ବାତ୍ୟା ପରେ ପାନୀୟ ଜଳ ସଂକ୍ରମିତ: ରାଜଧାନୀରେ ୨୩୯ ଜଳ ନମୁନା ସଂଗ୍ରହ, ୪ ଅସୁରକ୍ଷିତ

ଭୁବନେଶ୍ବର: ବାତ୍ୟା ପରେ ରାଜଧାନୀରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଥିଲା। ରାଜଧାନୀରେ ଯେପରି ଜଳ ସଂକ୍ରମିତ ନ ହୁଏ, ସେଥିପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏ ପର୍ଯ୍ୟନ୍ତ ୨୩୯ ଜଳ ନମୁନା ସଂଗ୍ରହ ହୋଇଥିବା ବେଳେ ଏଥିରୁ ୪ ନମୁନା ସଂକ୍ରମଣ ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବାତ୍ୟା ପରେ ଗତ ୨୨ତାରିଖ ମଧ୍ୟରେ ରାଜଧାନୀରେ ୨୩୯ ଜଳ ନମୁନା ସଂଗ୍ରହ କରାଯାଇଥିବା ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ଏଥିରୁ ୧୪୩ଟି ନମୁନା ରିପୋର୍ଟ ଆସିଥିବା ବେଳେ ତହିଁରେ ୪ଟି ନମୁନା ସଂକ୍ରମିତ ଜଣାପଡ଼ିଛି। ଏହି ନମୁନା ମଧ୍ୟରେ ଯଦୁପୁରର କୋଚିଲାପୁଟ ଅଞ୍ଚଳ ନମୁନା ମଧ୍ୟ ରହିଛି। ଏଠାରେ ଏକାଧିକ ପରିବାର ଝାଡ଼ାବାନ୍ତିର ଶିକାର ହୋଇଥିବା ବିଭିନ୍ନ ଡାକ୍ତରାଖାନରେ ଚିକିତ୍ସିତ ହୋଇଥିବା ନଜରକୁ ଆସିଥିଲା। ‌ସ୍ଥାନୀୟ ଅଞ୍ଚଳର ଏକ ନଳକୂପ ପାଣି ସଂକ୍ରମିତ ଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ସିଲ୍ କରି ଦିଆଯାଇଥିଲା। ତେବେ ଅନ୍ୟ ୩ଟି ସଂକ୍ରମିତ ନମୁନା କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇପାରି ନାହିଁ। ଅପରପକ୍ଷରେ ଏହି ସମୟ ମଧ୍ୟରେ ମଧ୍ୟ ଅନେକ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଛି। ନିକଟରେ ରାଜଧାନୀର ଏକ ହୋଟେଲରେ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦିଆଯିବା ପରେ ସେ ସଂପୃକ୍ତ ହୋଟେଲରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ତେବେ ଏହାର ରିପୋର୍ଟକୁ ଏ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ହିଁ ସଂପୃକ୍ତ ହୋଟେଲ ବିରୋଧରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର