ପଛୁଆ ଫେରୁଛି ପାଣି

ଭୁବନେଶ୍ୱର: ରାଜଧାନୀରେ ବର୍ଷା ଜଳ ନିଷ୍କାସନ ସମସ୍ୟା ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ଗୋଟିଏ ପଟେ ଏହାର ସ୍ଥାୟୀ ନିରାକରଣ ହୋଇପାରୁ ନଥିବା ବେଳେ ଅନ୍ୟପଟରେ ଆଉ ଏକ ବଡ଼ ସମସ୍ୟା ଉଭା ହେଲାଣି। ରାଜଧାନୀ ଭିତରେ ଥିବା ୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ଅନ୍ୟ ଡ୍ରେନ୍‌ରେ ପାଣି ନିଷ୍କାସନ ହେବାକୁ ଜାଗା ନାହିଁ। ଯେତିକି ପାଣି ବହୁଛି ସେତିକି ପାଣି ଟାଣିବାକୁ ଗଙ୍ଗୁଆ ଓ ଦୟା େଓ୍ଵଷ୍ଟ କେନାଲ ସମର୍ଥ ହେଉନାହାନ୍ତି। ଫଳରେ ପାଣି ରାଜଧାନୀରୁ ଖାଲି ହେବା ବଦଳରେ ପଛୁଆ ଫେରୁଥିବା ପ୍ରଶାସନର ମୁଣ୍ଡା ବ୍ୟଥା ବଢ଼ାଇ ଦେଇଛି। ଖାସ୍‌ ଏହି କାରଣରୁ ବଡ଼ ବର୍ଷା ହେଲେ ବନ୍ୟା ପରିସ୍ଥିତି ଉପୁଜୁଥିବା ଜଣାପଡିଛି। ରାଜଧାନୀବାସୀଙ୍କୁ ଏବେ ବର୍ଷା ଭୟ ଘାରିଛି। ଅସରାଏ ବର୍ଷାରେ ଉବୁଟୁବୁ ହେଉଥିବା ରାଜଧାନୀରେ ୨୦୦ ମିମି ବର୍ଷା ବି ବନ୍ୟା କରିଦେଇଛି। ତଥ୍ୟ ମୁତାବକ, ଏବେ ୧୦ଟି ଯାକ ମୁଖ୍ୟ ଡ୍ରେନରୁ ଦୈନିକ ମୋଟ୍‌ ୧ଲକ୍ଷ ୭ ହଜାର ୨୫୦ କ୍ୟୁବିକ ମିଟର (୧,୦୭,୨୫୦,୦୦୦ଲିଟର) ଜଳ ନିଷ୍କାସନ ହେଉଛି। ଏଥିରୁ ଦୁଇଟି ମୁଖ୍ୟ ଡ୍ରେନ୍‌ ଦୟା-େଓ୍ଵଷ୍ଟ କେନାଲରେ ମିଶି ଥିବା ବେଳେ ବାକି ୮ଟି ଡ୍ରେନ୍‌ ଗଙ୍ଗୁଆ ନାଳରେ ମିଶିଛି। ହେଲେ ଗଙ୍ଗୁଆ ଓ ଦୟା-େଓ୍ଵଷ୍ଟ କେନାଲ ସଙ୍କୁଚିତ ହୋଇଯାଇଛି। ବହୁ ସ୍ଥାନରେ ମଧ୍ୟ ପୋତି ହୋଇଗଲାଣି। ଏଣୁ ପାଣି ନିଷ୍କାସନ ଠିକ୍‌ ଭାବେ ହୋଇପାରୁନାହିଁ। କୌତୂହଳର କଥା ହେଉଛି, ବର୍ଷକୁ ଥରଟିଏ ମୁଖ୍ୟ ଡ୍ରେନ୍‌ ସଫା ହେଉଛି। ହେଲେ ଗଙ୍ଗୁଆ କି ଦୟା େଓ୍ଵଷ୍ଟ କେନାଲ ସଫା ହେଉନାହିଁ। ଯେଉଁଥିପାଇଁ ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ରେ ଯେଉଁ ସ୍ତରରେ ପାଣି ବହୁଛି ତାହାଠାରୁ ଏହି ଦୁଇଟି ବଡ଼ ନାଳର ସ୍ତର ଉଚ୍ଚା ରହୁଛି। ଆଉ ପାଣି ନିଷ୍କାସନ ନ ହୋଇ ପଛକୁ ଫେରୁଛି। ଉଦାହରଣ: ମୁଖ୍ୟ ଡ୍ରେନ୍‌-୨। ଏହି ଡ୍ରେନ୍‌ ୟୁନିଟ-୨ରୁ ବାହାରି ବଡ଼ଗଡ଼ ଦେଇ ଗଙ୍ଗୁଆରେ ମିଶିଛି। କିନ୍ତୁ ବଡ଼ଗଡ଼ ପରେ ଏହି ଡ୍ରେନ୍‌ ଉଭାନ ହୋଇଯାଇଛି। ଏପରିକି ଏହି ଅଞ୍ଚଳରେ ଥିବା ଘୋଷଡ଼ାରେ ବହୁ ବେଆଇନ ନିର୍ମାଣ ହୋଇଥିବାରୁ ଡ୍ରେନ୍‌ ପାଣି ବାଦ୍‌ ଘୋଷଡ଼ାର ପାଣି ବି ପଛୁଆ ଆସି ଶବର ସାହି, ଚମ୍ପା ପୋଖରୀ, ଚିନ୍ତାମଣିଶ୍ୱର ଆଦି ଅଞ୍ଚଳରେ ପଶୁଛି।

କେଉଁ ମୁଖ୍ୟ ଡ୍ରେନ୍‌ରେ କେତେ ପାଣି ପ୍ରବାହିତ ହେଉଛି
ଏବେ ଡ୍ରେନ୍‌ ନଂ-୯ (ଘାଟିକିଆ ଡ୍ରେନ୍‌)ରେ ଦୈନିକ ସର୍ବାଧିକ ୨୮,୮୦୦ କ୍ୟୁବିକ୍‌ ମିଟର ତଥା ୨୮,୮୦,୦୦୦ଲିଟର ଜଳ ନିଷ୍କାସନ ହେଉଛି। ଏହା ଜାତୀୟ ରାଜପଥ-୧୬ କଲଭର୍ଟରୁ ବାହାରି ପୋଖରୀପୁଟ ରେଲ୍‌େଓ୍ଵ ଓଭରବ୍ରିଜ୍‌ ନିକଟରେ ପଡ଼ିଛି। ଏହାବାଦ୍‌ ପଟିଆ ତଥା ଡ୍ରେନ୍‌ ନଂ-୧ରେ (ଫରେଷ୍ଟ ଲେକ୍‌ , ଚନ୍ଦ୍ରଶେଖରପୁରରୁ ବାହାରି ମଞ୍ଚେଶ୍ୱର ନିକଟରେ ଦୟାେଓ୍ଵଷ୍ଟ କେନାଲରେ ପଡ଼ିଛି) ୧,୭୦,୦୦,୦୦୦ଲିଟର ପାଣି ବହୁଛି। ସୈନିକ ସ୍କୁଲ ଡ୍ରେନ୍‌ ତଥା ଡ୍ରେନ୍‌ ନଂ-୨ ସୈନିକ ସ୍କୁଲରୁ ବାହାରି ଡ୍ରେନ୍‌ ନଂ-୩ରେ ରେଲ୍‌େଓ୍ଵ ଓଭରବ୍ରିଜ୍‌ ନିକଟରେ ମିଶିଛି। ଏଥିରେ ଯଥାକ୍ରମେ ୧୫,୫୦,୦୦୦ଲିଟର ଏବଂ ୩୫,୫୦,୦୦୦ଲିଟର ଜଳ ନିଷ୍କାସନ ହେଉଛି। ବାଣୀବିହାର ଡ୍ରେନ୍‌ ତଥା ଡ୍ରେନ୍‌ ନଂ-୪ରେ (ଭରତପୁର ସଂରକ୍ଷଣ ଜଙ୍ଗଲରୁ ବାହାରି ଦୟାେଓ୍ଵଷ୍ଟ କେନାଲ୍‌ରେ ପଡ଼ିଛି) ୧୬,୪୦୦,୦୦୦ ଲିଟର ପାଣି ନିଷ୍କାସନ ହେଉଛି। ନିକୋ ପାର୍କ ଡ୍ରେନ୍‌ ତଥା େ଼ଡ୍ରନ୍‌ ନମ୍ବର ୧୦ (ସିଆର୍‌ପି କଲୋନିରୁ ବାହାରି ଗଙ୍ଗୁଆ ନାଳରେ ପଡ଼ିଛି) ୧,୬୪,୦୦,୦୦୦ ଲିଟର ପାଣି ନିଷ୍କାସନ ହେଉଛି। ଲକ୍ଷ୍ମୀସାଗର ଡ୍ରେନ୍‌ ତଥା ଡ୍ରେନ୍‌ ନଂ-୫ରେ (ଜନପଥରୁ ବାହାରି ଗଙ୍ଗୁଆରେ ମିଶିଛି) ୪୪,୫୦,୦୦୦ ଲିଟର ଜଳ ନିଷ୍କାସନ ହେଉଛି। ବଡ଼ଗଡ଼ ଡ୍ରେନ୍‌ ତଥା ଡ୍ରେନ୍‌ ନଂ-୬ରେ ୩୪,୫୦,୦୦୦ ଲିଟର ଜଳ ନିଷ୍କାସନ ହେଉଛି। କେଦାରଗୌରୀ ଡ୍ରେନ୍‌ ତଥା ଡ୍ରେନ୍‌ ନଂ-୭ରେ ଦୈନିକ ୫୪,୫୦,୦୦୦ ଲିଟର ଜଳ ନିଷ୍କାସନ ହେଉଛି। ଏୟାରପୋର୍ଟ ଅଞ୍ଚଳ ଡ୍ରେନ୍‌ ତଥା ଡ୍ରେନ୍‌ ନଂ-୮ରେ ୧,୪୩,୦୦,୦୦୦ ଲିଟର ପାଣି ନିଷ୍କାସନ ହେଉଛି। ଆଉ ନିକୋ ପାର୍କ ଡ୍ରେନ୍‌ ତଥା ଡ୍ରେନ୍‌ ନଂ-୧୦ରେ ଦୈନିକ ୧,୨୩,୦୦,୦୦୦ ଲିଟର ପାଣି ନିଷ୍କାସନ ହେଉଛି। ଏହିଭଳି ମୋଟ୍‌ ବିଏମ୍‌ସିର ୨୪ଟି ଓ୍ଵାର୍ଡରେ ଏହି ୧୦ଟି ଡ୍ରେନ୍‌ ପ୍ରବାହିତ ହୋଇଥିବାବେଳେ ଦୈନିକ ୧୦,୭୨,୫୦,୦୦୦ଲିଟର ଜଳ ନିଷ୍କାସନ ହେଉଛି। ମଇଳା ପାଣି ସ୍ୱେରେଜ୍‌ ଲାଇନ୍‌ରେ ଯିବା ଦରକାର୧୦ଟି ଯାକ ମୁଖ୍ୟ ଡ୍ରେନ୍‌ରେ ଯଦି କେବଳ ବର୍ଷା ପାଣି ଯାଆନ୍ତା ତେବେ ଏହି ଡ୍ରେନ୍‌ଗୁଡ଼ିକ ପୋତି ହୁଅନ୍ତାନାହିଁ। ରାଜଧାନୀବାସୀଙ୍କ ବର୍ଜ୍ୟଜଳ ମୁଖ୍ୟ ଡ୍ରେନ୍‌ରେ ମିଶୁଥିବାରୁ ମଇଳା ଏବଂ ବିଭିନ୍ନ ପ୍ରକାରର ଆବର୍ଜନା ମିଶି ମୁଖ୍ୟ ଡ୍ରେନ୍‌ ପୋତି ହୋଇଯାଉଛି ବୋଲି କହିଛନ୍ତି ସ୍ୱେରେଜ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ। ରାଜଧାନୀକୁ ବର୍ଷା ଜଳ ବିପଦରୁ ଦୂରେଇ ରଖିବାକୁ ହେଲେ ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଏବଂ ଗଙ୍ଗୁଆ ଓ ଦୟାେଓ୍ଵଷ୍ଟ କେନାଲ ପ୍ରତିବର୍ଷ ସଫା ହେବା ଦରକାର ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ଗଙ୍ଗୁଆର ତଣ୍ଟି ଚିପି ଦେଲେଣି
ଦରକାର ୭୦ ମିଟର ଓସାର, ଅଛି ୧୨ମିଟର
