ଆମେ ଗଢିବା ଆମ ସହର: ବିଏମ୍‌ସି ୱାର୍ଡ ନମ୍ବର ୧୪, ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠାକୁ ବିରୋଧ

ଭୁବନେଶ୍ବର: ‘ସମ୍ବାଦ’ ପକ୍ଷରୁ ‘ଆମେ ଗଢ଼ିବା ଆମ ସହର’ ଅଭିଯାନର ତୃତୀୟ ବୈଠକ ମଙ୍ଗଳବାର ୧୪ନଂ ୱାର୍ଡର ଲୁମ୍ବିନୀ ବିହାର କମ୍ୟୁନିଟି ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଲୁମ୍ବିନୀ ବିହାର, ନୀଳାଦ୍ରିବିହାର, ବୁଦ୍ଧ ପାର୍କ ଅଞ୍ଚଳ, ଜିଏ ପ୍ଲଟ୍, ପଣ୍ଡା ପାର୍କ ବସ୍ତି, ଈଶାଣେଶ୍ବର ବସ୍ତି ଓ ଆଖପାଖ ଅଞ୍ଚଳର ବାସିନ୍ଦାମାନେ ବୈଠକରେ ସାମିଲ ହୋଇ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏହାର ତୁରନ୍ତ ସମାଧାନ ପାଇଁ ସ୍ବର ଉଠାଇଥିଲେ। ରାଜଧାନୀର ବିକଶିତ ଅଞ୍ଚଳ ଭାବେ ଏକଦା ନୀଳାଦ୍ରି ବିହାର ଓ ଏହାର ଆଖାପଖ ଅଞ୍ଚଳ ପରିଗଣିତ ହେଉଥିଲା। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ବା ଏନ୍‌ଆରଆଇ ଘର କରିଥିବାରୁ ରାଜଧାନୀର ଏକ ସମ୍ଭାନ୍ତ ଅଞ୍ଚଳର ଆଖ୍ୟା ପାଇଥିଲା। ହେଲେ ସମୟ ବଦଳିବା ସହ ଏସବୁ ଅଞ୍ଚଳରେ ମୌଳିକ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ମାତ୍ରାଧିକ ହମ୍ପସ୍‌ ନିର୍ମାଣ ହୋଇଥିବା କାରଣରୁ ନୀଳାଦ୍ରି ବିହାରକୁ ଅନେକ ଥଟ୍ଟାରେ ‘ହମ୍ପସ୍‌ ବିହାର’ କରିବାକୁ ପଛାଉ ନାହାନ୍ତି। ରାସ୍ତା, ପାଣି, ସ୍ବେରେଜ୍, ଡ୍ରେନେଜ୍, ଆଲୋକ ଭଳି ମୌଳିକ ସମସ୍ୟାରେ ସ୍ଥାନୀୟ ଲୋକମାନେ ଘାଣ୍ଟି ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ଅଞ୍ଚଳରେ ଥିବା ୫ଏକର ସରକାରୀ ଜାଗାରେ ସ୍ଥାନୀୟ ଲୋକମାନେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି। ମାତ୍ର ବିଏମ୍‌ସି ପକ୍ଷରୁ ସେଠାରେ ଏବେ ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା ହୋଇଛି। ଯାହାକୁ ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି। ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଗଲେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ ବାଢ଼ିଛନ୍ତି।

ସେହିପରି ଏହି ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଅନେକ ବରିଷ୍ଠ ନାଗରିକ ଥିବାରୁ ସେମାନେ ନିଜର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ସୁରକ୍ଷା ଦୃଷ୍ଟିରୁ ଫାଣ୍ଡି ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି। ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଯଦିଓ ଅନେକ ଘରୋଇ ଡାକ୍ତରଖାନା ଗଢ଼ି ଉଠିଛି, ହେଲେ ଏହି ଅଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ସରକାରୀ ଡାକ୍ତରଖାନା ଏବେ ପ୍ରମୁଖ ଚିକିତ୍ସା କେନ୍ଦ୍ର ହୋଇ ରହିଛି। ମାତ୍ର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପ୍ରସବ ପାଇଁ ବ୍ୟବସ୍ଥା ନ ଥିବାରୁ ଲୋକମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଲୋକୀକରଣ ମଧ୍ୟ ସ୍ଥାନୀୟ ଅଞ୍ଚଳ ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହେଉଛି। ଆଜି ବି ଅଞ୍ଚଳର ବହୁ ସ୍ଥାନରେ ଆଲୋକର ସୁବିଧା ନାହିଁ। ଏହି ଅଞ୍ଚଳକୁ ‘ମୋ ବସ୍‌’ ସେବା ଆରମ୍ଭ ହୋଇନାହିଁ। ସରକାରଙ୍କ ପକ୍ଷରୁ ଯଦି ସିଧାସଳଖ ବସ୍ ସେବା ଆରମ୍ଭ ହୁଅନ୍ତା, ଏହି ଅଞ୍ଚଳବାସୀଙ୍କ ଗମନାଗମନ ଜନିତ ସମସ୍ୟା ଦୂର ହୋଇପାରନ୍ତା ବୋଲି ଅନେକ ଲୋକ କହିଛନ୍ତି। ଜରାନିବାସ ସହ ଡେ’ କେୟାର କେନ୍ଦ୍ର ସ୍ଥାପନ ପାଇଁ ଅନେକ ବରିଷ୍ଠ ନାଗରିକ ଯୁକ୍ତି ବାଢ଼ିଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ପୁଷ୍କରିଣୀର ପୁନରୁଦ୍ଧାର କରାଯାଇ ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ବିଏମ୍‌ସି ଗୁରୁତ୍ବ ଦେଉ। ଫଳରେ ଲୋକମାନେ ବୋଇତ ବନ୍ଦାଣ ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ଦୂର ହୋଇପାରିବ।

‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ, ଆଲୁଅ-ପାଣି-ପବନକୁ ସମାନ ଭାବେ ବାଣ୍ଟିବାର ନାଁ ହେଉଛି ସହର। ରାଜଧାନୀ ଉଭୟ ନୂଆ ଓ ପୁରୁଣା ଲୋକଙ୍କ ପାଇଁ ସହର। ଏହି ଅଞ୍ଚଳରେ ଲୋକସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ଭିତ୍ତିଭୂମିର ବିକାଶ ଜରୁରୀ ହୋଇପଡ଼ିଛି। ଗଣମାଧ୍ୟମର କାମ ହେଉଛି ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବା। ଏଥିପାଇଁ ‘ସମ୍ବାଦ’ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ରକ୍ତଦାନ ସହିତ ଭାଷାଜ୍ଞାନ ଓ ୬୦ ବର୍ଷ ପୂରଣ କରିଥିବା ଲୋକଙ୍କ ପାଇଁ ‘୬୦ ଛୁଇଁଲା ନୂଆ ଜୀବନ ଆରମ୍ଭ ହେଲା’ ଭଳି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଲୋକମାନେ ଆଗେଇ ଆସିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର କହିଥିଲେ, ଲୋକମାନେ ନିଜେ ଦାୟିତ୍ବ ନ ନେଲେ ନିଜ ଅଞ୍ଚଳର ସମସ୍ୟା କର୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପାରିବ ନାହିଁ। ନିଜର ଅଙ୍ଗେ ନିଭା କଥା ଲୋକମାନେ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀ ଦାସ କହିଥି‌ଲେ, ସହରାଞ୍ଚଳ ବିକାଶରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ବେ ଅନେକ ଅଞ୍ଚଳ ଏବେ ବି ଅବହେଳିତ ହୋଇରହିଛି। ନିଜ ଅଞ୍ଚଳର ସାମୂହିକ ବିକାଶ ପାଇଁ ଦଳମତ ନିର୍ବିଶେଷରେ ଲୋକମାନଙ୍କୁ ଏକାଠି ହେବାକୁ ପଡ଼ିବ। କେବଳ ତାଜା ଖବର ନୁହେଁ, ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ଗଣମାଧ୍ୟମକର କାମ ବୋଲି ଶ୍ରୀ ଦାସ କହିଥିଲେ। ପ୍ରାରମ୍ଭରେ ଚିଫ୍ ରିପୋର୍ଟର ଚୌଧୁରୀ ଅମିତାଭ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କେଶବ ପାଣି ଧନ୍ୟବାଦ ଦେଇଥିଲେ।

ସହରାଞ୍ଚଳର ସ୍ବାଦ ରହୁନାହିଁ
ଏହି ଅଞ୍ଚଳରେ ଅନେକ ମୌଳିକ ସମସ୍ୟା ରହିଛି। ଦୀର୍ଘ ଦିନ ଧରି ରାସ୍ତାଘାଟ ନିର୍ମାଣ ହେଉ ନାହିଁ। ଆଜି ବି ଆଲୋକ ଓ ଡ୍ରେନେଜ୍‌ର ସମସ୍ୟା ରହିଛି। ସ୍ଥାନୀୟ ଅଞ୍ଚଳରେ ଅନେକ ବଡ଼ ଘରୋଇ ଡାକ୍ତରଖାନା ଗଢ଼ି ଉଠିଛି, ମାତ୍ର ଅନ୍ୟ ସ୍ଥାନରୁ ଏଠାକୁ ସିଧାସଳଖ ଗମନାଗମନର ସୁବିଧା ନାହିଁ। ଅତି କମ୍‌ରେ ପ୍ରତି ୧୫ମିନିଟ୍ ବ୍ୟବଧାନରେ ବସ୍ ସଂଯୋଗର ବ୍ୟବସ୍ଥା କରାଯାଉ। ସରକାରୀ ଜାଗାରେ କମ୍ୟୁନିଟି ସେଣ୍ଟର ଖୋଲିବା ପାଇଁ ଲୋକମାନେ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ ହେଁ ଏଠାରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ଏହି ଅଞ୍ଚଳ ପାଇଁ ଏହା ଦୁଃଖ ସାବ୍ୟସ୍ତ ହେବ। ବରିଷ୍ଠ ନାଗରିକମାନେ ଏହାଦ୍ବାରା ବହୁ ମାତ୍ରାରେ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ।
– ଶୁକଦେବ ଭୂୟାଁ, ବରିଷ୍ଠ ନାଗରିକ

ବଢ଼ି ଚାଲିଛି ଜବରଦଖଲ
ପୂର୍ବରୁ ୮ ନଂ ଓ ୧୪ ନଂ ଗୋଟିଏ ୱାର୍ଡ ରହିଥିଲା। ଏହି ଅଞ୍ଚଳରେ ଏବେ ଜବରଦଖଲ ସମସ୍ୟା ବଢ଼ିବାରେ ଲାଗିଛି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ସରକାର ଏହି ତଦନ୍ତ ରିପୋର୍ଟ ସାର୍ବଜନୀନ କରନ୍ତୁ। ପରେ ଜବରଦଖଲ ଜାଗା କିଭଳି ସର୍ବସାଧାରଣଙ୍କ କାର୍ଯ୍ୟରେ ଆସିପାରିବ ତାହାକୁ ଗୁରୁତ୍ବ ଦିଆଯାଉ। ଏହାସହ ସ୍ଥାନୀୟ ଅଞ୍ଚଳରେ ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ମ୍ୟାନହୋଲ୍‌ ଅଧାପନ୍ତରିଆ ହୋଇରହିଛି। ତେବେ ଟ୍ରାଫିକ୍ ସମସ୍ୟା ମଧ୍ୟ ଅଞ୍ଚଳବାସୀଙ୍କୁ ସମସ୍ୟାରେ ପକାଇଛି। ଏହି ସମସ୍ୟାର ସମାଧାନ ପାଇଁ ଟ୍ରାଫିକ୍ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ସମସ୍ୟାର ସମାଧାନ ହୋଇନାହିଁ।
– ବିଶ୍ବଜିତ ପଟ୍ଟନାୟକ, ସ୍ଥାନୀୟ ବାସିନ୍ଦା

ଟ୍ରାଫିକ୍ ସମସ୍ୟା ଗୁରୁତର
ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇପଡ଼ିଛି। ସେକ୍ଟର-୩ ଅଞ୍ଚଳରେ ଦିନକୁ ଦିନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଯିବା ଆସିବାରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
– ନବକିଶୋର ଚୌଧୁରୀ, ବରିଷ୍ଠ ନାଗରିକ

ହାଟର ପରିଚାଳନା ଦାୟିତ୍ବ ବିଏମ୍‌ସି ନେଉ
ସ୍ଥାନୀୟ ଅଞ୍ଚଳରେ ବିନା ସ୍ବୀକୃତିରେ ହାଟ ଚାଲିଛି। ଯଦିଓ ଏହା ଲୋକମାନଙ୍କ ପାଇଁ ବହୁ ଉପକାର ସାବ୍ୟସ୍ତ ହେଉଛି, ମାତ୍ର ଏହା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ତେଣୁ ଏହାର ପରିଚାଳନା ଦାୟିତ୍ବ ବିଏମ୍‌ସି ନେବା ଦରକାର। ଏହାସହ ସେକ୍ଟର ୧, ୨ ଓ ୩ରେ ଡ୍ରେନେଜ୍ ସମସ୍ୟା ରହିଛି। ଅବର୍ଜନା ପାଣି ରାସ୍ତାଘାଟରେ ଭାସୁଛି। ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାରେ ବ୍ରିଜ୍‌ ଦବି ଯାଇଥିବାରୁ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ତେଣୁ ସେଠାରେ ଏକ ନୂତନ ବ୍ରିଜ୍ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ସ୍ଥାନୀୟ ଅଞ୍ଚଳରେ ଏକ ହାଇସ୍କୁଲ ନାହିଁ। ଯଦିଓ ବହୁ ଇଂରାଜୀ ମାଧ୍ୟମ ସ୍କୁଲ ଓ ଘରୋଇ ସ୍କୁଲ ରହିଛି, ତେବେ ସରକାରୀ ସ୍କୁଲର ଆବଶ୍ୟକତା ରହିଛି। ସ୍ଥାନୀୟ ଲୋକ ବହୁଦିନ ଧରି ଦାବି କରିବା ପରେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଛି। ମାତ୍ର ଏହାକୁ ହାଇସ୍କୁଲରେ ପରିଣତ କରାଗଲେ ବସ୍ତିବାସିନ୍ଦାମାନେ ଉପକୃତ ହୋଇପାରିବେ। ଏହାସହ ବିଦ୍ୟୁତ୍‌ ଆଘାତରୁ ରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ଯେଉଁ ବିଦ୍ୟୁତ୍‌ ତାର ରହିଛି, ତାହାକୁ କେବୁଲ ଜରିଆରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରାଯାଉ।
-ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ନାଗରିକ

