ଅଳସୁଆ-ଦାରୁଠେଙ୍ଗ ରାସ୍ତାରେ ପାଣି, ନନ୍ଦନକାନନ ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା

ଚନ୍ଦ୍ରଶେଖରପୁର: ବର୍ଷା ଯୋଗୁଁ ଅଳସୁଆ ଓ ନନ୍ଦନବିହାର ଅଞ୍ଚଳ ପ୍ରଭାବିତ ହୋଇଛି। ନନ୍ଦନକାନନ ମୁଖ୍ୟ ରାସ୍ତା, ଜୟଦେବ ବିହାର, ଜାଭିୟର‌୍‌ ଛକ ଓ ମ୍ୟାଗନେଟ୍‌ ଛକରେ ବର୍ଷା ପାଣି ଜମି ରହିବା ଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଇନ୍‌ଫୋସିଟି-ଅଳସୁଆ-ଦାରୁଠେଙ୍ଗ ରାସ୍ତାରେ ୧୦ ଫୁଟର ପାଣି ଜମି ରହିଥିଲା। ରାସ୍ତା ମଝିରେ ଥିବା ଏକ ବ୍ରିଜ୍‌ ଉପରେ ୫ ଫୁଟ୍‌ର ପାଣି ଚାଲିଥିଲା। ପାଣି ଯୋଗୁଁ ନିକଟରେ ଥିବା କିଛି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ଏହାଛଡ଼ା ଦାଢ଼ା ଗ୍ରାମର କୃଷ୍ଣଚନ୍ଦ୍ର ମାହାଳି ନାମକ ଜଣେ ଯୁବକ ପାଣିରେ ଭାସି ଯାଇଥିଲେ ମଧ୍ୟ ଅଳ୍ପକେ ବର୍ତି ଯାଇଛନ୍ତି। ସେହିପରି ଗଙ୍ଗୁଆ ଡ୍ରେନ୍‌ରୁ ପାଣି ଉଛୁଳି ନନ୍ଦନବିହାରରେ ପଶିଯାଇଥିଲା। ଗତ ୧୦ ବର୍ଷ ହେବ ସାମାନ୍ୟ ବର୍ଷାରେ ଏହି ଅଞ୍ଚଳଟି ଜଳାର୍ଣ୍ଣବ ହୋଇଯାଉଛି। ଏନେଇ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର