ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର ଆଇଆଇଟିର ସମାବର୍ତନ ଉତ୍ସବ ଆଜି

ଭୁବନେଶ୍ୱର ଭାରତୀୟ ପ୍ରାଦ୍ୟେଗିକ ସଂସ୍ଥାନ (ଆଇଆଇଟି)ର ଷଷ୍ଠ ସମାବର୍ତନ ଉତ୍ସବ ରବିବାର ପାଳିତ ହେବ। ଏଥିପାଇଁ କ୍ୟାମ୍ପସ ପ୍ରସ୍ତୁତ, ମଞ୍ଚ ବି ପ୍ରସ୍ତୁତ। ନବବଧୂ ପରି ସଜେଇ ହୋଇ ଦେଶର ପ୍ରଥମ ନାଗରିକଙ୍କୁ ଅପେକ୍ଷା କରିଛି ଆଇଆଇଟି କ୍ୟାମ୍ପସ। ପ୍ରଥମ ଥର ଲାଗି ଦେଶର କୌଣସି ରାଷ୍ଟ୍ରପତି ଏହି କ୍ୟାମ୍ପସକୁ ଆସୁଥିବାରୁ ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଓ ଉତ୍କଣ୍ଠା। ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ।

ଭୁବନେଶ୍ୱର/ ଜଟଣୀ: ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଭୁବନେଶ୍ୱର ଆଇଆଇଟି ସ୍ଥାୟୀ କ୍ୟାମ୍ପସରେ ପାଦ ଥାପିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଆଇଆଇଟି ସମାବର୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବାକୁ ଥିବାରୁ ପ୍ରଫେସର, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଉତ୍ସବରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ତାଙ୍କ ସହ ରାଜ୍ୟପାଳ ଏସ.ସି. ଜମିର, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଆଇଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସର ପଙ୍କଜ ରମଣ ଭାଇ ପଟେଲ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ନିର୍ଦେଶକ ପ୍ରଫେସର ଆର.ଭି. ରାଜା କୁମାର ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିବେ। ଉତ୍ସବ ଲାଗି ପ୍ରସ୍ତୁତି ହୋଇଛି ମୁଖ୍ୟ ଖେଳ ପଡ଼ିଆରେ ହୋଇଥିବା ଉତ୍ସବସ୍ଥଳ। ଏଠାରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ସଭା ମଞ୍ଚ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଜଟଣୀ, ଭୁବନେଶ୍ୱର ଓ ଖୋର୍ଧାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେବେ। ଉତ୍ସବସ୍ଥଳରେ ଦୁଇ ହଜାର ଲୋକଙ୍କ ବସିବା ଲାଗି ବ୍ୟବସ୍ଥା ହୋଇଛି। ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଆଲୋକୀକରଣ କରାଯାଇଛି। ଉତ୍ସବ ଅବସରରେ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି, ୬୦ ଜଣଙ୍କୁ ଏମ୍‌.ଟେକ୍‌, ୭୧ ଜଣଙ୍କୁ ଏମ୍‌.ଏସ୍‌ସି ଓ ୧୫୦ ଜଣ ବି.ଟେକ୍‌ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବ। ବି.ଟେକ୍‌ ପାଠ୍ୟକ୍ରମର ସ୍କୁଲ ଅଫ୍‌ ଇଲେକ୍‌ଟ୍ରିକାଲ ସାଇନ୍ସର ଛାତ୍ର କମଲ ନାରାୟଣ ରେଡ୍ଡିଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ଦିଆଯିବ। ଏଥିସହ ସ୍କୁଲ ଅଫ୍‌ ୟାର୍ଥ, ଓସେନ୍‌ ଆଣ୍ଡ କ୍ଲାଇକେଟ୍‌ ସାଇନ୍ସର ଏମ୍‌.ଟେକ୍‌ ଛାତ୍ର ରିସର୍ଭ ଗୋଏଲ୍‌ ଓ ଏହି ବିଭାଗର ଏମ୍‌.ଏସ୍‌ସି ଛାତ୍ର ପାର୍ଥସାରଥୀ ଜେନାଙ୍କୁ ନିର୍ଦେଶକ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ବି.ଟେକ୍‌ ପାଠ୍ୟକ୍ରମରେ ଉନ୍ନତ ପ୍ରଦର୍ଶନ କରିଥିବା ଛାତ୍ର କମଲ ନାରାୟଣ ରେଡ୍ଡି ଚାଲ୍ଲା, ବିଶ୍ୱାସ ଚନ୍ଦ୍ର ଖାନ, ଯୋଗେନ୍ଦ୍ର ସିଂ ପଟେଲ୍‌ ଓ ଛାତ୍ରୀ ହର୍ଲିନ ହଂସପାଲଙ୍କୁ ଶିକ୍ଷାନୁଷ୍ଠାନ ରୌପ୍ୟ ପଦକ ପ୍ରଦାନ କରାଯିବ। ସେହିପରି ଏମ୍‌.ଟେକ୍‌ରେ ଛାତ୍ର ଋଷଭ ଗୋଏଲ୍‌, ଏମ୍‌. ନରେଶ, ସୂର୍ଯ୍ୟକାନ୍ତ କୁମାର, ଛାତ୍ରୀ ନିକିତା ତ୍ରିବେଦୀ ଓ ଏମ୍‌.ଏସ୍‌ସିରେ ପାର୍ଥସାରଥୀ ଜେନା, ପିୟୁଷ ଚକ୍ରବର୍ତ୍ତୀ, ପ୍ରିୟଙ୍କା ମିଶ୍ର, ସ୍ମିତା ଚକ୍ରବର୍ତୀଙ୍କୁ ଶିକ୍ଷାନୁଷ୍ଠାନ ରୌପ୍ୟ ପଦକ ଦିଆଯିବ।