ସ୍ବେରେଜ୍‌ରେ ସ୍ଲାବ୍ ପକାଯାଉ
ସ୍ଥାନୀୟ ଏକ ସ୍କୁଲ ପାଖରେ ଥିବା ସ୍ବେରେଜ୍‌ରେ ସ୍ଲାବ୍ ଦୀର୍ଘ ଦିନ ଧରି ଭାଙ୍ଗି ଯାଇଛି। ଫଳରେ ପ୍ରତ୍ୟେକ ଦିନ ସେଠାରେ ଦୁର୍ଘଟଣା ହେଉଛି। ଅନ୍ଧାରରେ ଗାଡ଼ି ଯିବା ଆସିବା କରିବା ସମୟରେ ଏଥିରେ ଖସି ଯାଉଛି। ତେଣୁ ତୁରନ୍ତ ସ୍ବେରେଜ୍‌ ଚାମ୍ବରରେ ସ୍ଲାବ୍ ପକାଯିବାର ବ୍ୟବସ୍ଥା କରାଯାଉ।
– ନାରାୟଣ ପରିଡ଼ା, ବରିଷ୍ଠ ନାଗରିକ

ପୁଷ୍କରିଣୀର ପୁନରୁଦ୍ଧାର କରାଯାଉ
ସ୍ଥାନୀୟ ଅଞ୍ଚଳରେ ଯେଉଁ ପୁଷ୍କରିଣୀ ରହିଛି, ତାହା ଅନେକ ଲୋକଙ୍କ କାମରେ ଆସୁଛି। ଏପରିକି ଗତବର୍ଷ ହୋଇଥିବା ବାତ୍ୟାରେ ଲୋକମାନେ ଏହାଦ୍ବାରା ଉପକୃତ ହୋଇଥିଲେ। ମାତ୍ର ପ୍ରଶାସନ ଏହାକୁ ଗୁରୁତ୍ବ ଦେଉନାହିଁ। ତେଣୁ ଏହାର ପୁନରୁଦ୍ଧାର ହେବା ସହ ରକ୍ଷଣାବେକ୍ଷଣା କରାଯାଉ। ଏଥିପାଇଁ ୨୦୦୬ ମସିହାରୁ ଲୋକମାନେ ବିଡିଏ ଓ ବିଏମ୍‌ସିକୁ ଦାବିପତ୍ର ପ୍ରଦାନ କରି ଆସୁଛନ୍ତି। ମାତ୍ର ପଦକ୍ଷେପ ଶୂନ। ଏହାସହ ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଏକ ପାଠଗାର ପ୍ରତିଷ୍ଠା କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଉ।
– କେଶବ ରଣା, ସ୍ଥାନୀୟ ବାସିନ୍ଦା

ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବର ସୁବିଧା କରାଯାଉ
ରାଜଧାନୀରେ ସମୁଦାୟ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଛି। ମାତ୍ର ନୀଳାଦ୍ରିବିହାର ଅଞ୍ଚଳରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସବ ପାଇଁ କୌଣସି ସୁବିଧା ନାହିଁ। ଫଳରେ ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏତେ ଦୂରକୁ ଯିବା ସମୟରେ ଆସନ୍ନ ପ୍ରସବାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସ୍ଥାନୀୟ ଅଞ୍ଚଳର ନିକଟରେ ଥିବା ୨ଟି ୟୁପିଏଚ୍‌ସିରେ ପ୍ରସବର ବ୍ୟବସ୍ଥା କରାଯାଉ।
– ପିଙ୍କି ନାୟକ, ସ୍ଥାନୀୟ ବାସିନ୍ଦା

