ଗଣତନ୍ତ୍ର ଦିବସରେ ଉତ୍କଳ ଗ୍ୟାଲେରିଆ ପକ୍ଷରୁ ଓ୍ଵାକାଥନ ଆୟୋଜିତ

ଭୁବନେଶ୍ୱର : ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ପ୍ରମୁଖ ସପିଂ ମଲ୍ ଉତ୍କଳ ଗ୍ୟାଲେରିଆରେ ଏକ ୫ କିଲୋମିଟର ଲମ୍ବ ମାରାଥନ-ୟୁନିଟ ଓ୍ଵାକାଥନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉତ୍କଳ ଗ୍ୟାଲେରିଆ, ସୋ ଆମ ଆଇ (ସାଇ) ଫାଉଣ୍ଡେସନ ଟ୍ରଷ୍ଟ ଓ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ ତରଫରୁ ଆୟୋଜନ କରାଯାଇଥିଲା । ଏହି ଅବସରରେ ମାନ୍ୟବର ସାଂସଦ ଡ.ଅମର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉତ୍କଳ ଗ୍ୟାଲେରିଆର ନିର୍ଦ୍ଦେଶକ ଶରଦ ବୈଦ, ଅମିତ ବୈଦ ଓ ପୂର୍ଣ୍ଣିମା ବୈଦ, ସାଇର ପ୍ରତିଷ୍ଠାତା ପିନାକୀ ମହାନ୍ତି, ସାଇର ସହ-ପ୍ରତିଷ୍ଠାତା ଚିଦାତ୍ମିକା ଖଟୁଆ, ରୋଟାରିଆନ ଜୟଶ୍ରୀ ମହାନ୍ତି, ପ୍ରଭୁଦତ୍ତ ସୁବୁଦ୍ଧି ଓ ସୁଭେନ୍ଦୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ମାନ୍ୟବର ସାଂସଦ  ଡ. ଅମର ପଟ୍ଟନାୟକ କହିଛନ୍ତି ଯେ ଆଜିର ଦିନରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଯାହାକି ଆମକୁ ସମାନତାର ଅଧିକାର ପ୍ରଦାନ କରିଥାଏ । କିନ୍ତୁ ଏବେ ବି ଏହା ଆମଦେଶରେ ସମ୍ପୂର୍ଣ୍ଣ ଭାବରେ ସମ୍ଭବ ହୋଇପାରିନାହିଁ । ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ଆମଦେଶର ସମାଜରେ ଥିବା ଅସମାନତା, ଧର୍ମ, ଜାତି, ଲିଙ୍ଗ ଭିତ୍ତିରେ ଅସମାନତାକୁ ଲୋପ କରିବା ଲାଗି ସଂକଳ୍ପ ନେବା । ଆମ ସମସ୍ତଙ୍କର ଖାଦ୍ୟ ପାଇବାର ଅଧିକାର ରହିଛି ଯାହାକି କ୍ଷୁଧା ମୁକ୍ତ ଓଡ଼ିଶା ଅଭିଯାନ ମାଧ୍ୟମରେ ସଫଳ ହୋଇପାରିବ ।

ଏହି ଅବସରରେ ପୂର୍ଣ୍ଣିମା ବୈଦ କହିଛନ୍ତି ଯେ ଆମ ସମାଜରେ ଭୋକିଲା ପେଟରେ ଶୋଇବାକୁ ବାଧ୍ୟ ହେଉଥିବା ଗରିବ ଲୋକମାନଙ୍କୁ ଦୃଷ୍ଟିରେ ରଖି ଉତ୍କଳ ଗ୍ୟାଲେରିଆ ଓ ସୋ ଆମ ଆଇ ଏହି ପଦକ୍ଷେପ ନେଇଛନ୍ତି । ଏହି ଓ୍ଵାକାଥନ ମାଧ୍ୟମରେ ଏ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ହୋଇପାରିବ ଓ ଯଦ୍ୱାରା ଅଧିକରୁ ଅଧିକ ଲୋକ ଏହି ଅଭିଯାନରେ ଯୋଡ଼ିହୋଇପାରିବେ ଓ ଓଡ଼ିଶାକୁ କ୍ଷୁଧାମୁକ୍ତ କରିହେବ ।

ସମ୍ବନ୍ଧିତ ଖବର