ଦୁର୍ବଳ ସିଗ୍‌ନାଲ ସାଙ୍ଗକୁ କଲ୍‌ ଡ୍ରପ୍‌

ଫେଲ୍‌ ମାରିଛି ବିଏସ୍‌ଏନ୍‌ଏଲ୍‌ ଓ ଏୟାରଟେଲ୍‌ ନେଟଓ୍ଵର୍କ

ଚନ୍ଦ୍ରଶେଖରପୁର: ଗୋଟିଏ କମ୍ପାନି ଭାରତକୁ ଦ୍ରୁତତମ ବେଗରେ ଯୋଡ଼ିବାର ପ୍ରତିଶ୍ରୁତି ଦେଉଛି ତ’ ଆଉ ଗୋଟିଏ ଭାରତର ସର୍ବାଧିକ ବେଗରେ ଚାଲୁଥିବା ନେଟ୍‌ଓ୍ଵର୍କ ଭାବରେ ଜନସାଧାରଣଙ୍କ ନିକଟରେ ଦାବି କରୁଛି। ଲୋଭନୀୟ ପ୍ରତିଶ୍ରୁତି ସହିତ ଆକର୍ଷଣୀୟ ବିଜ୍ଞାପନ ଦେଇ ଉପଭୋକ୍ତାଙ୍କୁ ଆକୃଷ୍ଟ କରୁଛି। ଥ୍ରି ଜି ଓ ୪ ଜିର ମୋହରେ ଗ୍ରାହକମାନଙ୍କୁ ବାନ୍ଧି ରଖିବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି ଉଭୟ କମ୍ପାନି। କିନ୍ତୁ ବାସ୍ତବ କ୍ଷେତ୍ରରେ ସେବା ଦେବାରେ ଉଭୟ କମ୍ପାନି ଫେଲ୍‌ ମାରୁଛନ୍ତି। ସମଗ୍ର ଭାରତ କଥା ଛାଡ଼ନ୍ତୁ, ଭୁବନେଶ୍ୱରବାସୀଙ୍କୁ ଯୋଡ଼ିବାରେ ବିଫଳ ହେଉଛନ୍ତି ଟେଲିକମ୍‌ ଜଗତର ଏହି ଦୁଇ ହସ୍ତୀ। ରାଜଧାନୀ ବାସିନ୍ଦା ବିଏସ୍‌ଏନ୍‌ଏଲ୍‌ ଓ ଏୟାରଟେଲ୍‌ର କଲ୍‌ଡ୍ରପ୍‌ ଓ ଦୁର୍ବଳ ସିଗ୍‌ନାଲ କାରଣରୁ ହନ୍ତସନ୍ତ ହେଉଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳ ହେଉ ଅବା ସାମନ୍ତରାପୁର, ଖଣ୍ଡଗିରି ଅବା ୟୁନିଟ୍‌-୪ ଅଞ୍ଚଳରେ ଥିବା ବିଧାୟକ କଲୋନି, ସବୁଠି ଏହି ଦୁଇ ପ୍ରମୁଖ ଟେଲିକମ୍‌ କମ୍ପାନିର ସେବା ବିରୋଧରେ ମାଳ ମାଳ ଅଭିଯୋଗ। ପ୍ରାୟ ଦୁଇ ସପ୍ତାହ ହେଲା ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି। ଗ୍ରାହକ ଉପଭୋକ୍ତାଙ୍କୁ ସମସ୍ୟାର ସମାଧାନ କଥା କହିଲେ ବିଭିନ୍ନ ଉପାୟରେ ଭୁତାଉଛନ୍ତି କମ୍ପାନି କର୍ତୃପକ୍ଷ। ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟକୁ ଗଲେ ନାହିଁ ନାହିଁରେ ଉତ୍ତର ମିଳୁନି। ଆଉ ଏୟାରଟେଲ୍‌ କଥା ନ କହିବା ଭଲ। କୌରସି ବରିଷ୍ଠ ଅଧିକାରୀଙ୍କ ଦେଖା ମିଳିବନି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ କଲ୍‌ଡ୍ରପ୍‌କୁ କମ୍‌ କରିବା ନିମନ୍ତେ କଲ୍‌ଡ୍ରପ୍‌ ହେଉଥିବା ଟେଲିକମ୍‌ କମ୍ପାନି ବିରୋଧରେ ଜୋରିମାନା ସହିତ କଠୋର କାର୍ଯ୍ୟାନୁଷ୍ଠାନର କଡ଼ା ନିୟମ କରାଯାଇଛି। ମାତ୍ର ଏହି ନିୟମକୁ କୌଣସି ଟେଲିକମ୍‌ କମ୍ପାନି ଖାତିର କରୁନାହାନ୍ତି। ରାଜଧାନୀର ଊଣାଅଧିକେ ସମସ୍ତ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ଓ ଏୟାରଟେଲ୍‌ର ଏପରି ବିକଳ ଅବସ୍ଥା ଦେଖାଦେଇଛି। ଏନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିକଟରେ ଏୟାରସେଲ୍‌ କମ୍ପାନି ଏହାର ସେବା ରାଜ୍ୟରେ ପ୍ରାୟତଃ ବନ୍ଦ କରିଦେଇଥିବାରୁ ସେହି ନେଟଓ୍ଵର୍କର ଗ୍ରାହକମାନେ ବର୍ତ୍ତମାନ ଅନ୍ୟ ନେଟଓ୍ଵର୍କ ପ୍ରତି ଆକୃଷ୍ଟ ହେଉଛନ୍ତି। ମାତ୍ର ଅଧିକାଂଶ ଗ୍ରାହକ ପସନ୍ଦ କରୁଥିବା ଏହି ଦୁଇ କମ୍ପାନିର ଅବସ୍ଥା ମହରଗରୁ ଆସି କାନ୍ତାରରେ ପଡ଼ିବା ଭଳି ପ୍ରତୀୟମାନ ହେଉଛି।

ଏ ନେଇ ଏୟାରଟେଲ୍‌ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ଏୟାରଟେଲ୍‌ର ନେଟଓ୍ଵର୍କର ଅପ୍‌ଗ୍ରେଡିଂ ପ୍ରକ୍ରିୟା ଜାରି ରହିଥିବାରୁ ଭୁବନେଶ୍ୱରର କିଛି କିଛି ଲୋକେସନରେ ନେଟଓ୍ଵର୍କ ସମସ୍ୟା ଦେଖାଦେଉଛି। ସେମିତି କିଛି ବେଶି ଅଭିଯୋଗ ଆସିନି। ଯେଉଁ ନମ୍ବରରୁ ଅଭିଯୋଗ ଆସୁଛି ତା’ର ସମାଧାନ କରାଯାଉଛି।

ବିଏସ୍‌ଏନ୍‌ଏଲ୍‌ ପ୍ରତି ବିଶ୍ୱାସ ଥିବାରୁ ବହୁବର୍ଷ ହେବ ଏହି ସେବା ବ୍ୟବହାର କରିଆସୁଛୁ। ମାତ୍ର ବର୍ତ୍ତମାନ ସମୟରେ ଏହି ସରକାରୀ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ନେଟଓ୍ଵର୍କ ଯେପରି ଦୁର୍ବଳ, ଡାଟା ସ୍ପିଡ୍‌ର ଅବସ୍ଥା ମଧ୍ୟ ତତୋଧିକ ଖରାପ। କଲ୍‌ଡ୍ରପ୍‌ କଥା ତ’ ନକହିବା ଭଲ। ଏହି ବ୍ୟବସ୍ଥାରେ ଯଥାଶୀଘ୍ର ସୁଧାର ଆସିବା ନିହାତି ଜରୁରୀ।
ମାନସ ମଲ୍ଲିକ, ଛାତ୍ରନେତା

ଦେଶର ସର୍ବବୃହତ ଘରୋଇ ନେଟ୍‌ଓ୍ଵର୍କ ଭାବରେ ଦାବି କରୁଥିବା ଏୟାରଟେଲ୍‌ର ଦୁର୍ବଳ ସେବା ବେଶ୍‌ ହଇରାଣ କରୁଛି। ଦେଖୋ ଦେଖୋ ଜଲଓ୍ଵାର ନାରା ଦେଉଥିବା ଏହି କମ୍ପାନିର ନେଟଓ୍ଵର୍କ ରାଜଧାନୀରେ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେବଳ ପ୍ରତିଶ୍ରୁତି ମିଳୁଛି। ସମାଧାନ ନାହିଁ।
ଦୀପକ ଜେନା, ଏୟାରଟେଲ୍‌ ଉପଭୋକ୍ତା

ରାଜଧାନୀର କିଛି କିଛି ସ୍ଥାନରେ ବିଏସ୍‌ଏନ୍‌ଏଲ୍‌ର ଟାଓ୍ଵାର ନଥିବାରୁ ନେଟ୍‌ଓ୍ଵର୍କରେ କିଛିଟା ଅସୁବିଧା ଦେଖାଦେଉଛି। ଚନ୍ଦ୍ରଶେଖରପୁରର କିଛି ଅଞ୍ଚଳ ସମେତ ସାମନ୍ତରାପୁର, ପୁନାମା ଗେଟ୍‌ ଆଦି ସ୍ଥାନରେ ପ୍ରାୟ ୧୦୦ଟି ନୂତନ ଟାଓ୍ଵାର ସ୍ଥାପନ କରାଯିବାର ଯୋଜନା ରହିଛି। ଦୁର୍ବଳ ନେଟଓ୍ଵର୍କ କିମ୍ବା ଅନ୍ୟ କୌଣସି ଅଭିଯୋଗ ଆସିଲେ ତୁରନ୍ତ ସମାଧାନ କରାଯାଉଛି।
ଆର୍‌ ସି ଖଣ୍ଡେଇ, ଏଜିଏମ, ମୋବାଇଲ୍‌, ବିଏସ୍‌ଏନ୍‌ଏଲ୍‌

ସମ୍ବନ୍ଧିତ ଖବର