ଆସନ୍ତା ଶିକ୍ଷାବର୍ଷରେ ବଢ଼ିବ ୪୪ ସିଟ୍‌
୨୦୧୮-୧୯ ଶିକ୍ଷାବର୍ଷରୁ ଭୁବନେଶ୍ୱର ଆଇଆଇଟିରେ ୪୪ଟି ସିଟ୍‌ ବୃଦ୍ଧି ପାଇବ। ଏମ୍‌.ଟେକ୍‌ ପାଠ୍ୟକ୍ରମରେ ‘ସାଇବର ସିକ୍ୟୁରିଟି ଆଣ୍ଡ ଫରେନ୍‌ସିକ୍‌’ ନୂତନ ବିଭାଗ ଖୋଲିବ। ଏଥିରେ ୨୨ଟି ସିଟ୍‌ ରହିବ। ବି.ଟେକ୍‌ ପାଠ୍ୟକ୍ରମରେ ମଧ୍ୟ ୨୨ଟି ସିଟ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଏବେ ୩୫୦ ସିଟ୍‌ ରହିଥିବା ବେଳେ ଆଉ ୨୨ଟି ସିଟ୍‌ ବଢ଼ାଯାଇ ୩୭୨ଟିରେ ନାମଲେଖା ହେବ। ଆଇଆଇଟିଗୁଡ଼ିକରେ ଛାତ୍ରୀଙ୍କ ସଂଖ୍ୟା ମାତ୍ର ୮% ରହିଥିବାରୁ ତାହାକୁ ଚଳିତବର୍ଷ ୧୪%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରୀଙ୍କ ଲାଗି ୬% ସିଟ୍‌ ବଢ଼ାଯିବ। ଦେଶର ସମସ୍ତ ଆଇଆଇଟିରେ ଏହି ସିଟ୍‌ ବୃଦ୍ଧି ହେବ ବୋଲି ନିିର୍ଦେଶକ ପ୍ରଫେସର ରାଜା କୁମାର କହିଛନ୍ତି।

ମେ’ରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ
ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭୁବନେଶ୍ୱର ଆଇଆଇଟିକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଏବେ ଆଇଆଇଟିର ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ବାକି ୨୦ ପ୍ରତିଶତ କାର୍ଯ୍ୟ ୨୦୧୯ ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତାହାକୁ ଦୃଷ୍ଟିରେ ରଖି ଏବେ କାର୍ଯ୍ୟ ଜାରି ରହିଛି। ବିଶେଷକରି ଗୋଟିଏ ଲେଖାଏ ଛାତ୍ର ଓ ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ଆଇଆଇଟି କୁଳସଚିବ ଦେବରାଜ ରଥ କହିଛନ୍ତି।

ସେମାନଙ୍କ ମୁହଁରୁ

ଭୁବନେଶ୍ୱର ଆଇଆଇଟି ଏବେ ୧୦ ବର୍ଷ ପୂରଣ କରିଛି। ଏକା ସମୟରେ ଦେଶରେ ପ୍ରତିଷ୍ଠା ହୋଇଥିବା ଅନ୍ୟ ଆଇଆଇଟିଗୁଡ଼ିକଠାରୁ ଏହି ଶିକ୍ଷାନୁଷ୍ଠାନ ବହୁତ ଆଗରେ। ଚଳିତବର୍ଷ ଆଇଆଇଟି ନିଜସ୍ୱ କ୍ୟାମ୍ପସରେ ସମାବର୍ତନ ଉତ୍ସବ କରିବାକୁ ଯାଉଛି। ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବା ଆମମାନଙ୍କ ଳାଗି ଗୌରବର ବିଷୟ। ତାଙ୍କର ଦୀକ୍ଷାନ୍ତ ଭାଷଣକୁ ଅପେକ୍ଷା କରି ରହିଛୁ।
-ଲିପ୍‌ସା ଭରତୀ, ଛାତ୍ରୀ

୬ଷ୍ଠ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେବେ। ଏହାଠାରୁ ଆହୁ ଖୁସିର କଥା କିଛି ବି ନାହିଁ। ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ କ’ଣ କହିବେ ତାହାକୁ ଆମେ ଚାହିଁ ରହିଛୁ। ଏଥିସହ ଆଇଆଇଟି ନିକଟରେ ଦକ୍ଷତା ବିକାଶ ପ୍ରତିଷ୍ଠାନର ଭିିତ୍ତିପ୍ରସ୍ତର ପଡ଼ିବାକୁ ଯାଉଥିବାରୁ ଖୁସିର କଥା।
ଅବିନାଶ ଶୁକ୍ଳା, ଛାତ୍ର

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣକୁ ଅପେକ୍ଷା କରି ରହିଛୁ। ନିଜସ୍ୱ କ୍ୟାମ୍ପସକୁ ଆସିବା ପରେ ଆଇଆଇଟି ନୂଆ ରୂପ ପାଇଛି। ନୂତନ ପାଠ୍ୟକ୍ରମ ଖୋଲିବା ସହ ଅନେକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଆଗାମୀ ଦିଗରେ ଏହା ଦେଶର ଶୀର୍ଷରେ ପହଞ୍ଚିବ।
ଅଙ୍କିତ୍‌ ରାଉତ, ଛାତ୍ର

ବହୁ ପ୍ରତୀକ୍ଷିତ ସମୟ ଆସି ପହଞ୍ଚିଛି। ଆଉ ମାତ୍ର କିଛି ସମୟ ପରେ ରାଷ୍ଟ୍ରପତି କ୍ୟାମ୍ପସରେ ପହଞ୍ଚିବେ। ତାଙ୍କ ଅଭିଭାଷଣ ଶୁଣିବା ଲାଗି ଆମେ ଏବେଠାରୁ ପାସ୍‌ ନେଇସାରିଛୁ। ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ଅନ୍ୟ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବା ଖୁସିର ବିଷୟ।
ୟଶ କେଡିଆ, ଛାତ୍ର

ଅରୁଗୁଳସ୍ଥିତ କ୍ୟାମ୍ପସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଆସୁଥିବାରୁ ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହିତ ରହିଛନ୍ତି। ତାଙ୍କୁ ସ୍ୱାଗତ କରିବା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଦ୍ୱାରା ପିଲାମାନେ ଉପକୃତ ହେବେ।
ପ୍ରଫେସର ରାଜେଶ ରୋଶନ ଦାଶ, ସିଭିଲ୍‌ ଇଞ୍ଜିନିୟରିଂ ବିଭାଗ

ପ୍ରଥମ ଥର ଲାଗି ସ୍ଥାୟୀ କ୍ୟାମ୍ପସକୁ ରାଷ୍ଟ୍ରପତି ଆସୁଥିବାରୁ ଅଧ୍ୟାପକ, କର୍ମଚାରୀ ଖୁସି ଅଛନ୍ତି। ଦ୍ୱିତୀୟ ଥର ଲାଗି କୌଣସି ରାଷ୍ଟ୍ରପତି ସମାବର୍ତନ ଉତ୍ସବରେ ଯୋଗଦେବେ। ଏହାଦ୍ୱାରା ଛାତ୍ରଛାତ୍ରୀ, ପ୍ରଫେସରମାନେ ଉପକୃତ ହୋଇପାରିବେ।
ପ୍ରଫେସର ସ୍ୱରୂପ କୁମାର ମହାପାତ୍ର, ମେକାନିକାଲ ବିଭାଗ

ସମ୍ବନ୍ଧିତ ଖବର