଳେ ଦୁଇଟି ମେଟାଲ ଡିଟେକ୍ଟର ଏବଂ ସ୍କାନର୍‌ରେ ଛାତ୍ରଛାତ୍ରୀ ଯାଞ୍ଚର ସମ୍ମୁଖୀନ ହୋଇଥିଲେ। ପ୍ରତି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସିସିଟିଭି ଲଗାଯାଇଥିଲା। ପରୀକ୍ଷାର୍ଥୀଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଥିଲା ସିସିଟିଭି। କେନ୍ଦ୍ର ପରିସରରେ ଏପାଖ ସେପାଖ ହେଉଥିବାରୁ ଏକାଧିକ ପରୀକ୍ଷାର୍ଥୀଙ୍କୁ ଆଜି ତାଗିଦ୍‌ କରାଯାଇଛି। ପୁଲିସ ପ୍ରହରା ମଧ୍ୟ କଡ଼ାକଡ଼ି ହୋଇଥିଲା। ଭିଡ଼ ଏଡ଼ାଇବା ପାଇଁ କେନ୍ଦ୍ରଗୁଡ଼ିକ ପ୍ରବେଶ ପଥରେ ବ୍ୟାରିକେଡ୍‌ ହୋଇଥିଲା।

ପରୀକ୍ଷାର୍ଥୀଙ୍କ ମୁହଁରୁ…
ଜେଇଇ ମେନ୍‌ ଲାଗି ଯେଉଁଭଳି ଭାବେ ପ୍ରସ୍ତୁତ ହୋଇଥିଲି ସେହି ଅନୁଯାୟୀ ପ୍ରଶ୍ନପତ୍ର ଆସିଥିଲା। ତେଣୁ କୌଣସି ଅସୁବିଧା ହେଲା ନାହିଁ। ଭଲ ଭାବେ ପ୍ରତିଟି ପ୍ରଶ୍ନର ଉତ୍ତର ଲେଖିଛି। ୩୬୦ ମାର୍କର ପ୍ରଶ୍ନପତ୍ରରେ ସେଭଳି କଷ୍ଟ ପ୍ରଶ୍ନ ପଡ଼ି ନ ଥିଲା। ଆଶା କରୁଛି ଭଲ ର‍୍ୟାଙ୍କ ମିଳିବ।
ଜିତେନ୍ଦ୍ର ବରାଳ, ପରୀକ୍ଷାର୍ଥୀ
ପ୍ରଶ୍ନଗୁଡ଼ିକ ବହୁତ ସହଜ ଥିଲା। ନିର୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିଛି। ଜେଇଇ ପରୀକ୍ଷା ପାଇଁ କୋଚିଂ ନେଉଛି। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଏହି ପରୀକ୍ଷା ମୋ ପାଇଁ ପ୍ରଥମ ଥିଲା। ଯୁକ୍ତ୨ ପରୀକ୍ଷା ସରିବା ପରେ ଏବେ ଜେଇଇରେ ଭଲ ର‍୍ୟାଙ୍କ ମିଳିବ ବୋଲି ମୁଁ ଭାବୁଛି।
ସମୀକ୍ଷା ପଣ୍ଡା,ପରୀକ୍ଷାର୍ଥୀ
ପ୍ରଶ୍ନଗୁଡ଼ିକ ଭଲ ଆସିଥିଲା। ତେଣୁ ସମସ୍ତ ପ୍ରଶ୍ନର ଉତ୍ତର ଲେଖିଛି। ପ୍ରଥମ ଥର ପାଇଁ ପରୀକ୍ଷାରେ ଭାଗନେଇଥିବାରୁ ମନରେ ଟିକିଏ ଆଶା ଓ ଆଶଙ୍କା ରହିଥିଲା। ତଥାପି ୯୦ ପ୍ରତିଶତ ପ୍ରଶ୍ନର ଉତ୍ତର କରିଛି। ପରୀକ୍ଷା ପରେ ବି ନର୍ଭସ ଲାଗୁଛି କିଭଳି ହେବ। ତଥାପି ଭଲ ଫଳ ହେବ ବୋଲି ଆଶା ରହିଛି।
ଉଦ୍ଦେଶ୍ୟ ପଟ୍ଟନାୟକ ,ପରୀକ୍ଷାର୍ଥୀ
ପ୍ରଶ୍ନପତ୍ରରେ ପଦାର୍ଥ ବିଜ୍ଞାନର ପ୍ରଶ୍ନଗୁଡ଼ିକ ବହୁତ ଭଲ ରହିଥିଲା। ତେଣୁ ଭଲ ଉତ୍ତର ଲେଖିଛି। ପରୀକ୍ଷା ଲାଗି ଦିନକୁ ୮ରୁ ୯ଘଣ୍ଟା ପରିଶ୍ରମ କରୁଥିଲି। ପରୀକ୍ଷା ଲାଗି ବହୁ ପୂର୍ବରୁ ନିଜକୁ ପ୍ରସ୍ତୁତି କରିଥିଲି। ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ସମସ୍ତ ପ୍ରଶ୍ନର ଉତ୍ତର ଲେଖିଛି।
ସସ୍ମିତା ବାନେରା,ପରୀକ୍ଷାର୍ଥୀ
ପ୍ରଶ୍ନପତ୍ରରେ ଯେତିକି ପ୍ରଶ୍ନ ରହିଥିଲା ସେଥିରୁ ଅଧିକାଂଶ ପ୍ରଶ୍ନର ଉତ୍ତର କରିଛି। ୩ ଘଣ୍ଟା ସମୟ ଭିତରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଥିଲି। ତଥାପି କିଛି ରହିଗଲା। ଆଶା କରୁଛି ଭଲ ର‍୍ୟାଙ୍କ ମିଳିବ ବୋଲି। ପରୀକ୍ଷା ଲାଗି ବହୁ ଆଗରୁ ଅଭ୍ୟାସ କରିଥିଲି।
ସ୍ୱାଗତ ମିଶ୍ର,ପରୀକ୍ଷାର୍ଥୀ
୩ ଘଣ୍ଟାର ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଲେଖିଛି। ଆଗରୁ କୋଚିଂ ନେଇଥିବାରୁ ପରୀକ୍ଷାରେ ସେଭଳି କିଛି ଅସୁବିଧା ହେଲାନି। ପରୀକ୍ଷା ଲାଗି ନିଜକୁ ଭଲ ଭାବେ ପ୍ରସ୍ତୁତ କରିଥିଲେ। ୮୫ପ୍ରତିଶତ ପ୍ରଶ୍ନର ଉତ୍ତର ଦେଇଛି। ସମାଜିକ ଜ୍ଞାନ ବିଭାଗରେ ପ୍ରଶ୍ନଗୁଡ଼ିକ ଭଲ ପଡ଼ିଥିଲା।
ତାପସ୍ୱିନୀ ମାଝୀ,ପରୀକ୍ଷାର୍ଥୀ

ସମ୍ବନ୍ଧିତ ଖବର