୮ଟି ପ୍ରମୁଖ ଡ୍ରେନ୍‌ର ବର୍ଷା ଜଳ ଗଙ୍ଗୁଆରେ ନିଷ୍କାସନ ହେଉଥିଲେ ହେଁ ଏଥିପ୍ରତି କର୍ତ୍ତୃପକ୍ଷ ଯେଭଳି ଦୃଷ୍ଟି ଦେବା କଥା ସେକଥା ଦେଖିବାକୁ ମିଳୁନାହିଁ। ଖୋଦ୍‌ ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି, ଗଙ୍ଗୁଆରେ ଜଳ ନିଷ୍କାସନ ଠିକ୍‌ ଭାବେ ହେବା ପାଇଁ ୭୦ରୁ ୧୩୦ମିଟର ଓସାର ହେବା ଦରକାର। ହେଲେ ଗଙ୍ଗୁଆ ଅଧିକାଂଶ ସ୍ଥାନରେ ୧୨ରୁ ୧୫ମିଟର ମଧ୍ୟରେ ରହିଛି। କିଛି ସ୍ଥାନରେ ସର୍ବାଧିକ ୨୩ ମିଟର ଓସାରରେ ଜଳ ନିଷ୍କାସନ ହେଉଛି। ଯେଉଁ ସ୍ଥାନରେ ୮ଟି ଯାକ ମୁଖ୍ୟ ଡ୍ରେନ୍‌ ଗଙ୍ଗୁଆରେ ମିଶିଛି ସେଠାରେ ମଧ୍ୟ ଗଙ୍ଗୁଆର ଓସାର ୧୨ରୁ ୧୫ମିଟର ମଧ୍ୟରେ ରହିଛି। ଫଳରେ ପାଣି ଯେଉଁ ପରିମାଣରେ ଆସୁଛି ସେହି ପରିମାଣରେ ନିଷ୍କାସନ ହୋଇପାରୁନି। ଗଙ୍ଗୁଆ ଉପରୁ ଜବରଦଖଲ ହଟାଗଲେ ଏବଂ ଘରୋଇ ଜମିକୁ ଅଧିଗ୍ରହଣ କରାଗଲେ ଗଙ୍ଗୁଆ ସମସ୍ୟାର ସମାଧାନ ହୋଇପାରିବ। ଏହି ସମସ୍ୟା ଯୋଗୁଁ ଗଙ୍ଗୁଆ ନାଳ ସଫା ହୋଇପାରୁନି ବୋଲି ସେ କହିଛନ୍ତି। ଗଙ୍ଗୁଆ ରାଜଧାନୀ ଇଞ୍ଜିନିୟରିଂ କଲେଜ ନିକଟରୁ ବାହାରିଥିବାବେଳେ ସେଠାରେ ୫୮କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଆଉ ଦୟା ନଦୀରେ ମିଶିଥିବା କଣ୍ଟିଠାରେ ୧୯୩ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ଅର୍ଥାତ୍‌ ବର୍ଷା ଦିନ ବାଦ୍‌ ଦିନକୁ ୪୭,୨୦,୭୪,୯୧୨ ଲିଟର ନିଷ୍କାସିତ ହେଉଛି। ସେତିକି ଯଦି ଗଙ୍ଗୁଆର ସବୁ ସ୍ଥାନରେ ନିଷ୍କାସନ ହେବ ତେବେ ଗଙ୍ଗୁଆ ଜାମ୍‌ ହେବନାହିଁ। ମାତ୍ର ତାହା ସମ୍ଭବ ହେଉନାହିଁ ବୋଲି ବୋଲି ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଦୟାେଓ୍ଵଷ୍ଟ କେନାଲରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି।

ବଡ଼ବଡ଼ିଆଙ୍କ ଡରରେ ଉଚ୍ଛେଦ ହେଉନି
୭ ମୁଖ୍ୟ ଡ୍ରେନ୍‌ ଉପରେ ୧୩୯ଟି ଜାଗାରେ ଜବରଦଖଲ