ବସ୍ତି ଭିତରେ ସଫା କରୁନାହାନ୍ତି ସଫେଇ କର୍ମଚାରୀ
ସ୍ଥାନୀୟ ଅଞ୍ଚଳରେ ଥିବା ବସ୍ତି ପ୍ରତି ପ୍ରଶାସନ ଗୁରୁତ୍ବ ଦେଉନାହିଁ। ସଫେଇ କର୍ମଚାରୀମାନେ କେବଳ ରାସ୍ତାଘାଟର ସଫା କରୁଛନ୍ତି, ହେଲେ ବସ୍ତି ଭିତରେ ସଫା କରିବାକୁ ଗୁରୁତ୍ବ ଦେଉନାହାନ୍ତି। ସ୍ବେରେଜ୍ ଓ ଡ୍ରେନ୍‌ର ମଧ୍ୟ ସମସ୍ୟା ରହିଛି। କିଛି ସ୍ଥାନରେ ଡ୍ରେନ୍‌ ଠିକ୍ ରହିଛି ମାତ୍ର ତଥା ଯଥେଷ୍ଟ ନୁହେଁ। ନୀଳାଦ୍ରିବିହାରରେ ଛୋଟ ପିଲାଙ୍କ ପାଇଁ ପାର୍କର ସୁବିଧା ରହିଛି। ମାତ୍ର ବସ୍ତି ଅଞ୍ଚଳର ପିଲାଙ୍କ ପାଇଁ ନାହିଁ। ପ୍ରଶାସନ ଏହା ଉପରେ ଗୁରୁତ୍ବ ଦେଉ।
– ଲିପ୍‌ସା ନାୟକ, ମହିଳା ସମାଜସେବୀ

ଜରାନିବାସ ପ୍ରତିଷ୍ଠା ହେଉ
ଏହି ଅଞ୍ଚଳରେ ୧୦୦ଶଯ୍ୟା ବିଶିଷ୍ଟ ଏକ ଜରାନିବାସ ପ୍ରତିଷ୍ଠା ହେବା ଦରକାର। ଫଳରେ ବୟସ୍କ ଲୋକମାନେ ଏଥିରୁ ଲାଭବାନ ହୋଇପାରିବ। ‌ତେବେ ସରକାର ରାଜଧାନୀର ବିନ୍ଦୁସାଗରକୁ ଯେତିକି ଗୁରୁତ୍ବ ଦେଉଛନ୍ତି, ନୀଳାଦ୍ରିବିହାର ଅଞ୍ଚଳରେ ଯେଉଁ ପୁଷ୍କରିଣୀ ରହିଛି, ତାହାକୁ ସେତିକି ଗୁରୁତ୍ବ ଦିଆଯାଉନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳରେ ଥିବା ପୁଷ୍କରିଣୀର ପୁନରୁଦ୍ଧାର କରାଗଲେ ବୋଇତ ବନ୍ଦାଣ ପାଇଁ ଲୋକମାନଙ୍କ ଯେଉଁ ସମସ୍ୟା ରହିଛି ତାହା ଦୂର ହୋଇପାରିବ।
-ବିଶ୍ବନାଥ ମହାନ୍ତି, ବରିଷ୍ଠ ନାଗରିକ

ବୁଦ୍ଧ ପାର୍କରେ ଗାଡ଼ି ଷ୍ଟାଣ୍ଡ କରାଯାଉ
ବୁଦ୍ଧ ପାର୍କରେ ବହୁ ଲୋକଙ୍କ ଭିଡ଼ ଜମୁଛି। ଅଥଚ ଗାଡ଼ି ରଖିବା ପାଇଁ ଷ୍ଟାଣ୍ଡ ନାହିଁ। ଗାଡ଼ି ଚୋରି ହେଉଛି। ସ୍ଥାନୀୟ ଅଞ୍ଚଳରେ ୱାଟ୍‌କୋ ପ୍ରକଳ୍ପରେ ପାଣି ଦିଆଯାଉଛି। ଏଥିପାଇଁ ମିଟର୍‌ ଲଗାଯାଇଛି। କିନ୍ତୁ ରାଜଧାନୀର ଅନ୍ୟ ସମ୍ଭ୍ରାନ୍ତ ଅଞ୍ଚଳରେ ମିଟର୍‌ ଲଗାଯାଇନାହିଁ। ଏହାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ସେହିପରି ନୀଳାଦ୍ରିବିହାର ଅଞ୍ଚଳରେ ଏବେ ବି ଡ୍ରେନେଜ୍‌ ସମସ୍ୟା ରହିଛି। ସବୁ ଗଳିରେ ମଇଳା ପାଣି ଭାସୁଛି।
– ଦୟାନିଧି ସ୍ବାଇଁ, ସ୍ଥାନୀୟ ବାସିନ୍ଦା

ଡେ’ କେୟାର ସେଣ୍ଟର ଖୋଲିବା ଦୀର୍ଘଦିନର ଦାବି
ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଡେ’ କେୟାର୍‌ ସେଣ୍ଟର୍‌ ଖୋଲିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଗତ ୧୫ ବର୍ଷ ଧରି ଦାବି କରି ଆସୁଛନ୍ତି। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ନୀଳାଦ୍ରିବିହାରରେ ଆଲୋକୀକରଣର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ବରିଷ୍ଠ ନାଗରିକମାନେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରିଥିଲେ ହେଁ ତାହା ମଧ୍ୟ ପ୍ରତିଷ୍ଠା ହୋଇନାହିଁ। ସ୍ଥାନୀୟ ଅଞ୍ଚଳରେ ଯେଉଁ ପ୍ରାକୃତିକ ଝର ରହିଛି, ତାହାର ପୁନରୁଦ୍ଧାର ହୋଇପାରୁନାହିଁ।
-ଶ୍ରୀଚରଣ ନାୟକ, ବରିଷ୍ଠ ନାଗରିକ

ଶିଶୁ ପାର୍କରେ ଝୁଲୁଛି ତାଲା
ସେକ୍ଟର ୩ ଅଞ୍ଚଳରେ ଥିବା ଶିଶୁ ପାର୍କ ନିର୍ମାଣ ହୋଇଥିଲେ ହେଁ ତାହାକୁ ଖୋଲା ଯାଉନାହିଁ। ଏଥିରେ ତାଲା ଝୁଲୁଛି। ପିଲାମାନେ ପାର୍କର ତାରବାଡ଼ ଡେଇଁ ଭିତରକୁ ପଶିବା ସମୟରେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପ୍ରଶାସନ ଏହାକୁ ଗୁରୁତ୍ବ ଦେଉ।
-ଅଦ୍ବୈତ ଶତପଥୀ, ସ୍ଥାନୀୟ ବାସିନ୍ଦା

ବସ୍ତିବାସନ୍ଦାଙ୍କୁ ସ୍ଥାୟୀ ବାସଗୃହ ଦିଆଯାଉ
ଈଶାଣେଶ୍ବର ବସ୍ତିରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ସ୍ଥାୟୀ ବାସଗୃହ ଦିଆଯାଉ। ବସ୍ତି ଅଞ୍ଚଳର ଗଳିକନ୍ଦିରେ ରାସ୍ତାର ସୁବିଧା ନାହିଁ। ତେଣୁ ସରକାର ଏହା ଉପରେ ନଜର ଦେଲେ ସ୍ଥାନୀୟ ବସ୍ତିବାସିନ୍ଦା ଉପକୃତ ହୋଇପାରିବେ।
-ମନୋରଂଜନ ମହାନ୍ତି, ବସ୍ତିବାସିନ୍ଦା

ମଇଳା ପାଣିରେ ଗୋଡ଼ ଦେଇ ଲୋକ ଘର ଓ ମନ୍ଦିରକୁ ଯାଉଛନ୍ତି
ସ୍ଥାନୀୟ ଅଞ୍ଚଳରେ ସ୍ବେରେଜ୍‌ର ବ୍ୟବସ୍ଥା ଥାଇ ମଧ୍ୟ ନ ଥିଲା ଭଳି। ଯଦି କୌଣସି କାରଣରୁ ମ୍ୟାନହୋଲ ପୂରି ଯାଉଛି, ମଇଳା ପାଣି ରାସ୍ତାଘାଟରେ ଭାସୁଛି। ମଇଳା ପାଣିରେ ଗୋଡ଼ ଧୋଇ ଲୋକମାନେ ମନ୍ଦିର ଓ ଘରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ନୀଳାଦ୍ରିବିହାର ଅଞ୍ଚଳର ରାସ୍ତା ଧୀରେ ଧୀରେ ସଂକୁଚିତ ହେବାକୁ ଲାଗିଛି। ଆବଶ୍ୟକ ନ ଥାଇ ହମ୍ପସ୍‌ ନିର୍ମାଣ କରାଯାଉଛି। ଏହାସହ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକକାଳୀନ ରାସ୍ତା ଖୋଳି ଦେବାରୁ ଭଲ ରାସ୍ତା ମଧ୍ୟ ନଷ୍ଟ ହୋଇଗଲାଣି।
– ବୀରକିଶୋର ମିଶ୍ର, ସ୍ଥାନୀୟ ବାସିନ୍ଦା

ଶ୍ରମିକମାନଙ୍କୁ ଗୋଟିଏ ସ୍ଥାନରେ ରହିବାର ବ୍ୟବସ୍ଥା କରାଯାଉ
ନୀଳାଦ୍ରିବହାର ସେକ୍ଟର୍‌-୩ ଅଞ୍ଚଳରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି। କାମ ଉଦ୍ଦେଶ୍ୟରେ ଛକ ଉପରେ ଶ୍ରମିକ ଠିଆ ହୋଇଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଯଦି ଗୋଟିଏ ସ୍ଥାନରେ ଶ୍ରମିକମାନେ ଠିଆ ରହିବା ପାଇଁ ବ୍ୟବସ୍ଥା କରାଯାଏ, ତେବେ ଟ୍ରାଫିକ୍ ସମସ୍ୟା ସୁଧୁରି ପାରିବ।
– ସୁଜାତା ଚୌଧୁରୀ, ସ୍ଥାନୀୟ ବାସିନ୍ଦା

ଈଶାଣେଶ୍ବର ବସ୍ତିରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ହେଉ
ଈଶାଣେଶ୍ବର ବସ୍ତିରେ ରହୁଥିବା ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ତେଣୁ ସରକାର ବସ୍ତିରେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣ କରନ୍ତୁ।
– ହନକ ନାୟକ, ସ୍ଥାନୀୟ ବାସିନ୍ଦା

ନିୟମିତ ଅଳିଆ ଉଠୁନି
ସ୍ଥାନୀୟ ଅଞ୍ଚ‌ଳରେ ରାସ୍ତାକଡ଼ରୁ ନିୟମିତ ଅଳିଆ ଉଠୁନାହିଁ। ଦୁର୍ଗନ୍ଧରେ ଏସବୁ ଅଞ୍ଚଳ ଫାଟି ପଡ଼ୁଛି। ଏପରିକି ପାର୍କଂ ସୁବିଧା ମଧ୍ୟ ସବୁଠାରେ ନାହିଁ। ତେଣୁ ଲୋକମାନେ ଗାଡ଼ି ମନଇଚ୍ଛା ରଖିବା ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା କିଛି ବୟସ୍କ ବ୍ୟକ୍ତିମାନଙ୍କ ପେନସନ୍ ଜନିତ ସମସ୍ୟାର ସମାଧାନ ହୋଇପାରି ନାହିଁ।
-ପ୍ରଭାସିନୀ ନାୟକ, ସ୍ଥାନୀୟ ବାସିନ୍ଦା

ପଣ୍ଡା ପାର୍କରେ କମ୍ୟୁନିଟି ହଲ ନିର୍ମାଣ କରାଯାଉ
ପଣ୍ଡା ପାର୍କରେ ଡ୍ରେନ୍‌ର ସୁବିଧା ନାହିଁ। କାର୍ଯ୍ୟକ୍ରମ ପାଇଁ କମ୍ୟୁନିଟି ହଲଟିଏ ମଧ୍ୟ ନାହିଁ। ଶିଶୁମାନଙ୍କ ପଢ଼ିବା ଲାଗି ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। କଲଭର୍ଟ ଭାଙ୍ଗି ଯାଇଛି ଓ ଡ୍ରେନ୍‌ ଉପରେ ସ୍ଲାବ ପକାଯାଉ ନାହିଁ। ଏଭଳି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଆଗେଇ ଆସିବା ଦରକାର।
– ପ୍ରଫୁଲ୍ଲ ନାୟକ, ସ୍ଥାନୀୟ ବାସିନ୍ଦା

ଶିଶୁଙ୍କ ପାଇଁ ପାର୍କ ନାହିଁ
ପଣ୍ଡା ପାର୍କରେ ୨୪ ଘଣ୍ଟିଆ ପାଣି ମିଳୁନି। ଅଙ୍ଗନବାଡ଼ିର ନିଜସ୍ବ ଗୃହ ନଥିବାରୁ ପ୍ରତି ମାସରେ ୨/୩ ଦିନରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଛି। ଶିଶୁଙ୍କ ପାଇଁ ପାର୍କ ନାହିଁ।
-ସବିତା ନାୟକ, ସ୍ଥାନୀୟ ବାସିନ୍ଦା

ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେଉ
ପଣ୍ଡା ପାର୍କ ବସ୍ତିରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ବସ୍ତିର ରାସ୍ତା ଅତ୍ୟନ୍ତ ଖରାପ, ଡ୍ରେନ୍‌ କିମ୍ବା ସ୍ବେରେଜ୍‌ର ମଧ୍ୟ ବ୍ୟବସ୍ଥା ନାହିଁ। ସ୍କୁଲ ଅବହେଳିତ ଅବସ୍ଥାରେ ରହିଛି। ସଂଧ୍ୟାରେ ଅସାମାଜିକ ବ୍ୟକ୍ତିଙ୍କ ସେଠାରେ ଆଡ଼ା ଜମୁଛି।
– ଅନୁକୂଳ ଚନ୍ଦ୍ର ସାହୁ, ସ୍ଥାନୀୟ ବାସିନ୍ଦା

ନିୟମିତ ପାଣି ଯୋଗାଇ ଦିଆଯାଉ
ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ରହିଛି। ନିର୍ମିତ ହୋଇଥିବା ଅନେକ ଘର ମାଲିକ ସେଠାରେ ରହୁ ନ ଥିବାରୁ ଅନେକ ସମୟରେ ଭଡ଼ାଟିଆଙ୍କ ତରଫରୁ ବିଶୃଙ୍ଖଳିଆ ଆଚରଣ ଦେଖିବାକୁ ମିଳୁଛି। ତେଣୁ ଏକ ଫାଣ୍ଡି ପ୍ରତିଷ୍ଠା କରାଗଲେ, ଏହି ସମସ୍ୟାର ସମାଧାନ ହୋଇପାରିବ। ଘରୋଇ ହସ୍ପିଟାଲ ଯୋଗୁଁ ପାର୍କିଂ ସମସ୍ୟା ହେଉଛି। ଲୋକମାନେ ଘର ସାମ୍ନାକୁ ଆସି ଗାଡ଼ି ରଖୁଛନ୍ତି, ଫଳରେ ଯିବାଆସିବାରେ ସମସ୍ୟା ହେଉଛି।
– ନନ୍ଦକିଶୋର ଜେନା, ସ୍ଥାନୀୟ ବାସିନ୍ଦା

ଆଉ ଏକ କଲ୍ୟାଣ ମଣ୍ଡପ ଅତ୍ୟନ୍ତ ଜରୁରୀ
ନୀଳାଦ୍ରିବିହାର ଅଞ୍ଚଳରେ ପୂର୍ବରୁ ଗୋଟିଏ ମାତ୍ର କଲ୍ୟାଣମଣ୍ଡପ ରହିଛି। ତେବେ ଜନସଂଖ୍ୟା ବଢ଼ିବା କାରଣରୁ ଆଉ ଏକ କଲ୍ୟାଣମଣ୍ଡପ ପ୍ରତିଷ୍ଠ‌ା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ସେହିପରି ରାଜ୍ୟ ପାଠଗାର ସ୍ଥାନୀୟ ଅଞ୍ଚଳରୁ ବହୁ ଦୂରରେ ରହିଛି। ଫଳରେ ସବୁବର୍ଗର ପିଲାମାନେ ସେଠାକୁ ଯାଇ ପଢ଼ିବା ସମ୍ଭବ ହେଉନାହିଁ। ଯଦି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଉଚ୍ଚସ୍ତରୀୟ ପାଠାଗାର ନିର୍ମାଣ କରାଯା’ନ୍ତା, ପିଲାମାନେ ଲାଭବାନ ହୋଇପାରିବେ। ମ୍ୟୁନିସିପାଲଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ ଶବଦାହ ପାଇଁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଏଥିପାଇଁ କର୍ପୋରେଟର ଦସ୍ତଖତ ଆବଶ୍ୟକ ହେଉଥିବା ବେଳେ ଏବେ ୱାର୍ଡ ଅଧିକାରୀ ଏହାର ଦାୟିତ୍ବରେ ରହିଛନ୍ତି। ମାତ୍ର ସବୁ ସମୟରେ ୱାର୍ଡ ଅଧିକାରୀ ଉପଲବ୍ଧ ହୋଇପାରୁ ନଥିବାରୁ ଲୋକମାନେ ଏହାଦ୍ବାରା ବହୁ ସମସ୍ୟା ଭୋଗୁଛନ୍ତି। ତେଣୁ ମ୍ୟୁନିସିପାଲଟି ପୁନର୍ବାର ଗଠନ ନ ହେବା ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ୨୪ଘଣ୍ଟିଆ ଏଥିପାଇଁ ସେବା ଯୋଗାଇ ଦେବା ଦରକାର। ଆଲୋକୀକରଣ କ୍ଷେତ୍ରରେ ମଧ୍ୟ ବିଏମ୍‌ସି ବହୁତ ଦୁର୍ବଳ ରହିଛି।
– ଦେବୀ ପ୍ରସାଦ ମଲ୍ଲିକ, ପୂର୍ବତନ କର୍ପୋରେଟର୍‌

ଡାକଘର, ଫାଣ୍ଡି ଓ ଆମ୍ବୁଲାନ୍‌ସ ବ୍ୟବସ୍ଥା ଆବଶ୍ୟକ
ସ୍ଥାନୀୟ ଅଞ୍ଚଳରେ ଏକ ଡାକଘର, ଫାଣ୍ଡି ଓ ଆମ୍ବୁଲାନ୍‌ସର ବ୍ୟବସ୍ଥା କରାଯିବା ଅତ୍ୟନ୍ତ ଜରୁରୀ। ସ୍ଥାନୀୟ ଲୋକମାନେ ବିଶେଷଭାବେ ଉପକୃତ ହୋଇପାରିବେ।
– କାଳୀ ଚରଣ ସିଂହ, ଯୁବ ସମାଜସେବୀ

କ୍ରୀଡ଼ା ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯାଉ
ସ୍ଥାନୀୟ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କୌଣସି ଭିତ୍ତିଭୂମି ନାହିଁ। ବସ୍ତି ଅଞ୍ଚଳରେ ଅନେକ ପ୍ରତିଭା ରହିଥିଲେ ହେଁ ଲୋକଲୋଚନକୁ ଆସିବା ପାଇଁ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଗଲେ ସ୍ଥାନୀୟ ପିଲାମାନେ ଲାଭବାନ ହୋଇପାରିବେ।
– ଦେବପ୍ରସାଦ ଜେନା, ନୀଳାଦ୍ରିବିହାର

ସମ୍ବନ୍ଧିତ ଖବର