ବୋତଲ, ଟ୍ୟାଙ୍କର୍‌ ଭରସା ଭୀମଟାଙ୍ଗୀ ପାଣି ସମସ୍ୟା

ପୁରୁଣା ଭୁବନେଶ୍ୱର: ଭୀମଟାଙ୍ଗିବାସୀଙ୍କୁ ମିଳୁନି ପିଇବା ପାଣି। ଜନସ୍ୱାସ୍ଥ୍ୟ ବିଭାଗ(ପିଏଚ୍‌ଡି) ପକ୍ଷରୁ  ଠିକ୍‌ ଭାବରେ ପାନୀୟଜଳ ଯୋଗାଣ ହେଉ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଭୀମଟାଙ୍ଗୀ ତଳ ଫେଜ୍‌ରେ ରହୁଥିବା ଲୋକେ ଦିନକୁ ମାତ୍ର ଦୁଇ ବାଲଟି୍‌ ପାଣିରେ ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହେଉଛନ୍ତି। ପିଇବା ପାଣିର ଆବଶ୍ୟକତା ମେଣ୍ଟାଇବାକୁ ଲୋକେ ଦୋକାନରୁ ପାଣି ବୋତଲ କିଣିବାକୁ ବାଧ୍ୟ ହେଉଛନ୍ତି।  ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ଟ୍ୟାଙ୍କର୍‌ ମାଧ୍ୟମରେ ଯେଉଁ ପାଣି ଯୋଗାଇ ଦିଆଯାଉଛି ତାହା ସମୁଦ୍ରକୁ ଶଙ୍ଖେ ପରି ହେଉଛି। ପ୍ରକାଶ ଯେ, ଝାରପଡ଼ାଠାରୁ ଆରମ୍ଭ କରି ସୁନ୍ଦରପଦା ଓ ସରକନ୍ତରା ଗ୍ରାମ ନିକଟ ଦେଇ ଯାଇଛି ଦୟା ୱେଷ୍ଟ କେନାଲ। ଖରାଦିନେ ଯେତେବେଳେ ଜଳର ଅଭାବ ଦେଖା ଦେଉଥିଲା ସେତେବେଳେ ଏହି କେନାଲରେ ପ୍ରବାହିତ ପାଣି ପାଇଁ ଏହାର ଉଭୟ ପାର୍ଶ୍ୱରେ ଥିବା କୂଅ, ପୋଖରୀ ସହ ନଳକୂପରେ ଜଳ ଭର୍ତି ହେଉଥିଲା। ଏବେ କେନାଲରେ ପାଣି ଆସୁ ନାହିଁ। । ଫଳରେ କୂଅ ପୋଖରୀ ଶୁଖିବା ସହ ପାଣି ସମସ୍ୟା ଉତ୍କଟ ହୋଇଛି। ପିଏଚ୍‌ଡି ପକ୍ଷରୁ ପାଣି ଯୋଗାଣ ନିୟମିତ ହେଉ ନାହିଁ ବୋଲି ଭୀମଟାଙ୍ଗୀ ବାସିନ୍ଦା ଅଭିଯୋଗ କରିଛନ୍ତି।  ସବୁ ଲୋକ ଆବଶ୍ୟକତା ଅନୁଯାୟୀ ପାଣି ପାଉ ନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନସ କୋଦମାସିଂ କହିଛନ୍ତି। ମାନସଙ୍କ କହିବା ଅନୁଯାୟୀ ୭ଦିନ ହେଲା ମାତ୍ର ଦୁଇ ବାଲଟି୍‌ ପାଣି ଆସୁଛି। ଗାଧୋଇବା ଓ ଲୁଗା ସଫା କରିବାକୁ ଅନ୍ୟ ଅଞ୍ଚଳ ପୋଖରୀ ପାଖକୁ ଯିବାକୁ ପଡ଼ୁଛି। ରୋଷେଇ ଓ ପିଇବାକୁ  ମଧ୍ୟ ପାଣି ମିଳୁନାହିଁ। ସେହିପରି ବରିଷ୍ଠ ମହିଳା ଆରାଧନା ବେହେରା କୁହନ୍ତି, ସହଯୋଗ ପାଠାଗାର ନିକଟ ବାସିନ୍ଦା ଅଧିକ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୁଇ ବାଲ୍‌ଟି ପାଣିରେ ଆବଶ୍ୟକତା ମେଣ୍ଟୁ ନଥିବାରୁ ପାଣି କିଣିବାକୁ ପଡ଼ୁଛି।  ସେହିପରି ଅନ୍ୟତମ ବରିଷ୍ଠ ନାଗରିକ ମଧୁସୂଦନ ଦାଶ କୁହନ୍ତି ପିଏଚ୍‌ଡି ପକ୍ଷରୁ ଏ ନେଇ ଅନୁଧ୍ୟାନ କରାଯାଇଛି। ହେଲେ ସମାଧାନ କରାଯାଇ ନାହିଁ। ପ୍ରଦୀପ ପୃଷ୍ଟିଙ୍କ କହିବା ଅନୁଯାୟୀ ଭୀମଟାଙ୍ଗୀକୁ ଗୋଟିଏ ବେଳା ଆସିଲେ ଆର ବେଳାକୁ ନାହିଁ। ଏଣୁ ପାଣି ଟାଙ୍କି ଦ୍ଵାରା ଲୋକଙ୍କୁ ପାଣି ଯୋଗାଣ ହେଉଛି। ଏ ନେଇ ସ୍ଥାନୀୟ ଲୋକେ, ପିଏଚ୍‌ଡି, ବିଏମ୍‌ସି କମିସନର୍‌ ଓ ମେୟରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପିଏଚି୍‌ଡି ଏସ୍‌ଡିଓ ନୃସିଂହ ଚରଣ ସାହୁ ଏ ସଂପର୍କରେ କିଛି କହିବାକୁ ମନା କରିଥିଲେ। ତେବେ ପିଏଚ୍‌ଡି ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୁରୁ ଚରଣ ସାହୁ ଏ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ। କାଳବୈଶାଖୀ ଯୋଗୁଁ ଦୁଇ ଦିନ ହେଲା ନରାଜ ପାଣି ଆସୁ ନଥିବାରୁ ପାଣି ଯୋଗାଣରେ ସମସ୍ୟା ହୋଇଥିଲା। ଗତକାଲିଠାରୁ ଏହା ଠିକ୍‌ ହୋଇଯାଇଛି। ତେବେ ଲୋକଙ୍କୁ ସେବା ଯୋଗାଉଥିବା ଅଧିକାରୀ ନିଜ ଅଞ୍ଚଳର ସମସ୍ୟା ନେଇ ଅବଗତ ନାହନ୍ତି।  ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଅସନ୍ତୋଷର କାରଣ ସାଜିଛି।

ସମ୍ବନ୍ଧିତ ଖବର