ରିଅଲ ଇଷ୍ଟେଟ୍‌ ଠକେଇ ପାଇଁ ବାଟ ମୁକୁଳା

ଭୁବନେଶ୍ୱର : ରାଜଧାନୀ ଏବଂ ଏହା ଆଖପାଖ ଅଞ୍ଚଳରେ ପ୍ରାୟ ୫୦୦ରୁ ଅଧିକ ଗୃହ ପ୍ରକଳ୍ପ ନିର୍ମାଣ ହେଉଛି। ଏପରିକି ସାରା ରାଜ୍ୟରେ ଏହା ୮୦୦ରୁ ଅଧିକ ହେବ। କିନ୍ତୁ ଏଥିରୁ ମାତ୍ର ୯୭ଟି ପ୍ରକଳ୍ପ ଓଡ଼ିଶା ରିଅଲ ଇଷ୍ଟେଟ୍‌ ଅଥରିଟି (ଓରେରା) ଦ୍ୱାରା ପଞ୍ଜୀକୃତ ହୋଇଛି। ଓରେରାର ଆକଟ ନଥିବାରୁ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ନଥିବାରୁ ଏବେ ଶତାଧିକ ପ୍ରକଳ୍ପ ବେଆଇନ ଭାବେ ନିର୍ମାଣ ହେଉଛି। ଫଳରେ ନିକଟ ଭବିଷ୍ୟତରେ ବଡ଼ ଧରଣର ରିଅଲ ଇଷ୍ଟେଟ୍‌ ଠକେଇ ଅଭିଯୋଗ ପାଇଁ ସରକାର ବାଟ ଖୋଲିଦେଇଛନ୍ତି।

ଜମି ପ୍ଲଟିଂ କରି ବିକ୍ରି କରିବାକୁ ହେଉ କି ଆପାର୍ଟମେଣ୍ଟ ବିକ୍ରି କରିବାକୁ ଏଥିପାଇଁ ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ରେ ପ୍ରକଳ୍ପକୁ ପଞ୍ଜୀକୃତ କରିବାକୁ ନିୟମ ଅଛି। ହେଲେ ଅଧିକାଂଶ ବିଲଡର୍‌ ବିନା ପଞ୍ଜୀକରଣରେ ଜମି ପ୍ଲଟିଂ କରି ବା ଆପାର୍ଟମେଣ୍ଟ ନିର୍ମାଣ କରି ବିକ୍ରି କରୁଛନ୍ତି। ଏହା ଓରେରା ନିୟମାବଳୀକୁ ଉଲ୍ଲଂଘନ କରୁଥିବାରୁ ଏବଂ ଗ୍ରାହକଙ୍କୁ ଠକିବାର ସମ୍ଭାବନା ଥିଲେ ହେଁ ସରକାର ଚୁପ୍‌ ବସି ଯାଇଛନ୍ତି। ଯେତିକି ବି ପଦକ୍ଷେପ ନିଆଯାଇଛି ତାହାକୁ ରାଜସ୍ୱ ବିଭାଗ ମାନୁ ନଥିବାରୁ ହଜାର ହଜାର ଲୋକ ଏବେ ଠକେଇର ଶିକାର ହେବାକୁ ଯାଉଛନ୍ତି।

ଯେଉଁ ବିଲଡର୍‌ କି ବ୍ୟକ୍ତି ୫୦୦ ବର୍ଗମିଟର (୫୩୮୨ ବର୍ଗଫୁଟ)ରୁ ଅଧିକ ଜମିକୁ ପ୍ଲଟିଂ କରି ବିକ୍ରି କରୁଥିବେ ବା ୮ରୁ ଅଧିକ ଫ୍ଲାଟ୍‌ ଥିବା ଆପାର୍ଟମେଣ୍ଟ ବିକ୍ରି କରୁଥିବେ ବା ବୁକିଂ କରୁଥିବେ ତାଙ୍କୁ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଓରେରା ପଞ୍ଜୀକୃତ ନମ୍ବର ଏବଂ ସାର୍ଟିଫିକେଟ ନକଲ ଦେବାକୁ ପଡ଼ିବ। ଯଦି ଏହାକୁ ନଦେଇପାରିବେ ତେବେ ଜମି କି ଫ୍ଲାଟ୍‌ ବିକ୍ରି କରିପାରିବେନି। ଓରେରା ଦ୍ୱାରା ପଞ୍ଜୀକୃତ ପ୍ରକଳ୍ପକୁ ହିଁ ରେଜିଷ୍ଟ୍ରି କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ଗତ ଜାନୁଆରି ୧୭ତାରିଖରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ପ୍ରାୟ ସମସ୍ତ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଏଥିପାଇଁ ଗଳା ବାଟ ଖୋଲା ଯାଇଛି। କେତେକ ଅଧିକାରୀ ମୋଟା ଅଙ୍କର ହାତ ଗୁଞ୍ଜା ନେଇ ଜମି ଓ ଫ୍ଲାଟ୍‌ ରେଜିଷ୍ଟ୍ରି କରିଦେଉଛନ୍ତି। ଯେଉଁଥିପାଇଁ ଏବେ ଓରେରାରେ ଆଶାନୁରୂପ ପ୍ରକଳ୍ପ ପଞ୍ଜୀକରଣ ହୋଇପାରୁନି। ଓରେରାରେ ବିନା ପଞ୍ଜୀକରଣରେ ଖୁଲମଖୁଲା ଘର ବିକ୍ରି ହେଉଛି।

ନିୟମ ଅନୁଯାୟୀ, ଯଦି କେହି ଘର କି ଜମି କିଣିବା ସମୟରେ ଠକେଇର ଶିକାର ହୁଅନ୍ତି ତେବେ ଥାନାକୁ ନଯାଇ ଓଡ଼ିଶା ରିଅଲ ଇଷ୍ଟେଟ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବେ। କର୍ତ୍ତୃପକ୍ଷ ଅଭିଯୋଗକୁ ଯାଞ୍ଚ କରିବା ପରେ ଏହାର ଶୁଣାଣି କରିବେ। ଯଦି ଏଥିରେ କେହି ସନ୍ତୁଷ୍ଟ ନ ହୁଅନ୍ତି ତେବେ ରିଅଲ୍‌ ଇଷ୍ଟେଟ୍‌ ଆପିଲିଏଟ୍‌ ଟ୍ରିବ୍ୟୁନାଲ୍‌ରେ ମାମଲାର ଶୁଣାଣି ହେବ। ଏହାପରେ ଠକିଥିବା ବ୍ୟକ୍ତି ଓ ସଂସ୍ଥାକୁ ଦଣ୍ଡିତ କରାଯିବ। ଏହିଭଳି ନିୟମ ଲାଗୁ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା) ଆଇନ ପ୍ରଣୟନ କରିଛନ୍ତି। ୯ ମାସ ହେଲା ଆଇନ ଲାଗୁ ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ୧୧ଟି ମାମଲାର ଶୁଣାଣି ସରିଛି। ଏୟା ନୁହେଁ ଯେ, ଏହି ୧୧ଟି ଅଭିଯୋଗ ଆସିଛି। ବର୍ତମାନ ସୁଦ୍ଧା ପ୍ରାୟ ୧୦୦ଟି ଅଭିଯୋଗ ଆସିଥିଲେ ହେଁ ୯୦ଟିର ଶୁଣାଣି ଚାଲିଛି। କିନ୍ତୁ ଅଭିଯୋଗ ଗ୍ରହଣ କରିବା ପାଇଁ ଅଥରିଟି ଯେପରି ନିୟମ କରିଛନ୍ତି ସେପରି ଅଭିଯୋଗ ଆସୁ ନଥିବାରୁ କର୍ତୃପକ୍ଷ ସମସ୍ତ ଅଭିଯୋଗ ଗ୍ରହଣ କରୁନାହାନ୍ତି। ଯେଉଁଥିପାଇଁ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ସଂଖ୍ୟା ଆଶାନୁରୂପ ଭାବେ ବଢ଼ୁନି।

ଓରେରା ଆଇନ ନେଇ ରାଜ୍ୟ ସରକାର ଲୋକଙ୍କୁ ସଚେତନ କରାଇ ନଥିବାବେଳେ ଅଭିଯୋଗ ଗ୍ରହଣ ପାଇଁ ହଜାରେ ଟଙ୍କା ଫି’ ଓ ଅଫଲାଇନ୍‌ରେ ଅଭିଯୋଗ ଦାଖଲ କରିବାକୁ ଥିବାରୁ ବହୁ ଅଭିଯୋଗକାରୀ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିନାହାନ୍ତି। କେବଳ ଏତିକି ନୁହେଁ କର୍ତୃପକ୍ଷଙ୍କ ପାଖରେ ବିଲଡର୍‌ କରୁଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ପଞ୍ଜୀକୃତ ହୋଇନଥିବାରୁ କର୍ତୃପକ୍ଷ କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କହି ଫେରାଇ ଦେଉଥିବା ଅଭିଯୋଗକାରୀ କହିଛନ୍ତି। ଓରେରା ଆଇନ କେବଳ କାଗଜ କଲମରେ ଚାଲିଛି ହିତାଧିକାରୀ ଉପକୃତ ହେଉନାହାନ୍ତି ବୋଲି ଚର୍ଚ୍ଚା ହେଲାଣି। କେବଳ ଏତିକି ନୁହେଁ ଓରେରା େଓ୍ଵବସାଇଟ୍‌ରେ ବହୁ ତ୍ରୁଟି ଥିବାବେଳେ ଏ ପର୍ଯ୍ୟନ୍ତ ଅନଲାଇନ୍‌ରେ ଅଭିଯୋଗ ଗ୍ରହଣ କରାଯାଇପାରିଲାନି।

କାହିଁକି ଡେଭଲପର୍ସ ମାନୁନାହାନ୍ତି ନିୟମ

ଓରେରା ଆଇନ ଅନୁଯାୟୀ, ବିନା ପଞ୍ଜୀକରଣରେ ବିଲ୍‌ଡରମାନେ ଜମି, ଘର ଓ ଫ୍ଲାଟ୍‌ ବିକ୍ରି କରି ପାରିବେ ନାହିଁ। ଡେଭଲପର୍ସ ଓ ବିଲଡର୍ସ ନିଜର ସମସ୍ତ ପ୍ରକଳ୍ପ ପାଇଁ ପ୍ରାଧୀକରଣ ନିକଟରେ ପଞ୍ଜୀକୃତ ହେବାକୁ ବାଧ୍ୟତାମୂଳକ କରାଯାଇଛି। ପଞ୍ଜୀକରଣ ସମୟରେ ସେମାନେ ନିଜର ପରିଚୟ ଓ ଠିକଣା ସହ ପ୍ରକଳ୍ପ ନିର୍ମାଣ ୫ ବର୍ଷର ବିସ୍ତୃତ ତଥ୍ୟ ଦେବାକୁ ପଡ଼ିବ। ଏହି ତଥ୍ୟ ଓରେରା ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଜଣେ ବିଲଡର୍‌ ବୁକିଂ ସମୟରେ ଗ୍ରାହକଙ୍କଠାରୁ ସର୍ବାଧିକ ୧୦% ଅର୍ଥ ନେଇପାରିବେ। ଆଉ ସୁପର୍‌ ବିଲ୍ଟଅପ୍‌ ଏରିଆ ନନେଇ କାର୍ପେଟ ଏରିଆ ଉପରେ ଗ୍ରାହକଙ୍କ ସହ ଚୁକ୍ତି କରିବେ। ବିଭିନ୍ନ ପର୍ଯ୍ୟାୟରେ ଗ୍ରାହକ ଅର୍ଥ ଭରିବେ। ରିଅଲ ଇଷ୍ଟେଟ୍‌ ସଂସ୍ଥା ଯେଉଁ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବେ ଓ ଘର ହସ୍ତାନ୍ତର କରିବେ ବୋଲି ଚୁକ୍ତି କରିଥିବେ ସେହି ସମୟରେ ଘର ପ୍ରଦାନ କରିବାକୁ ବାଧ୍ୟ। ନଚେତ୍‌ ଗ୍ରାହକ ଅଭିଯୋଗ କଲେ ତାଙ୍କ ଉପରେ ଦଣ୍ଡବିଧାନ ହେବ।

ଏହି ନିୟମ ବଳରେ ‘ଓରେରା’ ନିକଟରେ ଗୃହ ନିର୍ମାଣ ସଂସ୍ଥା ସବିଶେଷ ବିବରଣୀ ଯଥା ବିକଶିତ ଜମି, ଏହାର ସ୍ଥାନ ଏବଂ ପ୍ରକଳ୍ପର ନକ୍ସା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବ। ଏଥିସହିତ ସମ୍ପୃକ୍ତ ଗୃହ ନିର୍ମାଣକାରୀ ସଂସ୍ଥାର ଆର୍ଥିକ, ବୈଷୟିକ ଏବଂ ପରିଚାଳନାଗତ କ୍ଷମତା ସମ୍ପର୍କରେ ବି କର୍ତୃପକ୍ଷ ଯେ କୌଣସି ସମୟରେ ଅନୁଧ୍ୟାନ କରିପାରିବେ। ଏହି ଆଇନ ବଳରେ ଘର ପାଇଥିବା ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣକାରୀ ସଂସ୍ଥା ଦ୍ୱାରା ଆଦାୟ କରାଯାଉଥିବା ଅର୍ଥ, ଜରିମାନା, ସୁଧ ଓ କ୍ଷତିପୂରଣ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ମାଗି ପାରିବେ। ପ୍ରତ୍ୟେକ ଆର୍ଥିକ ବର୍ଷ ସରିବାର ୬ମାସ ମଧ୍ୟରେ ନିର୍ମାଣକାରୀ ସଂସ୍ଥାଗୁଡ଼ିକ ଚାଟାର୍ଡ ଆକାଉଟାଣ୍ଟଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପର ଅଡିଟ ରିପୋର୍ଟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏହିଭଳି କଡ଼ାକଡ଼ି ନିୟମ ଥିବାରୁ ବିଲଡର୍‌ ଓ ଡେଭଲପର୍ସମାନେ ଓରେରାରେ ପଞ୍ଜୀକୃତ ହେବାକୁ ଚାହୁନାହାନ୍ତି ବୋଲି କେତେକ ଡେଭଲପର୍ସ କହିଛନ୍ତି।

ସମ୍ବନ୍ଧିତ ଖବର