ରାଜଧାନୀର ବର୍ଷା ଜଳ ନିଷ୍କାସନ ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଏବଂ ବିଏମ୍‌ସି କମିସନରଙ୍କ ପର୍ଯ୍ୟନ୍ତ ସମସ୍ତେ ଘନ ଘନ ବୈଠକ କରୁଛନ୍ତି। ସବୁଥିରେ ଗୋଟିଏ ନିଷ୍କର୍ସ ବାହାରୁଛି ରାଜଧାନୀ ଦେଇ ଯାଇଥିବା ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଜବରଦଖଲ ଯୋଗୁଁ ପୋତି ହୋଇଗଲାଣି। ଯାହା ବର୍ଷା ଜଳ ନିଷ୍କାସନରେ ବାଧକ ସାଜୁଛି। ମୁଖ୍ୟ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ କରି ଡ୍ରେନ୍‌ ଓସାରିଆ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ପରିତାପର ବିଷୟ ୨୦୧୩ ମସିହାରୁ ରାଜ୍ୟ ସରକାରଙ୍କ ପାଖରେ ରାଜଧାନୀର କେଉଁ ମୁଖ୍ୟ ଡ୍ରେନ୍‌ ଉପରେ କେତେ ଲୋକ ଜବରଦଖଲ କରିଛନ୍ତି, କିଏ କିଏ କେଉଁଠି କରିଛନ୍ତି ତା’ର ସବିଶେଷ ତାଲିକା ଅଛି।୨୦୧୩ ଏପ୍ରିଲ ୩ ତାରିଖରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଦେଇଥିଲେ। ହେଲେ ୫ବର୍ଷ ପରେ ବି ଗୋଟିଏ ବି ଜବରଦଖଲ ଉଚ୍ଛେଦ ହୋଇନି କି ଏହି ତାଲିକା ସମ୍ପର୍କରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଜଣାନାହିଁ। ବିଧାନସଭାରେ ଉପସ୍ଥାପନ ହୋଇଥିବା ତଥ୍ୟ ଅନୁଯାୟୀ, ୭ଟି ମୁଖ୍ୟ ଡ୍ରେନ୍‌ ଜବରଦଖଲ ଦ୍ୱାରା ପ୍ରଭାବିତ ହୋଇଛି। ୧୩୯ଜଣ ଡ୍ରେନ୍‌ ଉପରେ ଘର ନିର୍ମାଣ କରିଥିବାବେଳେ ସବୁଠୁ ଅଧିକ ଡ୍ରେନ୍‌ ୪ ଉପରେ ନିର୍ମାଣ କରିଛନ୍ତି। ଡ୍ରେନ୍‌ ୪ ଉପରେ ୪୭ ଜଣ ଘର ନିର୍ମାଣ କରିଥିବାବେଳେ ଡ୍ରେନ୍‌ ୮ ଉପରେ ୩୮ ଜଣ, ଡ୍ରେନ୍‌ ୭ ଉପରେ ୨୧ ଜଣ, ଡ୍ରେନ୍‌ ୧ ଉପରେ ୫ ଜଣ, ଡ୍ରେନ୍‌ ୧୦ ଉପରେ ୧୩ ଜଣ, ଡ୍ରେନ୍‌ ୬ ଉପରେ ୧୦ ଜଣ ଏବଂ ଡ୍ରେନ୍‌ ୫ ଉପରେ ୪ ଜଣ ଘର ନିର୍ମାଣ କରିଛନ୍ତି। ୨୦୧୩ ମସିହାରେ ଏତିକି ଜବରଦଖଲ ହୋଇଥିବାବେଳେ ୫ବର୍ଷରେ ଏହି ଜବରଦଖଲ ସଂଖ୍ୟା ଆହୁରି ବଢ଼ିଗଲାଣି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ କରିବାରେ ବିଫଳ ହେବାରୁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର