ପୁଅ ସହ ଆତ୍ମହତ୍ୟା କରିବାକୁ ଏସିପିଙ୍କ ପତ୍ନୀଙ୍କ ଧମକ

ଭୁବନେଶ୍ବର/ରାଉରକେଲା : ଏସିପି ସ୍ବାମୀଙ୍କ ଦ୍ବାରା ନିର୍ଯାତିତା ଜଣେ ମହିଳା ନ୍ୟାୟ ପାଇଁ ଆଜି ରାଉରକେଲା ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ହେଉଛନ୍ତି ବର୍ତ୍ତମାନ ଭୁବନେଶ୍ବର କମିସନରେଟ୍ ପୁଲିସରେ ଅବସ୍ଥାପିତ ସଂଗ୍ରାମ ଟୁଡୁ। ଶ୍ରୀ ଟୁଡୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ତାଙ୍କ ପତ୍ନୀ ଦୁଲାରୀ ଟୁଡୁ ନିଜର ୧୦ ବର୍ଷର ପୁଅକୁ ନେଇ ମହିଳା ସଙ୍ଗଠନ ‘ଆଶ୍ରା’ର ସମ୍ପାଦିକା ମିନତି ଦେବତାଙ୍କ ସହ ଏସ୍‌ପି ଉମାଶଙ୍କର ଦାଶଙ୍କୁ ସାକ୍ଷାତ କରି ନ୍ୟାୟ ପାଇଁ ଗୁହାରି ଜଣାଇଛନ୍ତି। ଗଣମାଧ୍ୟମ ଆଗରେ ସେ କହିଛନ୍ତି, ମୋ ସ୍ବାମୀ ସଂଗ୍ରାମ ରାଉରକେଲାରୁ ପଦୋନ୍ନତି ପାଇ ଭୁବନେଶ୍ବରକୁ ଏସିପି ଭାବେ ବଦଳି ହୋଇଯିବା ପରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହ କରି ସେଠାରେ ରହୁଛନ୍ତି। ତା’ ପରଠାରୁ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ମୋ ଜୀବନ ପ୍ରତି ବିପଦ ରହିଛି। ନ୍ୟାୟ ନ ମିଳିଲେ ଏସ୍‌ପିଙ୍କ ଅଫିସ ଆଗରେ ଆମେ ମା’ ପୁଅ ଦୁହେଁ ଆତ୍ମହତ୍ୟା କରିବୁ।

ଅନ୍ୟପଟେ ପତ୍ନୀ ଦୁଲାରୀଙ୍କ ଅଭିଯୋଗକୁ ଏସିପି ସଂଗ୍ରାମ ଟୁଡୁ ଖଣ୍ଡନ କରିଛନ୍ତି। କହିଛନ୍ତି, ମୁଁ ଭୁବନେଶ୍ବରରେ ଅନ୍ୟ କୌଣସି ମହିଳାଙ୍କୁ ବିବାହ କରିନାହିଁ। ଆମ ବିବାଦ ୨୦୧୬ରୁ ଆରମ୍ଭ ହୋଇଛି, ଯାହା ଏବେ‌ କୋର୍ଟରେ ବିଚାରାଧୀନ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭରଣପୋଷଣ ପାଇଁ ପ୍ରତି ମାସକୁ ତାଙ୍କ ନିକଟକୁ ୮ ହଜାର ଟଙ୍କା ଲେଖାଏଁ ଡିଡି କରି ପଠାଉଛି। ସେ ଆହୁରି କହିଛନ୍ତି, ପତ୍ନୀ ମୋ ସହ ୪ ମାସ ହେଲା ମିଳାମିଶା କରୁ ନ ଥିବାରୁ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିବା ପାଇଁ ନିଷ୍ପତ୍ତି ନେଇଛି।

ଉଲ୍ଲେଖନୀୟ ଯେ ବର୍ତମାନ ଦୁଲାରୀ ଟୁଡୁ ଝିରପାଣି ଥାନା ଅନ୍ତର୍ଗତ ଜଗଦା ରେଡିଓ ଷ୍ଟେସନ ପାଖରେ ରହୁଥିବା ଭଉଣୀ ରାଇମଣି ମାଝିଙ୍କ ପାଖରେ ରହୁଛନ୍ତି। ୨୦୦୯ରେ ସେ ସଂଗ୍ରାମ ଟୁଡୁଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର